ନୂ୍ଆଦିଲ୍ଲୀ: ଆମେରିକା ଏବେ ବି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ। ଏହାର ରାଷ୍ଟ୍ରମୁଖ୍ୟଙ୍କ ଶକ୍ତି ଏତେ ଯେ, ସେ ସମଗ୍ର ବିଶ୍ୱର ଅର୍ଥନୀତିକୁ ଦୋହଲାଇ ଦେଇପାରିବେ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବର୍ତ୍ତମାନ ସେଭଳି କିଛି କରୁଛନ୍ତି। ସେ ଭାରତ ଏବଂ ବିଶ୍ୱର ଅନ୍ୟାନ୍ୟ ଦେଶ ଉପରେ ଏପରି ଶୁଳ୍କର ଚାବୁକ ବ୍ୟବହାର କରିଛନ୍ତି, ଯାହା ଦ୍ବାରା  ଆଗାମୀ ସମୟରେ ସେବେୁ ଦେଶଙ୍କର ଅର୍ଥନୀତିକୁ ବଡ଼ କ୍ଷତି ପହଞ୍ଚିପାରେ।

Advertisment

ଟ୍ରମ୍ପଙ୍କ ଶୁଳ୍କ ଯୋଗୁ ଭାରତର ଚୀନ୍ ପ୍ଲସ୍ ୱାନ୍ ରଣନୀତି ମଧ୍ୟ ବିଫଳ ହେଉଥିବା ପରି ମନେ ହେଉଛି। କାରଣ ଏହି ସମୟରେ ଭାରତ ଚାହିଁଲେ ମଧ୍ୟ ଚୀନ୍ ସହିତ ସମ୍ପର୍କ ଭାଙ୍ଗି ପାରିବ ନାହିଁ। ଆମେରିକା ସହିତ ବାଣିଜ୍ୟ କ୍ଷତି ପରେ, ଭାରତ ପାଇଁ ଚୀନ୍ ସହିତ ସମ୍ପର୍କ ବଜାୟ ରଖିବା ଗୁରୁତ୍ୱପୂର୍ଣ୍ଣ ହୋଇ ପଡ଼ିଛି।


ଭାରତ ବିଶ୍ୱକୁ ଦେଖାଇବାକୁ ଚେଷ୍ଟା କରିଥିଲା ଯେ, ଭାରତ ଚୀନ୍ କମ୍ପାନିଗୁଡ଼ିକର ସର୍ବୋତ୍ତମ ବିକଳ୍ପ ହୋଇପାରେ। ଏହାକୁ 'ଚାଇନା ପ୍ଲସ୍ ୱାନ୍' ରଣନୀତି ଅନ୍ତର୍ଗତ ଗ୍ରହଣ କରାଯାଇଥିଲା। ଫଳରେ  ଭାରତୀୟ କମ୍ପାନିଗୁଡ଼ିକ ଚୀନ୍ ବଦଳରେ ଅନ୍ୟ ଦେଶରେ ନିବେଶ କରିବାର ପ୍ରୟାସ କରୁଥିଲେ। କିନ୍ତୁ ବର୍ତ୍ତମାନ ଏହି ପ୍ରୟାସ ଦୁର୍ବଳ ହେଉଥିବା ପରି ମନେ ହେଉଛି। ସମ୍ପ୍ରତି, ଆମେରିକା ନୂତନ ଶୁଳ୍କ ଲାଗୁ କରିଛି। ଯାହା ପରେ ନୂଆଦିଲ୍ଲୀର ଅଧିକାରୀ ଏବଂ ବ୍ୟବସାୟୀମାନେ ଏହି ପରିବର୍ତ୍ତିତ ପରିବେଶକୁ ବୁଝିବାକୁ ଚେଷ୍ଟା କରୁଛନ୍ତି।

