କଶ୍ମୀରରେ ବ୍ୟାପକ ହିଂସା ଉଦ୍ୟମ; ପୁଣି କଟକଣା କଠୋର ହେଲା କଟକଣା

ଶ୍ରୀନଗର: ଜାତିସଂଘରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଉତ୍ତେଜନାମୂଳକ ଭାଷଣ ପରେ କଶ୍ମୀରରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ପୂର୍ବରୁ ଆଂଶିକ କୋହଳ କରାଯାଇଥିବା କଟକଣା ଓ ୧୪୪ ଧାରାକୁ ପୁଣି ଅନେକ ଅଂଚଳରେ କଡ଼ାକଡ଼ି ଭାବେ ଲାଗୁ ହୋଇଛି। କୌଣସି ବ୍ୟକ୍ତି ଲୋକଙ୍କୁ ନ ଧମକାଇବା ଏବଂ ହିଂସା ସୃଷ୍ଟି କଲାଭଳି ଉଦ୍ୟମ ନ କରିବାକୁ ସୁରକ୍ଷା ବାହିନୀ ଚେତାବନୀ ଦେଇଛି। ୧୪୪ ଧାରାକୁ ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ଆଜି ପୁଲିସ୍‌ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ସୂଚନାଯୋଗ୍ୟ, କଶ୍ମୀର ଉପତ୍ୟକାରୁ ଧାରା ୩୭୦ ଉଚ୍ଛେଦ ପରେ ଗତ ଅଗଷ୍ଟ ୫ ତାରିଖରୁ କର୍ଫ୍ୟୁ ଜାରି ହୋଇଛି। ତେବେ ଏଠାରେ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଉତ୍ତେଜନାମୂଳକ ଭାଷଣ ଏବଂ ହିଂସା ପାଇଁ ପରୋକ୍ଷ ଆହ୍ବାନ ଏଠାରେ ପରିସ୍ଥିତିକୁ ପୁଣି ଜଟିଳ କରିଦେଇଛି। ଶ୍ରୀନଗର ସମେତ ସମଗ୍ର ଦକ୍ଷିଣ କଶ୍ମୀରରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି।

ଆଜି ସକାଳେ ସ୍ବାଭାବିକ ଭାବେ ଦୋକାନ ବଜାର ଖୋଲିବା ପରେ ବିଚ୍ଛିନ୍ନତାବାଦୀ ଏବଂ ହିଂସା ସୃଷ୍ଟିକାରୀ ଯୁବ ଗୋଷ୍ଠୀ ଲୋକଙ୍କୁ ଧମକ ଦେବା ଆରମ୍ଭ କରିଥିଲେ। ଏହାକୁ ନେଇ ବିଭିନ୍ନ ସ୍ଥାନରେ ଉତ୍ତେଜନା ଦେଖା ଦେଇଥିଲା। ବିଭିନ୍ନ ସ୍ଥାନରେ ପୁଲିସ ଫାଣ୍ଡି ଏବଂ ସୁରକ୍ଷା ବାହିନୀ ଉପରେ ପଥର ଆକ୍ରମଣ ପାଇଁ ପ୍ରୟାସ ହୋଇଥିଲା। ତେବେ ତ୍ବରିତ କାର୍ଯ୍ୟାନୁଷ୍ଠାନ ଯୋଗୁଁ କୌଣସି ସ୍ଥାନରେ ହିଂସା ଭିଆଇବାକୁ ବିଚ୍ଛିନ୍ନତାବାଦୀମାନେ ସକ୍ଷମ ହୋଇନାହାନ୍ତି। ଶ୍ରୀନଗରର ଅଧିକାଂଶ ସ୍ଥାନରେ ଆଜି ବ୍ୟାରିକେଡ଼୍‌ ନିର୍ମାଣ କରାଯାଇଛି ଏବଂ ସମ୍ବେଦନଶୀଳ ଅଂଚଳରେ ସେନା ମୁତୟନ ବଢ଼ାଇ ଦିଆଯାଇଛି । ଦକ୍ଷିଣ କଶ୍ମୀରର ଅବନ୍ତୀପୁରା ଏବଂ ଅନନ୍ତନାଗରେ ମଧ୍ୟ କଟକଣାକୁ ଅଧିକ କଠୋର କରାଯାଇଛି। ଆଜି ଉତ୍ତର ଶ୍ରୀନଗରର ନୱାକାଦାଲ ଅଞ୍ଚଳରେ ଆତଙ୍କବାଦୀମା‌ନେ ଗ୍ରେନେଡ଼୍‌ ମାଡ଼ କରିଛନ୍ତି ବୋଲି ଶ୍ରୀନଗର ଏସ୍‌ପି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର