ନୂଆଦିଲ୍ଲୀ,: ବିଶ୍ୱର ସର୍ବଶ୍ରେଷ୍ଠ ଡିଲ୍ ମେକର ଭାବେ ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱଘୋଷିତ ଭାବମୂର୍ତ୍ତି ଭ୍ଲାଦିମିର ପୁଟିନଙ୍କ ସୁଚିନ୍ତିତ ରଣନୀତିରେ ଭୁଶୁଡ଼ି ପଡ଼ିଛି। ବାସ୍ତବରେ ଯାହାକୁ ସେ କୂଟନୀତି ବୋଲି କହୁଛନ୍ତି, ତାହା ହେଉଛି ଆତ୍ମସମର୍ପଣ। ଆଲାସ୍କାରେ ପୁଟିନଙ୍କ ସହ ତାଙ୍କର ଶିଖର ସମ୍ମିଳନୀ ପରେ ସେ ବୋଲଡିମିର ଜେଲେନସ୍କିଙ୍କ ଉପରେ ପ୍ରବଳ ଚାପ ପକାଉଛନ୍ତି। ଏହା ବାସ୍ତବରେ ୟୁକ୍ରେନ, ଆମେରିକାର ସହଯୋଗୀ ରାଷ୍ଟ୍ର ଓ ଆମେରିକାର ବିଶ୍ୱସନୀୟତା ପ୍ରତି ବିଶ୍ୱାସଘାତକତା ବୋଲି କୂଟନୈତିକ ମହଲରେ ଚର୍ଚ୍ଚା ହେଉଛି।

Advertisment

ଟ୍ରମ୍ପଙ୍କ ୟୁକ୍ରେନ ନୀତିର ମୂଳରେ ରହିଛି କିବ୍‌କୁ ସାଲିସ ଭିତରକୁ ଠେଲିଦେବାର ଇଚ୍ଛା ଯାହା ରୁଷୀୟ ଆକ୍ରମଣକୁ ଖୋଲାଖୋଲି ଭାବେ ପୁରସ୍କୃତ କରେ। ଆଲାସ୍କା ବୈଠକ ପରେ ଟ୍ରମ୍ପ ଶାନ୍ତି ଚୁକ୍ତିକୁ ତ୍ୱରାନ୍ୱିତ କରିବା ପାଇଁ ଜୋର ଦେବା ଆରମ୍ଭ କରିଥିଲେ। ଖୁବ୍‌ଶୀଘ୍ର ସାମ୍ନାକୁ ଆସିଲା ପୁଟିନ୍ ପୂର୍ବ ଡୋନବାସ ଉପରେ ନିୟନ୍ତ୍ରଣ ଓ ୟୁକ୍ରେନର ନାଟୋ ଅଭିଳାଷ ଉପରେ ଭିଟୋ ଦାବି କରିଥିଲେ। ଟ୍ରମ୍ପ ପରାମର୍ଶ ଦେଇଥିଲେ ଯେ ଜେଲେନସ୍କି ସାଲିସ ମାଧ୍ୟମରେ ଯୁଦ୍ଧକୁ ‘ପ୍ରାୟ ତୁରନ୍ତ’ ଶେଷ କରିପାରିବେ। ଏହି ଆଭିମୁଖ୍ୟ ୨୦୨୨ ଆକ୍ରମଣ ପରଠାରୁ ୟୁକ୍ରେନର ବ୍ୟାପକ ବଳିଦାନକୁ କ୍ଷୁଣ୍ଣ କରୁଛି ଏବଂ ଟ୍ରମ୍ପଙ୍କ କାରବାର ରାଜନୀତିରେ ଏହାର ସାର୍ବଭୌମତ୍ୱକୁ ଏକ ବାର୍ଗେନିଂ ଚିପ୍‌ରେ ପରିଣତ କରିଛି।

