ୱାସିଂଟନ: ଫରେନସିକ୍ ବିଶ୍ଳେଷଣରୁ ଜଣାପଡିଛି ଯେ ଶନିବାର ପେନ୍ସିଲଭେନିଆର ବଟଲରରେ ଟ୍ରମ୍ପଙ୍କ ରାଲି ଉପରକୁ ତିନୋଟି ବନ୍ଧୁକରୁ ଗୁଳିଚାଳନା କରାଯାଇଥିଲା। କିନ୍ତୁ ଗୁଳିଚାଳକ ଜଣେ ହିଁ ଥିଲେ ବୋଲି ରବିବାର ଏଫ୍‌ବିଆଇ କହିଛି। ପ୍ରଥମ ତିନୋଟି ଗୁଳି ବନ୍ଧୁକ 'ଏ'ରୁ ନିକ୍ଷିପ୍ତ ହୋଇଥିଲା, ପରବର୍ତ୍ତୀ ପାଞ୍ଚଟି ଗୁଳି ବନ୍ଧୁକ 'ବି'ରୁ ଏବଂ ଶେଷ ଗୁଳି ଏକ ସମ୍ଭାବ୍ୟ ଅସ୍ତ୍ର 'ସି' ଦ୍ୱାରା ଛଡ଼ାଯାଇଥିଲା ବୋଲି ଡେନଭରସ୍ଥିତ କଲରାଡୋ ବିଶ୍ୱବିଦ୍ୟାଳୟର ନ୍ୟାସନାଲ ସେଣ୍ଟର ଫର୍ ମିଡିଆ ଫରେନସିକ୍ସର ନିର୍ଦ୍ଦେଶକ କାଟାଲିନ୍ ଗ୍ରିଗୋରସ୍ ଏବଂ ସେହି ଅନୁଷ୍ଠାନର ବରିଷ୍ଠ ବୃତ୍ତିଗତ ଗବେଷଣା ସହଯୋଗୀ କୋଲ ହ୍ୱାଇଟକଟନଙ୍କ ଦ୍ବାରା କରାଯାଇଥିବା ଧ୍ବନି ବିଶ୍ଳେଷଣରୁ ଜଣାପଡ଼ିଛି। ଫରେନସିକ୍ ବିଶେଷଜ୍ଞ ରବର୍ଟ ମାହେରଙ୍କ କହିବା ଅନୁସାରେ, ଧ୍ବନି ବିଶ୍ଳେଷଣରୁ ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ ଗୁଳିଚାଳନାକାରୀ ଜଣେ ଥିଲେ ଏବଂ ସେ ପୋଡିୟମ୍‌ଠାରୁ ପ୍ରାୟ ୩୬୦ରୁ ୩୯୩ ଫୁଟ୍‌ ଦୂରରେ ଏକ ଛାତ ଉପରେ ଥିଲା।