ଭୁବନେଶ୍ବର : ଜନଜାତି ବ୍ୟାପାର ମନ୍ତ୍ରଣାଳୟ ଓ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଟିବି ବିଭାଗ ରାଷ୍ଟ୍ରୀୟ ଜନଜାତି ଅନୁସନ୍ଧାନ ସଂସ୍ଥାନ (ଏନ୍ଟିଆର୍ଆଇ) ନୂଆଦିଲ୍ଲୀରେ ‘ଜନଜାତି ଟିବି ପଦକ୍ଷେପ’ ଅଧୀନରେ ୧୦୦ ଦିବସୀୟ ଆଶ୍ୱାସନ ଅଭିଯାନର ବିଶେଷତାଗୁଡ଼ିକୁ ପ୍ରଚାର କରିବା ନିମନ୍ତେ ଗତ ୨୪ ତାରିଖରେ ଏକ ଜାତୀୟ ସମ୍ମିଳନୀର ଆୟୋଜନ କରିଥିଲେ। ‘ଜନଜାତି ଟିବି ପଦକ୍ଷେପ’ ଜନଜାତି ବ୍ୟାପାର ମନ୍ତ୍ରଣାଳୟ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର କେନ୍ଦ୍ରୀୟ ଟିବି ପ୍ରଭାଗର ଏହା ଥିଲା ଏକ ମିଳିତ ପଦକ୍ଷେପ । ୟୁଏସ୍ଏଆଇଡି ଏହାର ବୈଷୟିକ ଭାଗିଦାର ଏବଂ ପିରାମଲ୍ ସ୍ୱାସ୍ଥ୍ୟ କାର୍ଯ୍ୟାନ୍ୱୟନ ଭାଗିଦାର ଅଛନ୍ତି।
ଜନଜାତି ଟିବି ପଦକ୍ଷେପ ଆଧାରରେ ଭାରତର ୧୭୪ ଜନଜାତି ଜିଲ୍ଲାଗୁଡ଼ିକରେ ଟିବିର ସକ୍ରିୟ ମାମଲାଗୁଡ଼ିକ ସମ୍ପର୍କରେ ଜାଣିବା ପାଇଁ ଆଶ୍ୱାସନ ଅଭିଯାନ ଚଳିତ ବର୍ଷ ୭ ଜାନୁଆରିରୁ ଆରମ୍ଭ କରାଯାଇଥିଲା । ମହାରାଷ୍ଟ୍ରର ନନ୍ଦୁରବାର ଜିଲ୍ଲାରେ ଏହାର ଶୁଭାରମ୍ଭ କରାଯାଇଥିଲା । ଏହି ପଦକ୍ଷେପ ଅଧୀନରେ ୬୮ ହଜାର ୧୯ଟି ଗ୍ରାମରେ ଘରକୁ ଘର ବୁଲି ଯାଂଚ କରାଯାଇଛି । ଏକ କୋଟି ୩ ଲକ୍ଷ ୭ ହଜାର ୨୦୦ ଜଣ ଲୋକଙ୍କୁ ମୌଖିକ ଯାଂଚ ଆଧାରରେ, ୩ ଲକ୍ଷ ୮୨ ହଜାର ୮୧୧ ଲୋକଙ୍କୁ ଟିବି ହୋଇଥିବା ଅନୁମାନ କରାଯାଇ ଚିହ୍ନଟ କରାଯାଇଥିଲା । ଏହା ମଧ୍ୟରୁ ୨ ଲକ୍ଷ ୭୯ ହଜାର ୩୨୯ (୭୩ ପ୍ରତିଶତ) ନମୁନାକୁ ଟିବି ପରୀକ୍ଷା ନିମନ୍ତେ ଯାଂଚ କରାଯାଇଥିଲା ଏବଂ ୯ ହଜାର ୯୭୧ ଲୋକଙ୍କୁ ଟିବି ହୋଇଥିବା ଜଣାପଡ଼ିଥିଲା। ଆକ୍ରାନ୍ତମାନଙ୍କୁ ଭାରତ ସରକାରଙ୍କର ନିୟମ ଅନୁସାରେ ଚିକିତ୍ସା କରା ଯାଉଛି ।
ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଜନଜାତି ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ ନବଲଜିତ୍ କପୁର କହିଛନ୍ତି, ଆଶ୍ୱାସନ ଅଭିଯାନ ପ୍ରାୟ ୨ ଲକ୍ଷ ଗୋଷ୍ଠୀ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କୁ ଗୋଟିଏ ମଂଚକୁ ନେଇ ଆସିଛି। ସେ ପିରାମଲ୍ ଫାଉଣ୍ଡେସନ୍ ଏବଂ ୟୁଏସ୍ଏଆଇଡି ଦ୍ୱାରା କରାଯାଇଥିବା ପ୍ରୟାସଗୁଡ଼ିକୁ ପ୍ରଶଂସା କରିଥିଲେ। ଯେଉଁମାନେ କେନ୍ଦ୍ରୀୟ ଟିବି ପ୍ରଭାଗ, ରାଜ୍ୟ ଟିବି ଅଧିକାରୀମାନଙ୍କ ଏବଂ ଜିଲ୍ଲା ଟିବି ଅଧିକାରୀ ମାନଙ୍କ ସହିତ ମିଶି ଏକାଠି କାର୍ଯ୍ୟ କରିଛନ୍ତି । ସେ ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟ ବିଭାଗକୁ ଭିତ୍ତିଭୂମି ସଂରଚନାର ବ୍ୟବଧାନକୁ ବିଶ୍ଳେଷଣ କରିବା ଏବଂ ରାଜ୍ୟର ସମ୍ବନ୍ଧିତ ଜନଜାତି କଲ୍ୟାଣ ବିଭାଗ ମାଧ୍ୟମରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଜନଜାତି ବ୍ୟାପାର ମନ୍ତ୍ରଣାଳୟ ଠାରୁ ପାଣ୍ଠି ପ୍ରାପ୍ତ କରିବା ପାଇଁ କହିଥିଲେ ।
ବିବେକାନନ୍ଦ ଗିରି, ଡିଡିଜି କେନ୍ଦ୍ରୀୟ ଟିବି ଡିଭିଜନ୍ ସିଟିଡିର ଜନଜାତି ଟିବି ପଦକ୍ଷେପ ଉପସ୍ଥାପିତ କରିଥିଲେ । ଏଡିଜି ଡଃ ରଘୁରାମ ରାଓ କହିଥିଲେ ଯେ, କେନ୍ଦ୍ର ଟିବି ପ୍ରଭାଗ ଟିବିକୁ ଦୂର କରିବା ନିମନ୍ତେ ଜନଜାତି ଗୋଷ୍ଠୀ ଗୁଡିକଙ୍କ ସହିତ ମିଶି ଏକାଠି କାର୍ଯ୍ୟ କରିବା ପାଇଁ ଆଗ୍ରହୀ ଅଟନ୍ତି । କାର୍ଯ୍ୟକ୍ରମରେ ୟୁଏସ୍ଏଆଇଡି ଇଣ୍ଡିଆର ସ୍ୱାସ୍ଥ୍ୟ ନିର୍ଦ୍ଦେଶକ, ସୁଶ୍ରୀ ସଙ୍ଗୀତା ପଟେଲ୍ ଡଃ ଶୋଭା ଏକ୍କା ଓ ପିରାମଲ୍ ସ୍ୱାସ୍ଥ୍ୟର ଚିଫ୍ ଅଫ୍ ପାର୍ଟି ପ୍ରମୁଖ ଯୋଗ ଦେଇଥିଲେ।