ବେଙ୍ଗାଲୁରୁ: କର୍ଣ୍ଣାଟକରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଗୁରୁତ୍ବପୂର୍ଣ୍ଣ ତୁଙ୍ଗଭଦ୍ରା ଡ୍ୟାମ୍‌ର ଏକ ଫାଟକ ଧୋଇ ହୋଇଯାଇଛି। ଏହି ଡ୍ୟାମ୍‌ରୁ ଜଳ ଛଡ଼ାଯାଇ ମରାମତି କରାଯିବା ଯୋଜନା କରାଯାଇଥିବା ବେଳେ ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ତଳିଆ ଅଞ୍ଚଳରେ ସତର୍କ ସୂଚନା ଜାରି କରାଯାଇଛି। ପରିସ୍ଥିତି ଅନୁଧ୍ୟାନ ନିମନ୍ତେ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର କୋପାଲ ଗସ୍ତରେ ବାହାରିଛନ୍ତି। ଗତ ରାତିରେ ୩୫ହଜାର ଘନଫୁଟ ବନ୍ୟାଜଳ ଜଳବନ୍ଧକୁ ପ୍ରବେଶ କରିଥିଲା। ଫଳରେ ଜଳବନ୍ଧର ୧୯ନମ୍ବର ଫାଟକଟି ଧୋଇ ହୋଇଯାଇଥିଲା। ଗତ ୭୦ ବର୍ଷ ମଧ୍ୟରେ ଏହା ଜଳଭଣ୍ଡାରର ପ୍ରଥମ ବଡ଼ କ୍ଷତି ହୋଇଥିବାରୁ କର୍ତ୍ତୃପକ୍ଷ ଏହାକୁ ଗୁରୁତର ସହ ଗ୍ରହଣ କରିଛନ୍ତି। ତୁରନ୍ତ ମରାମତି କରିବା ନିମନ୍ତେ ଜଳର ପରିମାଣ ୧୦୫ ଟିଏମ୍‌ସିରୁ ୬୦-୬୫ ଟିଏମ୍‌ସିକୁ ହ୍ରାସ କରିବାକୁ ଯୋଜନା କରାଯାଇଛି। ଫଳରେ ୫ଟି ଫାଟକ ବ୍ୟତୀତ ଅନ୍ୟ ସମସ୍ତ ଫାଟକ ଖୋଲିବାକୁ ଆଦେଶ ଦିଆଯାଇଛି।