ଏକ ସପ୍ତାହ ମଧ୍ୟରେ ଘୋଷଣା ହେବ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟ

ନୂଆଦିଲ୍ଲୀ : ଆସନ୍ତା ଏକ ସପ୍ତାହ ମଧ୍ୟରେ କେନ୍ଦ୍ର ସରକାର ଅଯୋଧ୍ୟାରେ ରାମ ମନ୍ଦିର ଗଠନ ପାଇଁ ଏକ ଟ୍ରଷ୍ଟ ଘୋଷଣା କରିବାର ସମ୍ଭାବନା ରହିଛି । ଏହା ସହିତ ମସଜିଦ ଗଠନ ପାଇଁ ସୁନ୍ନି ଓ୍ଵାକଫ ବୋର୍ଡକୁ ଏକ ବିକଳ୍ପ ୫ ଏକର ଜମି ପ୍ରଦାନ ବିଷୟରେ ଘୋଷଣା କରାଯିବ । ମିଳିଥିବା ସୂଚନା ଅନୁସାରେ ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ଟ୍ରଷ୍ଟ ଗଠନର ରୂପରେଖ ପ୍ରସ୍ତୁତ କରାଯାଇଛି । ସୁନ୍ନି ଓ୍ଵାକଫ ବୋର୍ଡକୁ ୩ଟି ବିକଳ୍ପ ଜମି ପ୍ରଦାନ କରାଯିବ । ସେଥିରୁ ଗୋଟିକୁ ବାଛିବାକୁ ହେବ ।

ଖୁବଶୀଘ୍ର ଏହି ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍‌ ମଂଜୁରୀ ପାଇଁ ପଠାଯିବ । କ୍ୟାବିନେଟ ମଂଜୁରୀ ପରେ ହିଁ ଏ ସଂପର୍କରେ ଘୋଷଣା କରାଯିବ ।
ଉଲ୍ଲେଖଯୋଗ୍ୟ ଯେ, ଗତ ନଭେମ୍ବର ୯ ତାରିଖରେ ସୁପ୍ରିମକୋର୍ଟର ଏକ ୫ ଜଣିଆ ବେଞ୍ଚ ଅଯୋଧ୍ୟା ଜମିବିବାଦ ମାମଲାର ରାୟ ଶୁଣାଇଥିଲେ। ଏହି ରାୟରେ ବିବାଦୀୟ ସ୍ଥାନରେ ରାମ ମନ୍ଦିର ନିର୍ମାଣ ପାଇଁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ମୁସଲିମ ପକ୍ଷଙ୍କୁ ଅନ୍ୟ ଏକ ସ୍ଥାନରେ ମସଜିଦ ନିର୍ମାଣ ପାଇଁ ୫ ଏକର ଜମି ପ୍ରଦାନ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ପରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ରାୟ ବିରୁଦ୍ଧରେ ପ୍ରାୟ ୪୮ଟି ପୁନର୍ବିଚାର ମାମଲା ଦାଏର ହୋଇଥିଲା । ତେବେ ସୁପ୍ରିମ କୋର୍ଟ ଏଗୁଡ଼ିକୁ ଖାରଜ କରିଦେଇଥିଲେ ।

ସମ୍ବନ୍ଧିତ ଖବର