ଟୁଲ୍‌କିଟ୍‌ ମାମଲା: ଦିଶା ରବିଙ୍କୁ ଜାମିନ

ଲୋକମାନେ ଗଣତନ୍ତ୍ରର ବିବେକ ରକ୍ଷକ, ସହିତ ଦିଶାଙ୍କର ପ୍ରତ୍ୟକ୍ଷ ସଂପର୍କ ନାହିଁ

ନୂଆଦିଲ୍ଲୀ: ଟୁଲ୍‌କିଟ୍‌ ମାମଲାରେ ବେଙ୍ଗାଲୁରୁରୁ ଗିରଫ ହୋଇଥିବା ଜଳବାୟୁ କର୍ମୀ ଦିଶା ରବିଙ୍କୁ ଦିଲ୍ଲୀର ଏକ ଅଦାଲତ ଆଜି ଜାମିନ ଦେଇଛନ୍ତି। ପଟିଆଲା ସେସନ୍ସ କୋର୍ଟର ଅତିରିକ୍ତ ବିଚାରପତି ଧର୍ମେନ୍ଦ୍ର ରାଣା ଦିଶାଙ୍କୁ ଏକ ଲକ୍ଷ ଟଙ୍କା ମୁଚାଳିକାରେ ଜାମିନ ପ୍ରଦାନ କରିଛନ୍ତି।
ତେବେ ଦିଶାଙ୍କୁ ଜାମିନ ପ୍ରଦାନ କରିବା ସମ‌ୟରେ ବିଚାରପତି ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ସରକାରଙ୍କ ସହ ସହମତ ନେହଉଥିବା ଲୋକଙ୍କୁ ଜେଲ୍‌ ପଠାଯାଇ ପାରିବ ନାହିଁ ବୋଲି କୋର୍ଟ କହିଛନ୍ତି। ଯେକୌଣସି ଗଣତାନ୍ତ୍ରିକ ରାଷ୍ଟ୍ରରେ ଲୋକମାନେ ଗଣତନ୍ତ୍ରର ବିବେକ ରକ୍ଷକ ବୋଲି ବିଚାରପତି ତାଙ୍କ ଜାମିନ ନିର୍ଦ୍ଦେଶରେ ଉଲ୍ଲେଖ କରିଛନ୍ତି। ଜାନୁଆରି୨୬ ତାରିଖ ହିଂସା ସହିତ ଦିଶାଙ୍କର କୌଣସି ପ୍ରତ୍ୟକ୍ଷ ସଂପର୍କ ନାହିଁ। ହ୍ବାଟ୍‌ସଆପ୍‌ ଗ୍ରୁପ୍ ଗଠନ କରିବା କିମ୍ବା ଟୁଲ୍‌କିଟ୍‌ର ସମ୍ପାଦକ ହେବା ‌ଅପରାଧ ନୁହେଁ। ସେହିଭଳି ଦିଶା ଓ ନିଷିଦ୍ଧ ଘୋଷିତ ସଂଗଠନ ‘ଶିଖ୍‌ସ ଫର୍‌ ଜଷ୍ଟିସ୍‌’ ମଧ୍ୟରେ କୌଣସି ସଂପର୍କ ନାହିଁ ବୋଲି ବିଚାରପତି ତାଙ୍କ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି।

ସରକାରଙ୍କ ଅଂହକୁ କ୍ଷତି ପହଞ୍ଚାଇଥିବା କାରଣରୁ ଜଣଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇ ପାରିବ ନାହିଁ। ଆମ ୫୦୦୦ ବର୍ଷର ପୁରୁଣା ସଭ୍ୟତା ‌କଦାପି ବିଭିନ୍ନ ଦିଗରୁ ଆସୁଥିବା ଚିନ୍ତାଧାରାକୁ ଗ୍ରହଣ କରିବାକୁ ‌କୁଣ୍ଠିତ ହୋଇନାହିଁ। ମତ ପ୍ରକାଶର ବିବିଧତାକୁ ଋକ୍‌ ବେଦରେ ଉଲ୍ଲେଖ କରାଯାଇଛି। ତାହା ହେଲା ସବୁ ଦିଗରୁ ଉନ୍ନତ ଚିନ୍ତାଧାରା ମୋ ନିକଟକୁ ଆସୁ ବୋଲି ବିଚାରପତି ରାଣା ଋକ ବେଦକୁ ଉଦ୍ଧାର କରି ମତ ଦେଇଛନ୍ତି। ଏଥିସହିତ ବିଶ୍ବ ସମୁଦାୟ ନିକଟରେ ଜଣେ ନାଗରିକର ବାର୍ତ୍ତା ପହାଞ୍ଚାଇବା ମଧ୍ୟ ବାକ୍‌ ସ୍ବାଧୀନତା ପରିସରଭୁକ୍ତ। ଯୋଗାଯୋଗରେ କୌଣସି ଭୌଗୋଳିକ ପ୍ରତିବନ୍ଧକ ନାହିଁ। ଅନ୍ୟ ସହ ଯୋଗାଯୋଗ କରିବା ପାଇଁ ଜଣେ ନାଗରିକ ସର୍ବୋତ୍କୃଷ୍ଟ ମାଧ୍ୟମର ଉପଯୋଗ କରିବା ତାଙ୍କର ଏକ ମୌଳିକ ଅଧିକାର। ତେବେ ଆଇନର ପରିସର ମଧ୍ୟରେ ଏହା ରହିବା ଆବଶ୍ୟକ ବୋଲି ବିଚାରପତି କହିଛନ୍ତି। ପୂର୍ବରୁ ଏହି ମାମଲାର ଅନ୍ୟ ଅଭିଯୁକ୍ତ ନିକିତା ଜାକୋବ ଓ ଶାନ୍ତନୁ ମୁଲୁକଙ୍କୁ ଜାମିନ ମିଳିଛି। ‌

ସମ୍ବନ୍ଧିତ ଖବର