ୱାସିଂଟନ: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ନିଜର ‘ଦୁଇ ସପ୍ତାହ’ର ଚେତାବନୀ ବାକ୍ୟ ନେଇ ଫେରିଛନ୍ତି। ରୁଷ୍ ଉପରେ ସମ୍ଭାବ୍ୟ କାର୍ଯ୍ୟାନୁଷ୍ଠାନ ଘୋଷଣା ନିମନ୍ତେ ସେ ଏହି ସମୟସୀମା ଧାର୍ଯ୍ୟ କରିଛନ୍ତି, ଯାହା ଉଭୟ ସହଯୋଗୀ ଓ ଶତ୍ରୁପକ୍ଷଙ୍କୁ ଦ୍ବନ୍ଦ୍ବରେ ପକାଇଦେଇଛି। ଗତକାଲି ଗଣମାଧ୍ୟମ ପ୍ରତିନିଧିଙ୍କୁ ଏକ ଫୋନ୍ ସାକ୍ଷାତ୍କାରରେ ଟ୍ରମ୍ପ କହିଥିଲେ, ମୁଁ ଭାବୁଛି ସୋମବାର ମୁଁ ରୁଷ୍ ଉପରେ ଏକ ବଡ଼ ବୟାନ ଦେବି। ମସ୍କୋ ଓ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପାଇଁ ଏହା କ’ଣ ହୋଇପାରେ ସେ ନେଇ କଳ୍ପନାଜଳ୍ପନା ଜୋର ଧରିଛି। ଶେଷ ଥର ପାଇଁ ଟ୍ରମ୍ପ ଜୁନ୍ ୧୯ ତାରିଖରେ ‘ଦୁଇ ସପ୍ତାହ’ କଥା କହିଥିଲେ ଯେତେବେଳେ ଇସ୍ରାଏଲ ଓ ଇରାନ୍ ମଧ୍ୟରେ ଯୁଦ୍ଧ ଚାଲିଥିଲା। କିନ୍ତୁ ଏହାର ମାତ୍ର ଦୁଇ ଦିନ ପରେ ଆମେରିକା ଇରାନର ପରମାଣୁ ସ୍ଥଳରେ ବୋମା ମାଡ଼ କରିଥିଲା।
ରୁଷ୍-ୟୁକ୍ରେନ୍ ଯୁଦ୍ଧ ଜାରି ରହିଛି ଏବଂ ରୁଷ୍ ରାଷ୍ଟ୍ରପତିଙ୍କ ସହ ଟ୍ରମ୍ପଙ୍କ ଏକାଧିକ ଟେଲିଫୋନ୍ କଥାବାର୍ତ୍ତା ପରେ ମଧ୍ୟ ପୁଟିନ୍ ସେନା ୟୁକ୍ରେନ ଉପରେ ଆକ୍ରମଣକୁ ଆହୁରି ତୀବ୍ର କରିଛି। ରାଜଧାନୀ କିବ୍ରେ ତିନି ଦିନ ଧରି ଧ୍ବଂସଲୀଳା ଜାରି ରହିଛି। ତେଣୁ ଟ୍ରମ୍ପଙ୍କ ଏହି ‘ଦୁଇ ସପ୍ତାହ’ ବକ୍ତବ୍ୟ ଆଉ ଏକ ଭୟଙ୍କର ଓ ରହସ୍ୟମୟ ଅର୍ଥ ବହନ କରୁଛି। ବିଶେଷକରି ରୁଷ୍ ବିରୋଧରେ କୌଣସି ସଶସ୍ତ୍ର ପଦକ୍ଷେପ ଏକ ପରମାଣୁ ଯୁଦ୍ଧ କିମ୍ବା ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ କରିପାରେ। ଦୁଇ ଦିନ ତଳେ ଆମେରିକାର ଗଣମାଧ୍ୟମ ଦାବି କରିଥିଲା ଯେ ୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଅଭିଯାନ ସମୟରେ ଟ୍ରମ୍ପଙ୍କ ଏକ ଅଡିଓକୁ ହାସଲ କରିଛି, ଯେଉଁଥିରେ ସେ କହିଛନ୍ତି ଯେ ଯଦି ରୁଷିଆ ୟୁକ୍ରେନରେ ପ୍ରବେଶ କରେ ତେବେ ସେ ପୁଟିନଙ୍କୁ ମସ୍କୋରୁ ବାହାର କରିବାକୁ ବୋମାମାଡ଼ କରିବେ। ତେବେ ରୁଷିଆର ଟାର୍ଗେଟ୍କୁ ଆକ୍ରମଣ କରିବା ପାଇଁ ହ୍ୱାଇଟ୍ମ୍ୟାନ୍ ଏୟାରଫୋର୍ସ ବେସ୍ରେ ପୁଣି ଥରେ ବି-୨ ପ୍ରସ୍ତୁତ କରାଯାଉଛି କି? ଏଭଳି କୌଣସି ପଦକ୍ଷେପ ରେଡ୍ ଲାଇନ୍ ଅତିକ୍ରମ କରିବ ବୋଲି ପୁଟିନ୍ ବାରମ୍ବାର ଚେତାବନୀ ଦେଇ ଆସୁଛନ୍ତି ଏବଂ ଉଭୟ ପାରମ୍ପରିକ ଓ ପରମାଣୁ ବାହିନୀ ଦ୍ୱାରା ବଡ଼ ଧରଣର ପ୍ରତିଶୋଧ ନିଆଯାଇପାରେ। ଭ୍ଲାଦିମିର ପୁଟିନଙ୍କ ପ୍ରତି ଟ୍ରମ୍ପଙ୍କ ସ୍ୱର ମଧ୍ୟ ଗତ କିଛି ଦିନ ମଧ୍ୟରେ ବିଶେଷ ଭାବେ ବଦଳିଛି। ଟ୍ରମ୍ପ କହିଛନ୍ତି, ମୁଁ ପୁଟିନଙ୍କ ଉପରେ ଖୁସି ନୁହେଁ, ମୁଁ ବର୍ତ୍ତମାନ ଆପଣଙ୍କୁ ବହୁତ କିଛି କହିପାରିବି, କାରଣ ସେ ଅନେକ ଲୋକଙ୍କୁ ହତ୍ୟା କରୁଛନ୍ତି। ରୁଷିଆ ଉପରେ କଠୋର ପ୍ରତିବନ୍ଧକ ଲଗାଇବା ପାଇଁ ସିନେଟ୍ ବିଲ୍କୁ ରାଷ୍ଟ୍ରପତି ସମର୍ଥନ ଜଣାଇଛନ୍ତି ଏବଂ ୟୁକ୍ରେନରେ ଚାଲିଥିବା ପୁଟିନଙ୍କ ଯୁଦ୍ଧକୁ ଖୋଲାଖୋଲି ସମାଲୋଚନା କରିଛନ୍ତି। ସୋମବାର ଟ୍ରମ୍ପ ପ୍ରକୃତରେ କ’ଣ ଘୋଷଣା କରିବେ ତାହା ଦେଖିବାକୁ ବାକି ରହିଲା।
ଚର୍ଚ୍ଚାରେ ଟ୍ରମ୍ପଙ୍କ ‘ଦୁଇ ସପ୍ତାହ’ ଚେତାବନୀ
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ନିଜର ‘ଦୁଇ ସପ୍ତାହ’ର ଚେତାବନୀ ବାକ୍ୟ ନେଇ ଫେରିଛନ୍ତି। ରୁଷ୍ ଉପରେ ସମ୍ଭାବ୍ୟ କାର୍ଯ୍ୟାନୁଷ୍ଠାନ ଘୋଷଣା ନିମନ୍ତେ ସେ ଏହି ସମୟସୀମା ଧାର୍ଯ୍ୟ କରିଛନ୍ତି, ଯାହା ଉଭୟ ସହଯୋଗୀ...
/sambad/media/media_files/2025/07/12/kgyhsdf-2025-07-12-07-50-58.jpg)