ସୁପ୍ରିମକୋର୍ଟରେ ପୋଲାଭରମ ପ୍ରକଳ୍ପ ମାମଲା : ମୁଖ୍ୟ ପ୍ରସଙ୍ଗର ତାଲିକା ଦାଖଲ କଲେ ଓଡ଼ିଶା ଓ ତେଲେଙ୍ଗାନା

ନୂଆଦିଲ୍ଲୀ : ପୋଲାଭରମ ବହୁମୁଖୀ ପ୍ରକଳ୍ପ ମାମଲାରେ ବିଭିନ୍ନ ଆଇନଗତ ଦିଗକୁ ତର୍ଜମା କରିବା ପାଇଁ ଓଡ଼ିଶା ଓ ତେଲେଙ୍ଗାନା ପକ୍ଷରୁ ସୁପ୍ରିମକୋର୍ଟରେ ମୁଖ୍ୟ ପ୍ରସଙ୍ଗଗୁଡ଼ିକର ତାଲିକା ଦାଖଲ କରାଯାଇଛି। ଏହି ମାମଲା ସମ୍ପର୍କୀତ ମୁଖ୍ୟ ପ୍ରସଙ୍ଗଗୁଡ଼ିକର ତାଲିକା ଦାଖଲ କରିବା ପାଇଁ ପକ୍ଷଭୁକ୍ତ ୬ ରାଜ୍ୟଙ୍କୁ ସୁପ୍ରିମକୋର୍ଟ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ। ଏହି ପ୍ରସଙ୍ଗଗୁଡ଼ିକ ଆଧାରରେ ସୁପ୍ରିମକୋର୍ଟ ପରବର୍ତ୍ତୀ ପଦକ୍ଷେପ ନେବେ। ଓଡ଼ିଶା ସରକାର ମୋଟ ୧୨ଟି ପ୍ରସଙ୍ଗର ସୂଚୀ ପ୍ରସ୍ତୁତ କରି ଖଣ୍ଡପୀଠଙ୍କୁ ହସ୍ତଗତ କରିଛନ୍ତି। ଗୋଦାବରୀ ଟ୍ରିବ୍ୟୁନାଲ ସର୍ତ୍ତ ମୁତାବକ ପୋଲାଭରମ ପ୍ରକଳ୍ପ ପୂର୍ବରୁ ଇନ୍‌ଚମ୍‌ପଲ୍ଲୀ ପ୍ରକଳ୍ପକୁ କାହିଁକି କାର୍ଯ୍ୟକାରୀ କରାଯାଇ ନାହିଁ, ବନ୍ୟାଜଳ ନିଷ୍କାସନ କ୍ଷମତାକୁ ବୃଦ୍ଧି କରାଯିବା, ଓଡ଼ିଶାରେ ପ୍ରକଳ୍ପ ଯୋଗୁଁ ବ୍ୟାକ ଓ୍ଵାଟରର ପ୍ରଭାବ କ’ଣ ରହିବ, ବନ୍ୟାଜଳ ନିଷ୍କାସନ କ୍ଷମତା ବୃଦ୍ଧି ପୂର୍ବରୁ ଓଡ଼ିଶା ସରକାରଙ୍କ ଦ୍ୱାରା ବିଚାରବିମର୍ଶ କାହିଁକି କରାଯାଇ ନାହିଁ, ମାଲକାନଗିରିର ମୋଟୁ ଓ କୋଣ୍ଠା ଅଞ୍ଚଳରେ ବ୍ୟାକ ଓ୍ଵାଟର ପ୍ରଭାବର ଅଧ୍ୟୟନ କରାଯାଇଛି ନା ନାହିଁ, ବନ୍ୟାଜଳ ନିଷ୍କାସନ କ୍ଷମତା ବୃଦ୍ଧି ପାଇଁ ବୈଷୟିକ ମଞ୍ଜୁରି ନିଆଯାଇଛି ନା ନାହିଁ, ୧୯୭୮ର ବିସ୍ତତ ରିପୋର୍ଟ ପ୍ରକଳ୍ପ ରିପୋର୍ଟ ମୁତାବକ ଆଡିବନ୍ଧ ନିର୍ମାଣର ପ୍ରସ୍ତାବ ରହିଛି ନା ନାହିଁ ବୋଲି ଓଡ଼ିଶା ସରକାର ତାଙ୍କ ପ୍ରସଙ୍ଗ ସୂଚୀରେ ଉଲ୍ଳେଖ କରିଛନ୍ତି। ଅପରପକ୍ଷେ ତେଲେଙ୍ଗାନା ସରକାର ୫ଟି ପ୍ରମୁଖ ପ୍ରସଙ୍ଗକୁ ତାଙ୍କ ସୂଚୀରେ ସାମିଲ କରିଛନ୍ତି। ଛତିଶଗଡ଼ ସରକାର ମଧ୍ୟ ଖୁବ ଶୀଘ୍ର ଏ ସଂକ୍ରାନ୍ତ ପ୍ରସଙ୍ଗ ସୂଚୀ ଖଣ୍ଡପୀଠଙ୍କ ନିକଟରେ ଦାଖଲ କରିବେ ବୋଲି ତାଙ୍କ ଆଇନଜୀବୀ ଅତୁଲ ଝା କହିଛନ୍ତି।

ସମ୍ବନ୍ଧିତ ଖବର