ସୁପ୍ରିମ୍‌କୋର୍ଟରେ ଓଡ଼ିଶାର ସତ୍ୟପାଠ: ଠିକ୍ ଭାବେ ଟିକା ଦେଉନି କେନ୍ଦ୍ର, ଟିକାକରଣ ବ୍ୟାହତ

ଦିନକୁ ୩ଲକ୍ଷ ଟିକା ଦେବା ପାଇଁ ବ୍ୟବସ୍ଥା କରାଯାଇଥିଲା
ଦିନଟିଏ ମାତ୍ର ୨ଲକ୍ଷ ୭୧ ହଜାର ଟିକା ଦିଆଯାଇଛି
ଅକ୍ସିଜେନ୍ ଉତ୍ପାଦନରେ ଓଡ଼ିଶା ଗୋଟିଏ ବଳକା ରାଜ୍ୟ

ନୂଆଦିଲ୍ଲୀ : କେନ୍ଦ୍ରରୁ ଆବଶ୍ୟକ ସଂଖ୍ୟକ ଟିକା ଆସୁନଥିବାରୁ ଓଡ଼ିଶାରେ ଟିକାକରଣ କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହେଉଛି। ଏସଂପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ରକୁ ଅବଗତ କରାଯାଇଛି।

କରୋନା ମୁକାବିଲା ସଂପର୍କରେ ଗୁରୁବାର ସନ୍ଧ୍ୟାରେ ସୁପ୍ରିମକୋର୍ଟରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଦାଖଲ କରାଯାଇଥିବା ସତ୍ୟପାଠରେ ଏହା ଉଲ୍ଲେଖ କରାଯାଇଛି। ଏଥିରେ କୁହାଯାଇଛି ଯେ ରାଜ୍ୟ ସରକାର ଏପ୍ରିଲ ୧୧ ସୁଦ୍ଧା ୪୬,୦୮,୬୫୦ ଭ୍ୟାକ୍‌ସିନ୍ ଡୋଜ୍ ପାଇଛି, ଯେଉଁଥିରେ କୋଭିସିଲ୍‌ଡର ପରିମାଣ ୪୨,୭୧,୮୭୦ ଡୋଜ୍ ଏବଂ ୩,୩୬,୭୮୦ କୋଭାକ୍‌ସିନର ଡୋଜ୍ ରହିଛି। ରାଜ୍ୟରେ ଏପ୍ରିଲ ୩ ତାରିଖ (ଗୋଟିଏ ଦିନରେ) ୨,୭୧,୪୮୦ ଜଣଙ୍କର ଟିକାକରଣ କରାଯାଇଥିଲା। ଏହାପରେ କେନ୍ଦ୍ରରୁ କମ୍ ଏବଂ ଅନିଶ୍ଚିତ ଟିକା ଯୋଗାଣ ଯୋଗୁଁ ଅଧା ଟିକାରଣ କେନ୍ଦ୍ରକୁ ବନ୍ଦ କରିବା ପାଇଁ ରାଜ୍ୟ ସରକାର ବାଧ୍ୟ ହୋଇଛନ୍ତି। ଓଡ଼ିଶାକୁ ପର୍ଯ୍ୟାପ୍ତ ପରିମାଣର ଟିକା ଆସିଲେ ପ୍ରତ୍ୟେକ ଦିନ ୩ ଲକ୍ଷ ଟିକାକରଣ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି।

ଏହି ପରିପ୍ରେକ୍ଷୀୟରେ ରାଜ୍ୟ ସରକାର କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟକୁ ପତ୍ର ଲେଖି ରାଜ୍ୟକୁ ୨୫ ଲକ୍ଷ ଡୋଜ୍ କୋଭିସିଲ୍‌ଡ ଓ ୨ ଲକ୍ଷ କୋଭାକ୍‌ସିନ୍ ଡୋଜ୍‌ ଆବଣ୍ଟନ ପାଇଁ ଅନୁରୋଧ କରିଛନ୍ତି। ୧୮ରୁ ୪୪ ବର୍ଷ ବୟସ ଗ୍ରୁପ୍‌ର ୧.୯୩ କୋଟି ଲୋକଙ୍କୁ ନିଜସ୍ୱ ସମ୍ବଳରେ ଟିକାକରଣ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସେରମ୍ ଇନ୍‌ଷ୍ଟିଚ୍ୟୁଟ୍‌କୁ ୩୭୭ ଲକ୍ଷ କୋଭିସିଲ୍‌ଡ ଡୋଜ୍ ଯୋଗାଇବା ପାଇଁ ଅର୍ଡର କରାଯାଇଛି। ଭାରତ ବାୟୋଟେକ୍‌କୁ ୧୦.୩୪ ଲକ୍ଷ ଟିକା ପାଇଁ ମଧ୍ୟ ଅର୍ଡର କରାଯାଇଛି।

