ୱାସିଂଟନ: ଶୁଳ୍କ (ଟାରିଫ୍‌) ଭୟ ଦେଖାଇ ବିଭିନ୍ନ ଦେଶକୁ ଚାପଗ୍ରସ୍ତ କରି ସୁହାଇବା ଭଳି ବାଣିଜ୍ୟ ରାଜିନାମା ହାସଲ କରିବାରେ ସଫଳ ହୋଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ନୁଆଁଇବାର ବିଫଳତାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ଭାରତ ସହ ବାଣିଜ୍ୟ ରାଜିନାମା ସଫଳ ହେଉନଥିବାରୁ ଉତ୍‌କ୍ଷୀପ୍ତ ହୋଇ ସେ ଅନେକ କଟୁ କଥା କହିବା ଆରମ୍ଭ କରିଛନ୍ତି। ଭାରତ ଉପରେ ସେ ପ୍ରବଳ ଚାପ ପ୍ରୟୋଗ କରୁଛନ୍ତି। ଏଥି ସହିତ ସେ ଏକ ଅଜବ ବାଣିଜ୍ୟ ନୀତି ଗ୍ରହଣ କରି ପାକିସ୍ତାନ ସହ ବନ୍ଧୁତା କରିଥିବା ବେଳେ ଭାରତକୁ ନିନ୍ଦା କରିବାକୁ ପଛାଇ ନାହାନ୍ତି। ଗତକାଲି ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ ଓ ରୁଷ୍‌ ସହ ସମ୍ପର୍କ ଥିବାରୁ ଅତିରିକ୍ତ ଜରିମାନା ଲଗାଇଥିବା ଟ୍ରମ୍ପ ଆଜି ଭାରତ ନାଁରେ କଟୁ କଥା କହିଛନ୍ତି। ରୁଷ୍‌ ସହ ଭାରତର ସମ୍ପର୍କକୁ ସେ ଆଦୌଁ ସହ୍ୟ କରିପାରୁନାହାନ୍ତି। ସେ କହିଛନ୍ତି ଯେ ରୁଷ୍‌ ସହ ଭାରତର ସମ୍ପର୍କକୁ ମୁଁ ଖାତିର କରୁନି। ସେମାନେ ମିଳିତ ଭାବେ ନିଜ ମୃତ ଅର୍ଥନୀତିକୁ ରସାତଳକୁ ନେଇପାରି‌ବେ। ଭାରତ ସହ ଆମେ ଅଳ୍ପ କାରବାର କରୁଛୁ। ସେମାନଙ୍କ ଶୁଳ୍କ ବହୁତ ଯାହା ସାରା ବିଶ୍ବରେ ସର୍ବାଧିକ। ରୁଷ୍ ଓ ଆମେରିକା ଭିତରେ କିଛି ବି ବ୍ୟବସାୟ ସମ୍ପର୍କ ନାହିଁ। ରୁଷ୍‌ର ବିଫଳ ରାଷ୍ଟ୍ରପତି ମେଡ୍‌ଭେଡେବ୍ ଜାଣି ରଖନ୍ତୁ ଯେ ସେମାନେ ଏକ ବିପଦପୂର୍ଣ୍ଣ ଅଞ୍ଚଳରେ ପ୍ରବେଶ କରିଛନ୍ତି ବୋଲି ଟ୍ରମ୍ପ କହିଛନ୍ତି।

Advertisment

‘ମୃତ ଅର୍ଥନୀତି’ କହି ଚାପ ପକାଇଲେ ଟ୍ରମ୍ପ
ତୃତୀୟ ବୃହତ୍ତମ ଅର୍ଥନୀତି ହେବାକୁ ଯାଉଛୁ: ଗୋୟଲ
ଟ୍ରମ୍ପ ସତ କଥା କହିଛନ୍ତି: ରାହୁଲ

ଅନ୍ୟ ଏକ ସୋସିଆଲ ମିଡିଆ ପୋଷ୍ଟରେ ସେ ପାକିସ୍ତାନ ସହ ବାଣିଜ୍ୟ ରାଜିନାମା ହୋଇଥିବା ଜଣାଇଛନ୍ତି। ପାକିସ୍ତାନରେ ବିଶାଳ ତୈଳ ଭଣ୍ଡାର ବିକାଶ କରାଇବା ଦିଗରେ ପାକିସ୍ତାନ ଓ ଆମେରିକା ମିଳିତ ଭାବେ କାମ କରିବେ ବୋଲି ସେ ଘୋଷଣା କରିଛନ୍ତି। ସେଥିପାଇଁ ତୈଳ କମ୍ପାନି ଚୟନ କରିବା ପ୍ରକ୍ରିୟା ଜାରି ରହିଛି। କିଏ ଜାଣେ, କେବେ ପାକିସ୍ତାନ ଭାରତକୁ ଏହାର ତେଲ ବିକିବ ବୋଲି ଟ୍ରମ୍ପ ଲେଖିଛନ୍ତି। ଟ୍ରମ୍ପଙ୍କ ଚାପ କୌଶଳ ଆଗରେ କିନ୍ତୁ ଭାରତ ମୁଣ୍ଡ ନୁଆଁଇବ ନାହିଁ ବୋଲି ସ୍ପଷ୍ଟ କରିଛି। ଆଜି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି ଯେ ଜାତୀୟ ସ୍ବାର୍ଥର ସୁରକ୍ଷା ଲାଗି ଭାରତ ସବୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ। ଟ୍ରମ୍ପଙ୍କ ଘୋଷଣାର ପ୍ରଭାବ ବିଷୟରେ ସରକାର ଆକଳନ କରୁଛନ୍ତି। ଏଥି ସହିତ ସ୍ଥିତି ବିଷୟରେ ଜାଣିବା ଲାଗି ରପ୍ତାନିକାରୀ ଓ ଶିଳ୍ପସଂସ୍ଥାଗୁଡ଼ିକ ସହ ମଧ୍ୟ ଆଲୋଚନା କରାଯାଉଥିବା ସେ କହିଛନ୍ତି। ଟ୍ରମ୍ପଙ୍କ ‘ମୃତ ଅର୍ଥନୀତି’ ଟିପ୍ପଣୀ ଉପରେ ଜବାବ ଦେଇ ଗୋୟଲ କହିଛନ୍ତି ଯେ ଭାରତୀୟ ଅର୍ଥନୀତି ମୃତ ନୁହେଁ, ଭାରତ ବିଶ୍ବର ତୃତୀୟ ବୃହତ୍ତମ ଅର୍ଥନୀତି ହେବାକୁ ଯାଉଛି। ‌ଏହି ଅବସରରେ ସରକାରଙ୍କୁ କଡ଼ା ସମାଲୋଚନା କରିବାକୁ ବିରୋଧୀ ଦଳ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭୁଲି ନାହାନ୍ତି। ସେ କହିଲେ, ଭାରତୀୟ ଅର୍ଥନୀତି ମୃତ ବୋଲି ଟ୍ରମ୍ପ ଯାହା କହିଛନ୍ତି ତାହା ସତ ଏବଂ ମୁଁ ସେଥିରେ ଏକମତ। ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କୁ ଛାଡ଼ିଦେଲେ ଏକଥା ଅନ୍ୟ ସମସ୍ତେ ଜାଣିଥିବା ରାହୁଲ କହିଛନ୍ତି।