ଶିଶୁ ଦିବସରେ ୫୦ରୁ ଊର୍ଧ୍ବ ପିଲାଙ୍କୁ ନେଇ ଯାଉଥିବା ବେଳେ ଓଲଟିଲା ସ୍କୁଲ ବସ: ୨ମୃତ, ଅନେକ ଗୁରୁତର

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ସିତାରଗଞ୍ଜରେ ଏକ ସ୍କୁଲବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଦୁଇଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି। ଯେଉଁ ସମୟରେ ଏହି ଦୁର୍ଘଟଣା ଘଟିଛି ସେହି ସମୟରେ ବସରେ ୫୦ରୁ ଊର୍ଧ୍ବ ଛାତ୍ରଛାତ୍ରୀଙ୍କ ସମେତ ସ୍କୁଲ ଷ୍ଟାଫ ବି ଥିବା ସୂଚନା ମିଳୁଛି।

ତେବେ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ କେଉଁ କାରଣରୁ ବସ ଓଲଟି ପଡ଼ିଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳି ପାରି ନଥିଲା। ତେବେ ଦୁର୍ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟଲୋକ ଘଟଣାସ୍ଥଳକୁ ଦୌଡ଼ି ଯାଇ ବସ ଭିତରୁ ଛାତ୍ରଛାତ୍ରୀଙ୍କୁ ବାହାର କରି ଗୁରୁତର ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ।

ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଏହି ଦୁର୍ଘଟଣା ସମ୍ପର୍କରେ ଟୁଇଟ କରି ସୂଚନା ଦେଇ କହିଛନ୍ତି, ନୟାଗାଁ ଭଟ୍ଟେ(ସିତାରଗଞ୍ଜ)ରେ ବେଦରାମ ସ୍କୁଲ, କିଚ୍ଛାର ବସ ଦୁର୍ଘଟଣାଗ୍ରସ୍ତ ହୋଇଥିବାର ଦୁଃଖ ଖବର ପ୍ରାପ୍ତ ହୋଇଛି। ଏହି ଦୁର୍ଘଟଣାରେ ଦୁଇଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ହୋଇଛନ୍ତି। ପ୍ରଶାସନ ଓ ସ୍ଥାନୀୟଲୋକଙ୍କ ସାହାଯ୍ୟରେ ଗୁରୁତରଙ୍କୁ ଉଦ୍ଧାର କରି ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପ୍ରକାଶିତ ରିପୋେର୍ଟ ମୁତାବକ, ଶିଶୁ ଦିବସ ଅବସରରେ ନାନକମତ୍ତା ଗୁରୁଦ୍ବାରକୁ ବୁଲିବାକୁ ଯାଉଥିବା ସମୟରେ ଏହି ବସ ସିତାରଗଞ୍ଜ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଘଟଣାସ୍ଥଳରେ ଡିଏମଙ୍କ ସହିତ ପୁଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

 

ସମ୍ବନ୍ଧିତ ଖବର