ଛଅବର୍ଷରେ ଭାରତ ପ୍ରତି ସୃଷ୍ଟି ହୋଇଥିବା ବିଶ୍ୱର ଭରସା ଅଳ୍ପ କେତେ ମାସ ମଧ୍ୟରେ ସୁଦୃଢ଼ ହୋଇଛି: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: କରୋନାଭାଇରସ୍‌ ମହାମାରୀ ସମୟରେ ଜନଜୀବନ ରକ୍ଷା ଉପରେ ଭାରତ ଗୁରୁତ୍ୱାରୋପ କରିବାରେ ସମର୍ଥ ହୋଇଥିବା ଯୋଗୁଁ ପରିସ୍ଥିତି ଅପେକ୍ଷାକୃତ ଭଲ ହୋଇପାରିଛି ବୋଲି ଶନିବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଗତ ଛଅବର୍ଷରେ ଭାରତ ପ୍ରତି ସୃଷ୍ଟି ହୋଇଥିବା ବିଶ୍ୱର ଭରସା ଗତ ଅଳ୍ପ କେତେ ମାସ ମଧ୍ୟରେ ସୁଦୃଢ଼ ହୋଇଛି।

ସାମ୍ପ୍ରତିକ ସରକାର ପ୍ରଚଳନ କରିଥିବା ସଂସ୍କାରର ଉଦ୍ଦେଶ୍ୟ ହେଉଛି ବିଭିନ୍ନ କ୍ଷେତ୍ରରେ ଥିବା ପ୍ରତିବନ୍ଧକ ଦୂର କରିବା। ଏହି ପ୍ରତିବନ୍ଧକ ବିକାଶରେ ବାଧା ସୃଷ୍ଟି କରୁଛି ବୋଲି ସେ କହିଛନ୍ତି। ‘କୃଷି ଆଇନ’ ସେ ମଧ୍ୟରୁ ଗୋଟିଏ ବୋଲି ସେ ଉଦାହରଣ ଦେଇଛନ୍ତି।

ସେ କହିଛନ୍ତି, କୃଷି କ୍ଷେତ୍ର ଏବଂ ଅନ୍ୟ କ୍ଷେତ୍ର ମଧ୍ୟରେ ଥିବା ପ୍ରତିବନ୍ଧକକୁ କୃଷି ଆଇନ ଦୂରୀଭୂତ କରିବାରେ ସହାୟକ ହେବ। ଏହି ଆଇନ ଯୋଗୁଁ କୃଷି କ୍ଷେତ୍ରରେ ଅଧିକ ବିନିଯୋଗ ହେବ। ବଞ୍ଚିବା ନିମନ୍ତେ ଛୋଟ ଛୋଟ ଜମି ଉପରେ ନିର୍ଭରଶୀଳ କ୍ଷୁଦ୍ର କୃଷକମାନେ ମଧ୍ୟ ଏହି ଆଇନଦ୍ୱାରା ଲାଭବାନ ହେବେ।

Image Courtesy of Digiworldblog

‘ଫେଡେରେସନ୍‌ ଅଫ୍‌ ଇଣ୍ଡିଆନ୍‌ ଚେମ୍ବର୍ସ ଅଫ୍‌ କମର୍ସ ଆଣ୍ଡ୍‌ ଇଣ୍ଡଷ୍ଟ୍ରି’ର ୯୩ତମ ସାଧାରଣ ସଭା ଏବଂ ବାର୍ଷିକ ଅଧିବେଶନରେ ଉଦ୍‌ଘାଟନୀ ଭାଷଣ ଦେଇ ପ୍ରଧାନମନ୍ତ୍ରୀ ମୋଦୀ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ଏହି ତିନି ଦିବସୀୟ ଅଧିବେଶନର ଶିରୋନାମା ‘ଇନ୍‌ସ୍ପାୟର୍ଡ ଇଣ୍ଡିଆ’ ବା ‘ପ୍ରେରିତ ଭାରତ’ ରଖାଯାଇଥିବା କଥା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ‘ଏଫ୍‌ଆଇସିସିଆଇ ଆନୁଆଲ୍‌ ଏକ୍ସପୋ ୨୦୨୦’ର ମଧ୍ୟ ଶୁଭାରମ୍ଭ କରିଛନ୍ତି। ଏହା ସମଗ୍ର ବିଶ୍ୱରୁ ଅଂଶଗ୍ରହଣ କରିଥିବା ପ୍ରଦର୍ଶନକାରୀଙ୍କ ସାମଗ୍ରୀ ପ୍ରଦର୍ଶନ କରିବା ସହ ସେମାନଙ୍କ ବ୍ୟବସାୟ ବୃଦ୍ଧି କରିବାର ସୁଯୋଗ ଦେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଏହି ତିନିଦିନିଆ ଅଧିବେଶନରେ ସମଗ୍ର ବିଶ୍ୱରୁ ୧୦, ୦୦୦ ପ୍ରତିନିଧି ଭାଗ ନେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଅମିତ ଶାହା, ନିର୍ମଳା ସୀତାରମଣ, ନୀତିନ ଗଡ଼କରି, ପୀୟୂଷ ଗୋୟଲ, ଏସ୍‌ ଜୟଶଙ୍କର ଏବଂ ରବିଶଙ୍କର ପ୍ରସାଦ ମଧ୍ୟ ଏଥିରେ ଅଭିଭାଷଣ ପ୍ରଦାନ କରିବେ।

ସମ୍ବନ୍ଧିତ ଖବର