ୱାସିଂଟନ: ୨୦୧୨ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପୁନଃ ବିଜୟୀ ହେବା ପାଇଁ ବାରାକ୍ ଓବାମା ଇରାନ୍ ଉପରେ ଆକ୍ରମଣ କରିପାରନ୍ତି। ସେତେବେଳେ ଏଭଳି ପୂର୍ବାନୁମାନ କରି ଡୋନାଲ୍ଡ ଟ୍ରମ୍ପ ଏକାଧିକ ଟ୍ବିଟ୍ କରିଥିଲେ। କିନ୍ତୁ ଟ୍ରମ୍ପ ଆଜି ବିମାନ ଆକ୍ରମଣରେ ଇରାନର ସୁଲେମାନୀଙ୍କୁ ହତ୍ୟା କରିବା ପରେ ସେହି ପୁରୁଣା ଟ୍ବିଟ୍ ଗୁଡ଼ିକ ଚର୍ଚ୍ଚାକୁ ଆସିଛି। ଟ୍ବିଟରରେ ଏ କି ପ୍ରକାର ବ୍ୟଙ୍ଗୋକ୍ତି ବୋଲି ଅନେକ ପ୍ରଶ୍ନ କରିଛନ୍ତି। ଟ୍ରମ୍ପଙ୍କ ସେହି ପୁରୁଣା ଟ୍ବିଟ୍ ଏବେ ତାଙ୍କୁ ଘାଇଲା କରିଛି।
୨୦୧୧ ଏବଂ ୨୦୧୨ ମସିହାରେ ଟ୍ରମ୍ପ ବାରମ୍ବାର ଅଭିଯୋଗ କରିଥିଲେ ଯେ ବାରାକ ଓବାମା ୨୦୧୨ ରାଷ୍ଟ୍ରପତି ନିର୍ବାଚନରେ ଜିତିବା ପାଇଁ ଇରାନ ଉପରେ ଆକ୍ରମଣ କରିବାକୁ ଆଗ୍ରହୀ ଅଛନ୍ତି। ଟ୍ରମ୍ପଙ୍କ ସେ ସମୟର ଟ୍ବିଟ୍ ଏବେ ଭାଇରାଲ ହେବାରେ ଲାଗିଛି। ବିଶେଷକରି ଟ୍ରମ୍ପ ବ୍ୟକ୍ତିଗତ ଭାବେ ଇରାନର ଜେନେରାଲ ସୁଲେମାନୀଙ୍କୁ ହତ୍ୟା କରିବା ପାଇଁ ନିର୍ଦ୍ଦେଶ ଦେବା ପରେ ଏହି ଟ୍ବିଟ ଗୁଡ଼ିକ ଇଣ୍ଟରନେଟ୍ରେ ଏବେ ପୁଣି ଦେଖିବାକୁ ମିଳିଛି। ଟ୍ରମ୍ପ ସେତେବେଳେ ଜଣେ ରିଅଲିଟି ଟିଭି ଷ୍ଟାର ଏବଂ ରିଅଲ ଇଷ୍ଟେଟ ବ୍ୟବସାୟୀଭାବେ ପରିଚିତ ଥିଲେ।
୨୦୧୨ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଟ୍ରମ୍ପ କହିଥିଲେ, ଓବାମା ନିର୍ବାଚନରେ ଜିତିବା ପାଇଁ ଲିବିୟା କିମ୍ବା ଇରାନ ଉପରେ ଆକ୍ରମଣ କରିପାରନ୍ତି। ୨୦୧୨ରେ ଓବାମା ରାଷ୍ଟ୍ରପତି ଭାବେ ପୁନଃ ନିର୍ବାଚିତ ହେବା ପରେ ମଧ୍ୟ ଟ୍ରମ୍ପ ତାଙ୍କର ଟ୍ବିଟ୍ ଜାରି ରଖିଥିଲେ। ସେସବୁ ଟ୍ବିଟ୍ରେ ମଧ୍ୟ ଓବାମା ଇରାନ ବିରୋଧରେ ଯୁଦ୍ଧ କରିବାକୁ ବ୍ୟଗ୍ର ବୋଲି ଟ୍ରମ୍ପ କହିଥିଲେ। ଏସବୁ ଟ୍ବିଟ୍କୁ ନେଇ ଏବେ ଟ୍ରମ୍ପ ଏବେ ଉପହାସର ପାତ୍ର ପାଲଟି ଯାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/trump.jpg)