ସାମାଜିକ କର୍ମୀ ତୃପ୍ତି ଦେଶାଇ ନଭେମ୍ବର ୧୭ରେ ପ୍ରବେଶ କରିବେ ସବରିମାଲା ମନ୍ଦିର ମଧ୍ୟକୁ; ସୁରକ୍ଷା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ପତ୍ର

ନୂଆଦିଲ୍ଲୀ: କେରଳର ପ୍ରସିଦ୍ଧ ସବରିମାଲା ମନ୍ଦିର ମଧ୍ୟକୁ ୧୦ରୁ ୫୦ ବର୍ଷ ବୟସ ମଧ୍ୟରେ ଥିବା ମହିଳାମାନଙ୍କ ପ୍ରବେଶ ଉପରେ ରହିତାଦେଶ ଜାରି କରାଯାଇ ପାରିବ ନାହିଁ ବୋଲି ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗେଇ ଆଜି ସ୍ପଷ୍ଟ କରି ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ସୁପ୍ରିମ୍‌ କୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠ ପୂର୍ବରୁ ସବରିମାଲା ମନ୍ଦିର ମଧ୍ୟକୁ ୧୦ରୁ ୫୦ ବର୍ଷ ବୟସ ମଧ୍ୟରେ ଥିବା ମହିଳାମାନଙ୍କୁ ପ୍ରଦାନ କରିଥିବା ପ୍ରବେଶାଧିକାର ଭିତ୍ତିରେ ସାମାଜିକ କର୍ମୀ ତୃପ୍ତି ଦେଶାଇ ଆସନ୍ତା ୧୭ ତାରିଖ ଦିନ ଭଗବାନ ଆୟପ୍ପାଙ୍କ ଦର୍ଶନ ନିମନ୍ତେ ସବରିମାଲା ମନ୍ଦିରର ଗର୍ଭଗୃହ ମଧ୍ୟକୁ ପ୍ରବେଶ କରିବେ ବୋଲି ଆଜି ଘୋଷଣା କରିଛନ୍ତି। ଏଥିପାଇଁ ତାଙ୍କୁ ସମସ୍ତ ପ୍ରକାରର ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେବାକୁ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କୁ ସେ ଏକ ପତ୍ର ଲେଖିଥିବା ଜାଣିବାକୁ ମିଳିଛି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ତୃପ୍ତି ଦେଶାଇ ହେଉଛନ୍ତି, ଦେଶର ସେହି ବହୁ ଚର୍ଚ୍ଚିତ ସାମାଜିକ କର୍ମୀ ଯିଏକି ମୁମ୍ବାଇର ହଜି ଅଲ୍ଳୀ ଦର୍‌ଘା ଏବଂ ମହାରାଷ୍ଟ୍ର ଅହେମ୍ମଦନଗରରେ ଥିବା ପ୍ରସିଦ୍ଧ ଶନି ସିଙ୍ଗନାପୁର ମନ୍ଦିର ମଧ୍ୟକୁ ମହିଳାମାନଙ୍କୁ ପ୍ରବେଶ କରାଇବାରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ତେବେ, ତୃପ୍ତି ଦେଶାଇ ସବରିମାଲା ମନ୍ଦିରରେ ପ୍ରବେଶ ପାଇଁ ଘୋଷଣା କରିବା ପରେ ସବରିମାଲା ମନ୍ଦିରର ତନ୍ତ୍ରୀ (ପୂଜକ) ପରିବାର ପକ୍ଷରୁ ରାହୁଲ ଈଶ୍ୱର ଓ କେରଳ ଭାରତୀୟ ଜନତା ପାର୍ଟି (ବିଜେପି) ମୁଖ୍ୟ ପିଏସ୍‌ ଶ୍ରୀଧରନ୍‌ ପିଲାଇ ତାଙ୍କୁ ଏଥିରୁ କ୍ଷାନ୍ତ ରହିବା ସହ ଅଯଥା ବିବାଦୀୟ ପରିସ୍ଥିତି ସୃଷ୍ଟି ନକରିବାକୁ କହିଛନ୍ତି।

ସମ୍ବନ୍ଧିତ ଖବର