ଇସଲାମାବାଦ: ପାକିସ୍ତାନର ଦକ୍ଷିଣ ୱଜିରିସ୍ତାନରେ ଆଜି ସକାଳେ ପାକିସ୍ତାନୀ ସେନାର ଏକ କନ୍ଭୟ ଉପରେ ତେହରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି) ପ୍ରଚଣ୍ଡ ଆକ୍ରମଣ କରିଛି। ଏହି ଆକ୍ରମଣରେ ୧୨ ଜଣ ସୈନିକ ନିହତ ହୋଇଥିବା ବେଳେ ଚାରି ଜଣ ଆହତ ହୋଇଛନ୍ତି। ଏହି ଆକ୍ରମଣ ପାଇଁ ଟିଟିପି ନିଜକୁ ଦାୟୀ କରି ମିଡିଆରେ ବିବୃତି ଜାରି କରିଛି। ଆକ୍ରମଣକାରୀମାନେ ମେସିନ୍ଗନ୍ ବ୍ୟବହାର କରି ରାସ୍ତାର ଉଭୟ ପାର୍ଶ୍ୱରୁ ଗୁଳିବର୍ଷା କରିଥିଲେ ଓ ସୈନିକଙ୍କ ଅସ୍ତ୍ର ମଧ୍ୟ ଲୁଟି ନେଇଥିଲେ।
ଖୈବର ପଖତୁନଖ୍ୱା ପ୍ରଦେଶର ଏହି ଅଞ୍ଚଳ ଦୀର୍ଘ ଦିନ ଧରି ଆତଙ୍କବାଦୀ କାର୍ଯ୍ୟକଳାପର କେନ୍ଦ୍ର ରହିଛି। ୨୦୧୪ରେ ପାକିସ୍ତାନ ସେନାର ବଡ଼ ଅପରେସନ ପରେ ଟିଟିପିର ପ୍ରଭାବ ହ୍ରାସ ପାଇଥିଲା, କିନ୍ତୁ ୨୦୨୧ରେ ଆଫଗାନିସ୍ତାନରେ ତାଲିବାନ ପୁଣି ଥରେ କ୍ଷମତା ହାସଲ କରିବା ପରେ ଆତଙ୍କୀ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ପାକିସ୍ତାନ ଅଭିଯୋଗ କରିଛି ଯେ ଆଫଗାନିସ୍ତାନରୁ ଆତଙ୍କବାଦୀମାନେ ସୀମାପାର ଆକ୍ରମଣ କରୁଛନ୍ତି। ତେବେ ଆଫଗାନ କର୍ତ୍ତୃପକ୍ଷ ଏହାକୁ ଅସ୍ୱୀକାର କରିଛନ୍ତି। ସ୍ଥାନୀୟ ଲୋକେ ଟିଟିପିର ଶକ୍ତିବୃଦ୍ଧି ଓ କାୟାବିସ୍ତାର ଦେଖି ଆତଙ୍କିତ ହୋଇପଡ଼ିଛନ୍ତି। ୨୦୨୫ରେ ଏ ପର୍ଯ୍ୟନ୍ତ ଖୈବର ପଖତୁନଖ୍ୱା ଓ ବଲୁଚିସ୍ତାନରେ ପ୍ରାୟ ୪୬୦ ଜଣ ସୁରକ୍ଷା କର୍ମୀ, ଆତଙ୍କବାଦୀ ଆକ୍ରମଣରେ ନିହତ ହୋଇଛନ୍ତି।