ବିକ୍ରମ ଲାଣ୍ଡରକୁ ସକ୍ରିୟ କରିବାକୁ ପ୍ରୟାସ ଜାରି; ଲଗାତାର କମାଣ୍ଡ୍ ପଠାଯାଉଛି: ଇସ୍ରୋ

ଚେନ୍ନାଇ: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଆଜି ବୟାନ ଜାରି କରି କହିଛି ଯେ ଚନ୍ଦ୍ରଯାନ-୨ର ବିକ୍ରମ ଲ୍ୟାଣ୍ଡର୍‌ ସହିତ ସଂପର୍କ ସ୍ଥାପନ ପାଇଁ ବ୍ୟାପକ ପ୍ରୟାସ ଜାରି ରହିଛି । ଚନ୍ଦ୍ରଯାନର ଅର୍ବିଟର ମାଧ୍ୟମରେ ବିକ୍ରମର ସଠିକ୍‌ ଅବସ୍ଥିତି ଜଣାପଡ଼ିବା ପରେ ଏହାକୁ ସକ୍ରିୟ କରିବା ପାଇଁ ସିଗ୍‌ନାଲ ପଠାଉଛି। ଇସ୍ରୋ ଏବେ ପ୍ରତିଦିନ ବିକ୍ରମ ଲ୍ୟାଣ୍ଡର୍‌କୁ ଭିନ୍ନ ଭିନ୍ନ କମାଣ୍ଡ ପଠାଉଛି। ଲ୍ୟାଣ୍ଡର୍‌ କୌଣସି କମାଣ୍ଡରେ ଯଦି ସକ୍ରିୟ ହୋଇଯିବ ତା’ହେଲେ ଅନେକ କିଛି ହାସଲ ହୋଇପାରିବ।

ଲ୍ୟାଣ୍ଡର୍‌ ବିକ୍ରମର ଫ୍ରିକ୍ବେଂସିକୁ ନେଇ ଏହା ସହିତ ଯୋଗାଯୋଗ କରିବାକୁ ଇସ୍ରୋ ଅହରହ ପ୍ରୟାସ କରୁଛି । ତେବେ ଏ ପର୍ଯ୍ୟନ୍ତ ପଠାଯାଇଥିବା କୌଣସି କମାଣ୍ଡ୍‌ରେ ମଧ୍ୟ ସଫଳତା ମିଳିନାହିଁ। କର୍ଣ୍ଣାଟକର ଏକ ଗ୍ରାମ ବୟାଲାଲୁରେ ଲଗାଯାଇଥିବା ୩୨ ମିଟର ଏଣ୍ଟିନାକୁ ଏଥିପାଇଁ ବ୍ୟବହାର କରାଯାଉଛି। ଏହାର ସ୍ପେସ୍‌ ନେଟ୍‌ୱର୍କ ସେଣ୍ଟର ବେଙ୍ଗାଲୁରୁରେ ରହିଛି। ଅର୍ବିଟର ମାଧ୍ୟମରେ ବିକ୍ରମ ସହିତ ସଂପର୍କ ସ୍ଥାପନ ପାଇଁ ଇସ୍ରୋର ଏକ ଟିମ୍‌ ପ୍ରୟାସ ଜାରି ରଖିଛନ୍ତି। ବିକ୍ରମର ତିନି ପାର୍ଶ୍ବରେ ଟ୍ରାନ୍ସପୋଣ୍ଡର୍ସ ଏବଂ ଗୋଟି ପାର୍ଶ୍ବରେ ଏଣ୍ଟିନା ରହିଛି। ଏହି ଏଣ୍ଟିନା ଉପରେ ଆଉ ଏକ ଷ୍ଟ୍ରକ୍‌ଚର ରହିଛି। ବିକ୍ରମ ଏହି ଯନ୍ତ୍ରପାତି ଦ୍ବାରା ପୃଥିବୀରୁ ପଠାଯାଉଥିବା କମାଣ୍ଡ୍‌କୁ ଗ୍ରହଣ କରିବ ଏବଂ ଏହାର ଜବାବ ଦେବ। ବିକ୍ରମର ବାହାର ଅଂଶରେ ସୋଲାର ପ୍ୟାନେଲ ଲଗାଯାଇଛି। ଯଦି ବିକ୍ରମ ନିର୍ଦ୍ଧାରିତ ଯୋଜନା ମୁତାବକ ଲ୍ୟାଣ୍ଡିଂ କରିଥିବ, ତା’ହେଲେ ଏହା ସୂର୍ଯ୍ୟଠାରୁ ଶକ୍ତି ନେଇ ସକ୍ରିୟ ରହିପାରିବ। ତେବେ ଏଥିପାଇଁ ବିକ୍ରମର ଅନ୍ୟ କେତେକ ଯନ୍ତ୍ରାଂଶ ସୁରକ୍ଷିତ ଥିଲେ ହିଁ ଏହା ସମ୍ଭବ ହୋଇପାରିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର