ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତକାଲିଠାରୁ ଶୁଳ୍କ ଜରିଆରେ ବାଣିଜ୍ୟ ଲଢ଼େଇ ଆରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ସେ କାନାଡା, ମେକ୍ସିକୋ ଓ ଚୀନ୍କୁ ଟାର୍ଗେଟ୍ କରିଛନ୍ତି। କାନାଡା ଓ ମେକ୍ସିକୋ ଉପରେ ୨୫ ପ୍ରତିଶତ ଓ ଚୀନ୍ ଉପରେ ୨୦ ପ୍ରତିଶତ ଶୁଳ୍କ ଲଗାଇଛନ୍ତି। ଅବଶ୍ୟ ସେହି ତିନି ଦେଶ ଆମେରିକା ଉପରେ ପାଲଟା ଟିକସ ଲଗାଇଛନ୍ତି। ଆସନ୍ତା ଏପ୍ରିଲ୍ ୨ରେ ଟ୍ରମ୍ପ ଦ୍ବିତୀୟ ପର୍ଯ୍ୟାୟ ଶୁଳ୍କ ଲଗାଇବେ। ସେଥିରେ ଭାରତ ପ୍ରଭାବିତ ହେବାର ଆଶଙ୍କା ରହିଛି।
ଆମେରିକା କଂଗ୍ରେସର ଯୁଗ୍ମ ଅଧିବେଶନକୁ ସମ୍ବୋଧିତ କରିବା ଅବସରରେ ସେ ଭାରତକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଭାରତ ଆମ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲଗାଇଛି। ଆମେରିକା ପାଇଁ ତାହା ଉଚିତ ନୁହେଁ ଓ କେବେ ବି ନଥିଲା। ଏପ୍ରିଲ୍ ୨ରୁ ପାଲଟା ଟିକସ ଆରମ୍ଭ ହେବ। ସେମାନେ ଆମ ଉପରେ ଯେତିକି ଟିକସ ଲଗାଇଛନ୍ତି, ସେମାନଙ୍କ ଉପରେ ସେତିକି ଟିକସ ଲାଗିବ। ଯଦି ସେମାନେ କୌଣସି ଉପାୟରେ ଆମକୁ ସେମାନଙ୍କ ବଜାରରୁ ଦୂରେଇ ରଖିବେ, ତେବେ ଆମେ ସମାନ ଢଙ୍ଗରେ ସେମାନଙ୍କୁ ଆମ ବଜାରଠାରୁ ଦୂରେଇ ରଖିବୁ ବୋଲି ଟ୍ରମ୍ପ କହିଛନ୍ତି। ୟୁରୋପୀୟ ସଂଘ, ଚୀନ, ବ୍ରାଜିଲ ଓ ଭାରତ ଭଳି ଦେଶ ଆମେରିକା ଉପରେ ବହୁଦିନରୁ ଚଢ଼ା ଟିକସ ଲଗାଇଛନ୍ତି ବୋଲି ସେ କହିଥିଲେ।
କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଗସ୍ତ ସମୟରେ ଟ୍ରମ୍ପଙ୍କ ସହ ଆଲୋଚନା କରିଥିଲେ। ତେଣୁ ଉଭୟ ଦେଶ ଭିତରେ ଶୁଳ୍କକୁ ନେଇ ଏକ ମଝିବାଟ ବାହାରିବ ବୋଲି ଆଶା କରାଯାଉଥିଲା। ମାତ୍ର ଟ୍ରମ୍ପଙ୍କ ଶାଣିତ ସ୍ବର ସେହି ଆଶାକୁ ଦୂରେଇ ଦେଇଛି। ଟ୍ରମ୍ପଙ୍କ ରୋଷରୁ ବର୍ତ୍ତିବା ଲାଗି ନିକଟରେ ଆମେରିକାର କେତେକ ସାମଗ୍ରୀ ଉପରୁ ଭାରତ ଶୁଳ୍କ କମ୍ କରିଥିଲା। ଆମେରିକାକୁ ବୁଝାଇବା ଲାଗି ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ଆମେରିକା ଗସ୍ତ କରିଛନ୍ତି। ଟ୍ରମ୍ପଙ୍କ ଶୁଳ୍କ ଯୋଜନାକୁ କାର୍ଯ୍ୟକାରୀ କରିବା ଦାୟିତ୍ବରେ ଥିବା ଆମେରିକା ଷ୍ଟେଟ୍ ଟ୍ରେଡ୍ ରିପ୍ରେଜେଣ୍ଟେଟିଭ୍ (ୟୁଏସ୍ଟିଆର୍) ଜାମିସନ୍ ଗ୍ରିର୍ଙ୍କ ସହ ସେ ଆଲୋଚନା କରିବେ।