ଅକ୍ସିଜେନ୍ ସଂପର୍କରେ ସତ୍ୟପାଠରେ କୁହାଯାଇଛି ଯେ ଏପ୍ରିଲ ୨୮ତାରିଖ ସୁଦ୍ଧା ରାଜ୍ୟରେ ଦୈନନ୍ଦିନ ବ୍ୟବହାର ପାଇଁ ୪୨.୮୨ ଏମ୍‌ଟି ଅକ୍ସିଜେନ୍ ଆବଶ୍ୟକ ହେଉଛି। ହେଲେ ସିଲିଣ୍ଡର ଜରିଆରେ ରାଜ୍ୟର ପ୍ରତ୍ୟେକ ଦିନ ଅକ୍ସିଜେନ୍ ଉତ୍ପାଦନର କ୍ଷମତା ୧୨୯.୬୮ ଏମ୍‌ଟି ରହିଥିବା ବେଳେ ଏଲ୍‌ଏମ୍‌ଓ ଦ୍ୱାରା ୩୭୫ ଏମ୍‌ଟି ରହିଛି। ଅକ୍ସିଜେନ୍ ଉତ୍ପାଦନରେ ଓଡ଼ିଶା ବଳକା ରାଜ୍ୟ ରହିଛି । ତେଣୁ ରାଜ୍ୟ ପକ୍ଷରୁ ଏବେ ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ଛତିଶଗଡ଼, ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଓ ଦିଲ୍ଲୀକୁ ଏଲ୍‌ଏମ୍‌ଓ ଯୋଗାଇ ଦିଆଯାଉଛି।

ଓଡ଼ିଶାରେ ପର୍ଯ୍ୟାପ୍ତ ମାତ୍ରାରେ ରେମିଡେସିଭିର୍, ଫାଭିପିରାଭିର ଓ ଅନ୍ୟାନ୍ୟ ନିର୍ଦ୍ଧାରିତ ଔଷଧ ଉପଲବ୍ଧ ରହିଛି। ରାଜ୍ୟରେ ୪୧୬୦୧ ଭାଏଲ୍ସ ଅଫ୍ ରେମିଡେସିଭର ତଥା ୫୭୬୮୭୪ ଫାଭିପିରାଭିର୍ ଟାବ୍‌ଲେଟ୍ ରହିଛି।

ସ୍ୱାସ୍ଥ୍ୟ ଭିତ୍ତିଭୂମି ତଥା ଶଯ୍ୟାର ଉପଲବ୍ଧତା ସମ୍ପର୍କରେ ସତ୍ୟପାଠରେ କୁହାଯାଇଛି ଯେ ରାଜ୍ୟରେ ସମର୍ପିତ ଭୋଭିଡ୍ କେନ୍ଦ୍ର ଓ ସମର୍ପିତ କୋଭିଡ୍ ହସ୍‌ପିଟାଲର ସମୁଦାୟ ୬୩ଟି କେନ୍ଦ୍ର ରହିଛି। ଯେଉଁଥିରେ ୮୨୦୭ ଅକ୍ସିଜେନ୍ ସହାୟତା ସାଧାରଣ ଶଯ୍ୟା ତଥା ୨୦୨୦ ଆଇସିୟୁ/ଏଚ୍‌ଡିୟୁ ରହିଛି। ଏତ୍‌ଦବ୍ୟତୀତ ୭୦୧ ଭେଣ୍ଟିଲେଟର ବ୍ୟବସ୍ଥା କରାଯାଇଛି। ରାଜ୍ୟରେ ୧୩୨ଟି କୋଭିଡ୍ କେୟାର ସେଣ୍ଟରରେ ୧୯୬୩୯ ସଂଖ୍ୟକ ଶଯ୍ୟା ରହିଛି। ଏପ୍ରିଲ ୨୭ ସୁଦ୍ଧା ୨୯୬୫ ରୋଗୀ ସାଧାରଣ ଶଯ୍ୟାରେ ଓ ୧୦୮୫ ରୋଗୀ ଆଇସିୟୁରେ ଅଛନ୍ତି। ରାଜ୍ୟସରକାରଙ୍କ ଦ୍ୱାରା କୋଭିଡ୍ ବ୍ୟବହାର ତଦାରଖ ପାଇଁ ବିଶେଷଜ୍ଞ ଟିମ୍ ଗଠନ କରାଯାଇଥିବା ଉଲ୍ଲେଖ କରାଯାଇଛି।

ଆସନ୍ତାକାଲି ସୁପ୍ରିମକୋର୍ଟର ବିଚାରପତି ଡି. ୱାଇ. ଚନ୍ଦ୍ରଚୁଡ଼ଙ୍କ ନେତୃତ୍ୱରେ ବିଚାରପତି ଏଲ୍‌. ଏନ୍. ରାଓ ଓ ବିଚାରପତି ରବୀନ୍ଦ୍ର ଭଟ୍ଟଙ୍କୁ ନେଇ ଗଠିତ ଖଣ୍ଡପୀଠ କରୋନା ମହାମାରୀ ମୁକାବିଲା ସମ୍ପର୍କିତ ମାମଲାର ଶୁଣାଣି କରିବାକୁ ଯାଉଥିବା ବେଳେ ଆଜି ରାଜ୍ୟ ସରକାର ଏହି ସତ୍ୟପାଠ ଦାଖଲ କରିଛନ୍ତି।

ସମ୍ବନ୍ଧିତ ଖବର