ଅଗଷ୍ଟ ୧୮ରେ ଜେଲେନସ୍କିଙ୍କ ସହ ମାକ୍ରନ୍ ଓ ସ୍କଲ୍‌ଜଙ୍କ ସହ ହୋଇଥିବା ଓଭାଲ୍ ଅଫିସ୍ ବୈଠକରେ ଟ୍ରମ୍ପଙ୍କ ଉଚ୍ଚ ଚାପ କୌଶଳ ପଦାକୁ ଆସିଥିଲା। ୟୁରୋପୀୟ ନେତାମାନେ ଅସ୍ତ୍ରବିରତିକୁ ଜରୁରୀ ପ୍ରଥମ ପଦକ୍ଷେପ ବୋଲି ଗୁରୁତ୍ୱାରୋପ କରିଥିବା ବେଳେ ଟ୍ରମ୍ପ ଏହାର ଗୁରୁତ୍ୱକୁ ଅଣଦେଖା କରି ସିଧାସଳଖ ପୁଟିନ୍-ଜେଲେନସ୍କିଙ୍କ ବୈଠକ ପାଇଁ ଜୋର ଦେଇଥିଲେ ଏବଂ କୂଟନୀତିକୁ ଏକ ଫଟୋ-ଅପ୍‌ରେ ପରିଣତ କରିଥିଲେ। ସବୁଠାରୁ ଖରାପ କଥା ହେଉଛି, ତାଙ୍କର ‘ଆମେରିକୀୟ ନିରାପତ୍ତା ଗ୍ୟାରେଣ୍ଟି’ ପ୍ରସ୍ତାବର ଏକ ମୂଲ୍ୟ ଟ୍ୟାଗ୍ ଥିଲା: କିବ୍ ଆମେରିକାଠାରୁ ୯୦ ବିଲିୟନ ଡଲାରର ଅସ୍ତ୍ରଶସ୍ତ୍ର କ୍ରୟ କରିବ ଓ ମୂଲ୍ୟଦେବ ୟୁରୋପ। କିନ୍ତୁ ଟ୍ରମ୍ପ ତାଙ୍କ କଥା ପାଳନ କରିବେ ବୋଲି ବିଶ୍ୱାସ କରାଯାଇପାରିବ କି ନାହିଁ। କାରଣ ବାରମ୍ବାର ତାଙ୍କର ଆଭିମୁଖ୍ୟ ବଦଳିଥାଏ। 

ଚୀନ୍ ପାଇଁ ଟ୍ରମ୍ପଙ୍କ ୟୁକ୍ରେନ୍ ବିକ୍ରୟ ଆକ୍ରମଣକାରୀ ଦେଶକୁ ଏକ ଭୂ-ରାଜନୈତିକ ଉପହାର। ୟୁକ୍ରେନ୍ ଓ ନାଟୋକୁ ଦୁର୍ବଳ କରି ସେ ବେଜିଂର ସାହସ ବଢ଼ାଇଛନ୍ତି। ଯଦି ପୁଟିନଙ୍କ ଆକ୍ରମଣକୁ ପୁରସ୍କୃତ କରାଯାଏ, ତେବେ ଏହା ସି ଜିନପିଙ୍ଗଙ୍କୁ ଏକ ସଙ୍କେତ ଦେଇଥାଏ ଯେ ସେ ବି ତାଇଓ୍ଵାନକୁ ଦଖଲ କରିବା ପାଇଁ ଆକ୍ରମଣ କରିପାରିବେ। ରୁଷିଆକୁ ଖୁସି କରିବା, ପାକିସ୍ତାନକୁ ସମର୍ଥନ କରିବା ଓ ଭାରତ ଉପରେ ଶୁଳ୍କ ଲଗାଇବା ଭଳି ଟ୍ରମ୍ପଙ୍କ ପଦକ୍ଷେପ ନୂଆଦିଲ୍ଲୀରେ ବିପଦର ଘଣ୍ଟି ବଜାଇଛି। ମେ ୨୦୨୫ରେ ଭାରତ-ପାକିସ୍ତାନ ସଂଘର୍ଷରେ ଟ୍ରମ୍ପଙ୍କ ମଧ୍ୟସ୍ଥତା ଦାବି କାଶ୍ମୀରକୁ ଅନ୍ତର୍ଜାତୀୟକରଣ କରିବାର ବିପଦକୁ ଦର୍ଶାଉଛି। ତେଣେ ପୁଟିନ ଭାରତ ସହ ଦୀର୍ଘଦିନର ସମ୍ପର୍କ ବଜାୟ ରଖି ପାକିସ୍ତାନ ସହ ସମ୍ପର୍କକୁ ସୁଦୃଢ଼ କରୁଥିବାରୁ ନୂଆଦିଲ୍ଲୀକୁ ସତର୍କତାର ସହ ଏଥିପ୍ରତି ଧ୍ୟାନ ଦେବାକୁ ପଡ଼ିବ।