ଆମେରିକା ଶୁଳ୍କ ଲଗାଇଲେ ଭାରତ ବିଶେଷ ପ୍ରଭାବିତ ହେବନାହିଁ। କିନ୍ତୁ ଖାଦ୍ୟ, ବୟନ ଓ ଔଷଧ ଶିଳ୍ପ ଉପରେ ତାହାର ପ୍ରଭାବ ପଡ଼ିବ। ଭାରତର ଅଧିକାଂଶ କମ୍ପାନି ଦେଶ ଭିତରେ ଜିନିଷ ବିକିବା ଉପରେ ଗୁରୁତ୍ବ ଦେଉଛନ୍ତି। ଆମେରିକା ବଜାରରେ ସେମାନଙ୍କ ବିଶେଷ ଦଖଲ ନାହିଁ ବୋଲି ରେଟିଂ ଏଜେନ୍ସି ମୁଡିସ୍ କହିଛି। କିନ୍ତୁ ଶୁଳ୍କ ଲାଗିବା ପରେ ଡଲାର ତୁଳନାରେ ବିନିମୟ ମୁଦ୍ରା ଦୁର୍ବଳ ହେବ। ନିବେଶକମାନେ ପାଣ୍ଠି ପ୍ରତ୍ୟାହାର କରିବେ। ମୁଦ୍ରାନୀତିକୁ ନିୟନ୍ତ୍ରଣରେ ରଖିବାରେ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ସମସ୍ୟା ସାମ୍ନା କରିବେ ବୋଲି ମୁଡିସ୍ କହିଛି।
ବର୍ଷକୁ ୬୦,୮୫୫ କୋଟି କ୍ଷତି ହେବ
ଆମେରିକା ଏପ୍ରିଲ୍ ୨ରୁ ପାଲଟା ଟିକସ ଲଗାଇଲେ ଭାରତ ବର୍ଷକୁ ୭ ବିଲିୟନ୍ ଡଲାର (ପ୍ରାୟ ୬୦,୮୫୫ କୋଟି ଟଙ୍କା)ର କ୍ଷତି ସହିବ ବୋଲି ସିଟି ରିସର୍ଚ୍ଚ ପକ୍ଷରୁ ଆକଳନ କରାଯାଇଛି। ପାଲଟା ଟିକସ ଦ୍ବାରା ଭାରତର ରସାୟନ, ଧାତବ ପଦାର୍ଥ, ଗହଣା, ଅଟୋମୋବାଇଲ୍, ଔଷଧ ଓ ଖାଦ୍ୟ ଉତ୍ପାଦ କ୍ଷେତ୍ର ଅଧିକ ପ୍ରଭାବିତ ହେବ। ୨୦୨୪ରେ ଭାରତ ଆମେରିକାକୁ ୭୪୦୦ କୋଟି ଡଲାରର ଜିନିଷ ପଠାଇଥିଲା। ସେଥିରେ ଥିଲା ୮୫୦ କୋଟି ଡଲାରର ଗହଣା ଓ ରତ୍ନପଥର, ୮୦୦ କୋଟି ଡଲାରର ଔଷଧ ଏବଂ ୪୦୦ କୋଟି ଡଲାରର ପେଟ୍ରୋଲିୟମ୍ ସାମଗ୍ରୀ। ୨୦୨୩ରେ ଆମେରିକା ଉପରେ ଭାରତର ହାରାହାରି ଶୁଳ୍କ ୧୧ ପ୍ରତିଶତ ଥିଲା। ଏହା ଆମେରିକା ଲଗାଇଥିବା ଟିକସ ତୁଳନାରେ ୮.୨ ପ୍ରତିଶତ ଅଧିକ। ୨୦୨୪ରେ ଭାରତକୁ ଆମେରିକା ୪୨୦୦ କୋଟି ଡଲାରର ଜିନିଷ ପଠାଇଥିଲା। ଆମେରିକାର କାଠ ଉତ୍ପାଦ ଉପରେ ଭାରତ ୭ ପ୍ରତିଶତ, ମେସିନ୍ ଉପରେ ୧୫ ପ୍ରତିଶତ, ଜୋତା ଓ ପରିବହନ ସାମଗ୍ରୀ ଉପରେ ୨୦ ପ୍ରତିଶତ ଓ ଖାଦ୍ୟ ସାମଗ୍ରୀ ଉପରେ ୬୮ ପ୍ରତିଶତ ଟିକସ ଲଗାଇଛି। ଆମେରିକାର ସବୁଠୁ ଅନୁଗୃହୀତ ଦେଶଗୁଡ଼ିକ ୫% ଟିକସ ଲଗାଇଥିବା ବେଳେ ଭାରତର ଟିକସ ୩୯% ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)