ୱାଶିଂଟନ୍: ଶୀଘ୍ର ତେହେରାନ ଛାଡ଼। ଇସ୍ରାଏଲ-ଇରାନ ଯୁଦ୍ଧ ଭିତରେ ତେହେରାନ ଛାଡିବାକୁ ଲୋକଙ୍କୁ ପରାମର୍ଶ ଦେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍। ସୋସିଆଲ ମିଡିଆରେ ପୋଷ୍ଟ କରି ତତକ୍ଷଣାତ ଇରାନର ରାଜଧାନୀ ତେହେରାନ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି । ଏଥିସହ ଇରାନକୁ ପୁଣି ଥରେ ଚେତାବନୀ ଦେଇ ଟ୍ରମ୍ପ କହିଛନ୍ତି, ଇରାନକୁ କେବେବି ପରମାଣୁ ଅସ୍ତ୍ର ବନାଇବାକୁ ଦିଆଯିବ ନାହିଁ । ବାରମ୍ବାର ଟ୍ରମ୍ପ ଏଭଳି ଚେତାବନୀ ଦେଉଥିବା ବେଳେ ଶୀଘ୍ର ଲୋକଙ୍କୁ ତେହେରାନ ଛାଡିବାକୁ କହିଛନ୍ତି ।
ଆନ୍ତଜାତୀୟ ଗଣମାଧ୍ୟମ ସଂସ୍ଥା ସିଏନଏନ ପକ୍ଷରୁ କରାଯାଇଥିବା ରିପୋର୍ଟ ମୁତାବକ, ଇରାନବାସୀଙ୍କୁ ଶୀଘ୍ର ତେହେରାନ ଖାଲି କରିବାକୁ କହିଛନ୍ତି ଟ୍ରମ୍ପ । ଇସ୍ରାଏଲ ଲାଗାତାର ଭାବେ ଆକାଶମାର୍ଗରୁ ଇରାନ ଉପରେ ମିଶାଇଲ ବର୍ଷା କରୁଥିବା ବେଳେ ଏଭଳି ଅପିଲ କରିଛନ୍ତି ଆମେରିକା ରାଷ୍ଟ୍ରପତି ।
ଇରାନର ଷ୍ଟେଟ ବୋଡକାଷ୍ଟର ମୁଖ୍ୟାଳୟକୁ ଟାର୍ଗେଟ କରି ଇସ୍ରାଏଲ ବୋମା ମାଡ଼ କରିବା ପରେ ସ୍ଥିତି ଆହୁରୀ ଜଟିଳ ହେବାରେ ଲାଗିଛି । ଏହାରି ଭିତରେ ଜାତିସଂଘର ନ୍ୟୁକ୍ଲିୟର ୱାଚଡଗ କହିଛି, ଇରାନର ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ ଦ୍ବାରା ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । ୫ ଦିନ ଧରି ଚାଲିଥିବା ଯୁଦ୍ଧକୁ ବନ୍ଦ କରିବା ପାଇଁ ଆମେରିକାକୁ ମଧ୍ୟସ୍ତି କରିବାକୁ ଇରାନ ଅନୁରୋଧ କରିଛନ୍ତି। ଏହାରି ଭିତରେ କାନାଡାରେ ହେବାକୁ ଥିବା ଜି-୭ ସମ୍ମିଳନୀରେ ଟ୍ରମ୍ପ ଯୋଗଦେବେ ନାହିଁ ସୂଚନା ମିଳିଛି ।