ଆଗ୍ନେୟଗିରି ବିସ୍ଫୋରଣ ପରେ ଆମେରିକା, ଜାପାନରେ ସୁନାମି ଆଲର୍ଟ

ଲଣ୍ଡନ: ଦକ୍ଷିଣ ପ୍ରଶାନ୍ତ ଦ୍ୱୀପପୁଞ୍ଜର ପଲିନେସିଆର ଟୋଙ୍ଗାରେ ସମୁଦ୍ର ଭିତରେ ଏକ ବୃହତ୍ ଆଗ୍ନେୟଗିରି ଉତ୍ପନ୍ନ ହେବା ପରେ ଆମେରିକାର ପଶ୍ଚିମ ତଟ, ଆଲାସ୍କା, ଜାପାନ ଏବଂ ହାୱାଇର ସମୁଦ୍ର କୂଳିଆ ଅଞ୍ଚଳରେ ସୁନାମି ଚେତାବନୀ ଜାରି କରାଯାଇଛି। ଆଗ୍ନେୟଗିରି ବିସ୍ଫୋରଣ ପରେ ଦକ୍ଷିଣ ପ୍ରଶାନ୍ତ ଦ୍ୱୀପପୁଞ୍ଜରେ ବଡ଼ ବଡ଼ ଢେଉ ଉଠିଛି। ଏପରିକି ଲୋକମାନଙ୍କ ଘର ଭିତରେ ଉଚ୍ଚା ଢେଉ ପଶୁଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ହାୱାଇରେ ବର୍ତ୍ତମାନ ସୁନାମି ଦେଖାଦେଇଛି, କିନ୍ତୁ ଦ୍ୱୀପପୁଞ୍ଜରେ ସାମାନ୍ୟ ବନ୍ୟା ପରିସ୍ଥିତି ବ୍ୟତୀତ କୌଣସି କ୍ଷୟକ୍ଷତି ହୋଇନାହିଁ। ଗତ ୧୪ ଓ ୧୫ ତାରିଖରେ ହୁଙ୍ଗା-ଟୋଙ୍ଗା-ହୁଙ୍ଗା-ହାପାଇ ଆଗ୍ନେୟଗିରି ଉଦ୍‌ଗୀରଣ ହୋଇଥିଲା। ଟୋଙ୍ଗାରେ ପାଣି ଭିତରେ ଆଗ୍ନେୟଗିରି ଉଦ୍‌ଗୀରଣ ହେତୁ ଏହାର ବୃହତ ପ୍ରଭାବକୁ ଦୃଷ୍ଟିରେ ରଖି ଆମେରିକାର ଜାତୀୟ ପାଣିପାଗ ସେବା ପଶ୍ଚିମ ତଟରେ କାଲିଫର୍ଣ୍ଣିଆ ସମେତ ଆଲାସ୍କାଠାରେ ସୁନାମି ଆଲର୍ଟ ଜାରି କରି ଦୁଇ ଫୁଟ ଉଚ୍ଚର ଲହଡ଼ି, ଶକ୍ତିଶାଳୀ ରିପ୍ କରେଣ୍ଟ ସୃଷ୍ଟି ହେବାର ପୂର୍ବାନୁମାନ କରିଛି। ଏଥିସହିତ ଉପକୂଳବର୍ତ୍ତୀ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବ ବୋଲି ସତର୍କ ସୂଚନା ଜାରି କରାଯାଇଛି। ଆଜି ଜାପାନର ପାଣିପାଗ ବିଭାଗ ସୁନାମି ଚେତାବନୀ ଦେଇଛି ଏବଂ ଦକ୍ଷିଣରେ ଥିବା ଦ୍ୱୀପପୁଞ୍ଜରେ ତିନି ମିଟର ଉଚ୍ଚର ଢେଉ ଆଶା କରାଯାଉଛି ବୋଲି କହିଛି। ସୁନାମି ଚେତାବନୀ ହଟାଯିବା ପର୍ଯ୍ୟନ୍ତ ଲୋକମାନେ ସମୁଦ୍ର ନିକଟକୁ ନଯିବା ପାଇଁ କୁହାଯାଇଛି।

ସମ୍ବନ୍ଧିତ ଖବର