ଆମେରିକା ସହିତ ଉତ୍ତେଜନା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍‌ଙ୍କ ମଧ୍ୟରେ ବୈଠକ ହୋଇଛି।   ଉଭୟ ନେତା ୭ ବର୍ଷ ପରେ ପରସ୍ପରକୁ ଭେଟିଛନ୍ତି। ଏହା ଭାରତ ଏବଂ ଚୀନ୍ ମଧ୍ୟରେ ପୂର୍ବରୁ ଥିବା ଉତ୍ତେଜନାପୂର୍ଣ୍ଣ ସମ୍ପର୍କକୁ କମ୍ କରିବ ବୋଲି ଆଶା କରାଯାଉଛି। ଭାରତର 'ଚୀନ୍ ପ୍ଲସ୍ ୱାନ୍' ଆଭିମୁଖ୍ୟ ଏକ ଉତ୍ପାଦନ ଶକ୍ତି ହେବାର ମହତ୍ତ୍ୱାକାଂକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ। ଭାରତ ପାଇଁ ବିଶେଷକରି ପ୍ରଯୁକ୍ତିବିଦ୍ୟା ଭଳି କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି କରିବା ଗୁରୁତ୍ୱପୂର୍ଣ୍ଣ। ଯାହା ଦ୍ଵାରା ଯୁବ ଶ୍ରମିକଙ୍କ ବେକାରୀ ଭଳି ସମସ୍ୟାର ସମାଧାନ ହୋଇପାରିବ। କିନ୍ତୁ ବର୍ତ୍ତମାନ ଆମେରିକାର ସମର୍ଥନ ହ୍ରାସ ପାଇବା ଯୋଗୁ, ଚୀନ୍ ଠାରୁ ନିଜକୁ ଦୂରେଇ ରଖିବା ଭାରତ ପାଇଁ କଷ୍ଟକର ମନେ ହେଉଛି ବୋଲି ଅର୍ଥ ବିଶେଷଜ୍ଞ ମତପୋଷଣ କରିଛନ୍ତି।

ଚୀନ୍ ସବୁବେଳେ ଭାରତ ସହିତ ନିଜର ବାଣିଜ୍ୟ ବୃଦ୍ଧି କରିବାକୁ ଚାହୁଁଛି। ଚୀନ୍ ପାଇଁ ଭାରତୀୟ ବଜାର ଆୟର ଏକ ପ୍ରମୁଖ ଉତ୍ସ। ଏପରି ପରିସ୍ଥିତିରେ, ଏହି ବାଣିଜ୍ୟ ଭାରତ ପାଇଁ ଯେତିକି ଗୁରୁତ୍ୱପୂର୍ଣ୍ଣ ମନେ ହେଉଛି ଚୀନ୍ ପାଇଁ ମଧ୍ୟ ସେତିକି ଅପରିହାର୍ଯ୍ୟ। କାରଣ ଆମେରିକୀୟ ଶୁଳ୍କ ଦ୍ୱାରା ହୋଇଥିବା କ୍ଷତିର କ୍ଷତିପୂରଣ ପାଇଁ, ଭାରତକୁ ଅନ୍ୟତ୍ର ବାଣିଜ୍ୟ ବିକଳ୍ପ ଖୋଜିବାକୁ ପଡିବ। ଫଳରେ ଏବେ ଭାରତ ପାଇଁ ଚୀନ୍ ମୁଖ୍ୟ ବିକଳ୍ପ ଭାବରେ ଉଭା ହୋଇଛି। ଏହି ସମୟରେ ଭାରତକୁ ମଧ୍ୟ ବିଦେଶୀ ମୁଦ୍ରାର ଆବଶ୍ୟକତା ରହିଛି। ଏହା ଚୀନ୍‌ ସହିତ ବାଣିଜ୍ୟ କରିବା ପାଇଁ ଭାରତର ବାଧ୍ୟବାଧକତାକୁ ଦର୍ଶାଉଛି ବୋଲି ଅର୍ଥ ବିଶେଷଜ୍ଞ ମତପୋଷଣ କରିଛନ୍ତି।

ନୂତନ ଆମେରିକାର ଶୁଳ୍କ ଯୋଗାଣ ଶୃଙ୍ଖଳାରେ ଅସ୍ଥିରତା ସୃଷ୍ଟି କରିଛି। ଭାରତ ଆଉ ଆମେରିକୀୟ ଆମଦାନୀକାରୀଙ୍କ ପାଇଁ ଆକର୍ଷଣୀୟ ହୋଇ ରହିନାହିଁ। କମ୍ପାନିଗୁଡ଼ିକ ଭିଏତନାମ କିମ୍ବା ମେକ୍ସିକୋ ଭଳି କମ୍ ଶୁଳ୍କ ଥିବା ଦେଶଗୁଡ଼ିକ ଆଡ଼କୁ ମୁହଁ ଫେରାଇ ପାରନ୍ତି। ଏକ ଆମେରିକାର କୋର୍ଟ ସମ୍ପ୍ରତି ଶୁଳ୍କକୁ ଅମାନ୍ୟ ଘୋଷଣା କରିଛନ୍ତି। କିନ୍ତୁ ଟ୍ରମ୍ପ୍‌ଙ୍କ ଅପିଲ୍ ପର୍ଯ୍ୟନ୍ତ ଏହାକୁ ବଳବତ୍ତର ରଖାଯାଇଛି। ତେବେ କୋର୍ଟଙ୍କ ରାୟ ଏହା ଭାରତ ଏବଂ ଆମେରିକା ମଧ୍ୟରେ ଥିବା ବ୍ୟବଧାନକୁ ହ୍ରାସ କରିନାହିଁ। 

India | USA | pm-narendra-modi | Xinping | donald-trump