ୱାସିଂଟନ: ଡେମୋକ୍ରାଟିକ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ତଥା ଆମେରିକା ଉପରାଷ୍ଟ୍ରପତି କମଳା ହାରିସଙ୍କ ‘ବର୍ଣ୍ଣ’ ଓ ‘ଜାତୀୟତା’କୁ ନେଇ ରିପବ୍ଲିକାନ୍‌ ଦଳର ପ୍ରାର୍ଥୀ ଡୋନାଲ୍‌ଡ ଟ୍ରମ୍ପ୍‌ ‘ପ୍ରଶ୍ନଚିହ୍ନ’ ଲଗାଇଛନ୍ତି। ଏହାକୁ ନେଇ ଆମେରିକାର ରାଜନୀତିରେ ବିବାଦର ଝଡ଼ ସୃଷ୍ଟି ହୋଇଛି। ବୁଧବାର, ସିକାଗୋ ଇଲିନୋଇସ୍‌ ଠ‌ାରେ ନ୍ୟାସନାଲ ଆସୋସିଏସନ୍‌ ଅଫ୍‌ ବ୍ଲାକ୍‌ ଜର୍ଣ୍ଣାଲିଷ୍ଟ୍‌ (ଏନ୍‌ଏବିଜେ) ସଭାରେ ଯୋଗ ଦେଇ ଟ୍ରମ୍ପ୍‌ କହିଥିଲେ, ଆଜି ଯାଏଁ କମଳା ହାରିସ ନିଜକୁ ଜଣେ ଭାରତୀୟ ବଂଶୋଦ୍ଭବ ଓ ଭାରତୀୟ ରୀତିନୀତିର ବୋଲି ପରିଚୟ ଦେଇ ଆସୁଥିଲେ। କିନ୍ତୁ ଏବେ ସେ ତାଙ୍କ ପରିଚୟ ବଦଳାଇ ନିଜକୁ ଜଣେ କୃଷ୍ଣକାୟ ବୋଲି କହୁଛନ୍ତି। କମଳା ହଠାତ୍‌ ଭାରତୀୟରୁ କୃଷ୍ଣକାୟ (ଆଫ୍ରିକୀୟ) ହୋଇଯାଇଛନ୍ତି । ଟ୍ରମ୍ପ୍‌ କହିଛନ୍ତି, ସେ ଉଭୟ ଭାରତୀୟ ଓ ଆଫ୍ରିକୀୟଙ୍କୁ ସମ୍ମାନ କରନ୍ତି। କିନ୍ତୁ କମଳାଙ୍କ ଏଭଳି ପରିବର୍ତ୍ତନକୁ ସେ ବୁଝିପାରୁନାହାନ୍ତି। କମଳା ନିଜର ଜାତୀୟତା ଓ ବର୍ଣ୍ଣକୁ ଲୁଚାଇଛନ୍ତି। ଟ୍ରମ୍ପଙ୍କ ଏଭଳି ମନ୍ତବ୍ୟକୁ ନେଇ‌ ଡେମୋକ୍ରାଟ ଦଳ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କମଳା ନିଜ ପ୍ରତିକ୍ରିୟାରେ କହିଛନ୍ତି, ସେ ଉଭୟ ଭାରତୀୟ ଓ ଜାମାଇକା ବଂଶୋଦ୍ଭବ। ତାଙ୍କ ପ୍ରତି ଟ୍ରମ୍ପଙ୍କ ଏଭଳି ମନ୍ତବ୍ୟ ବିଭେଦତାପୂର୍ଣ୍ଣ ଓ ଅପମାନଜନକ ଅଟେ ବୋଲି ସେ କହିଛନ୍ତି।