ଇସ୍ଲାମାବାଦ: ପାକିସ୍ତାନ ସଂସଦରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସନ୍ତା ୨୫ ତାରିଖରେ ଆଗତ ହେବ। ତେବେ, ଏହା ପୂର୍ବରୁ ଗୁରୁବାର ଏକ ବଡ଼ ଝଟକା ଲାଗିଛି ପ୍ରଧାନମନ୍ତ୍ରୀ ଇମ୍ରାନ୍ଙ୍କୁ। ଆଜି ଏକ ନାଟକୀୟ ଘଟଣାକ୍ରମରେ ଶାସକ ସରକାରଙ୍କ ତିନି ପ୍ରମୁଖ ସହଯୋଗୀ ବିରୋଧୀ ମେଣ୍ଟରେ ଯୋଗଦେବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ସ୍ଥାନୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।
ଶାସକ ସରକାରଙ୍କ ତିନି ପ୍ରମୁଖ ମିଳିତ ସହଯୋଗୀ ମୁତାହିଦା କୌମି ମୁଭମେଣ୍ଟ ପାକିସ୍ତାନ (ଏମକ୍ୟୁଏମ-ପି), ପାକିସ୍ତାନ ମୁସଲିମ ଲିଗ-କାଏଦ (ପିଏମଏଲ-କ୍ୟୁ) ଏବଂ ବେଲୁଚିସ୍ତାନ ଆୱାମି ପାର୍ଟି (ବିଏପି) ପ୍ରଧାନମନ୍ତ୍ରୀ ଇମ୍ରାନ୍ଙ୍କ ବିରୋଧରେ ଆଗତ ହେବାକୁ ଥିବା ଅନାସ୍ଥା ପ୍ରସ୍ତାବ କାଳରେ ବିରୋଧୀଙ୍କ ସହ ଠିଆ ହେବାକୁ ଓ ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଭୋଟ ଦେବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଜିଓ ନ୍ୟୁଜ ସୂତ୍ରରୁ ପ୍ରକାଶ।
ସୂତ୍ରରୁ ପ୍ରକାଶ ଯେ ଶାସନ କ୍ଷମତାରେ ଥିବା ସରକାରଙ୍କ ସମସ୍ତ ତିନି ସହଯୋଗୀ ଖୁବ୍ ଶୀଘ୍ର (ମାର୍ଚ୍ଚ ୨୫ ପର୍ଯ୍ୟନ୍ତ ଆଶା କରାଯାଉଥିବା) ଇମ୍ରାନ ଖାନଙ୍କୁ ହଟାଇବା ଅଭିଯାନରେ ବିରୋଧୀ ଦଳରେ ଯୋଗଦେବାକୁ ଘୋଷଣା କରିବେ।
ଉଲ୍ଲେଖଯୋଗ୍ୟ, ଇମ୍ରାନ ଖାନଙ୍କ ଦଳ ସଂପ୍ରତି ଆଭ୍ୟନ୍ତରୀଣ ବିଦ୍ରୋହର ସମ୍ମୁଖୀନ ହେଉଛି। ଜାତୀୟ ସଭା (ଏମଏନଏ)ର ଅନେକ ସଦସ୍ୟ ଇମ୍ରାନ ଖାନଙ୍କ ନେତୃତ୍ୱାଧୀନ ପାକିସ୍ତାନ ତେହରିକ- ଇ- ଇନସାଫ (ପିଟିଆଇ)କୁ ପରିତ୍ୟାଗ କରି ବିରୋଧୀ ଦଳରେ ଯୋଗ ଦେଇଛନ୍ତି। ଏହା ପୂର୍ବରୁ ପ୍ରାୟ ୨୪ ଜଣ ସାଂସଦ ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଭୋଟ୍ ଦେବାକୁ ଘୋଷଣା କରିଥିଲେ ଏବଂ ଇମ୍ରାନ ଖାନଙ୍କ ନେତୃତ୍ୱାଧୀନ ପାକିସ୍ତାନର ପିଟିଆଇ ସରକାରଙ୍କ ଠାରୁ ନିଜକୁ ଅଲଗା କରି ନେଇଥିଲେ।
ଇତିମଧ୍ୟରେ, ପାକିସ୍ତାନର ସେନାମୁଖ୍ୟ ମଧ୍ୟ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କୁ ପଦ ଛାଡ଼ିବା ପାଇଁ କହି ସାରିଥିବା ବେଳେ ଆଜିର ଏହି ଘଟଣା ପରେ ଇମ୍ରାନ୍ ଖାନ୍ ଅନାସ୍ଥା ପ୍ରସ୍ତାବ ସଂସଦରେ ଆଗତ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ପାରନ୍ତି ବୋଲି ପାକିସ୍ତାନରେ ଏବେ ଚର୍ଚ୍ଚା ଜୋର ଧରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/A1-18.jpg)