ଜମ୍ମୁ: ସୀମା ସୁରକ୍ଷା ବଳ(ବିଏସ୍ଏଫ୍)ର ସୈନିକମାନେ ଶନିବାର ଜମ୍ମୁର ଆରିନିଆ ସେକ୍ଟରରେ ଥିବା ଏକ ୧୪ ଫୁଟ୍ ଲମ୍ବର ସୁଡ଼ଙ୍ଗ ଠାବ କରିଛନ୍ତି । ଏହି ସୁଡଙ୍ଗ ପାକିସ୍ଥାନ ପଟୁ ଭାରତ ମଧ୍ୟକୁ ଖୋଳା ଯାଇଥିଲା । ଆନ୍ତର୍ଜାତୀୟ ସୀମା କ୍ଷେତ୍ର ଦେଇ ଏହି ସୁଡଙ୍ଗ ଖନନ କରି ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଯୋଜନା ଥିବା ବେଳେ ଏବେ ଏହା ପଣ୍ଡ ହୋଇଛି । ଅଧିକାରୀଙ୍କ କହିବା ମୁତାବକ ବିକ୍ରମ ଓ ପଟେଲ ଚୌକି ଅଞ୍ଚଳରେ ସୀମା ସୁରକ୍ଷାର ଯାଞ୍ଚ କରାଯାଉଥିବା ବେଳେ ଏହି ସୁଡ଼ଙ୍ଗ ଠାବ ହୋଇଛି ।
ନିର୍ମାଣାଧୀନ ଏହି ସୁଡଙ୍ଗର ଲମ୍ବ ୧୪ ଫୁଟ୍ ହୋଇଥିବା ବେଳେ ସତର୍କ ସେନା ଦ୍ୱାରା ଏକ ଯୁଦ୍ଧାସ୍ତ୍ର ଭଣ୍ଡାରର ଠାବ ହୋଇଛି । ଯାହାକୁ ଦେଖି ଲାଗୁଛି ସଶସ୍ତ୍ର ଆତଙ୍କବାଦୀମାନେ ଏଠାରେ ରହିଥିବା ବେଳେ ସେମାନେ ଖସିଯିବାରେ ସକ୍ଷମ ହୋଇଛନ୍ତି ।
ଅନ୍ତଃରାଷ୍ଟ୍ରୀୟ ସମୁଦାୟ ସମ୍ମୁଖରେ ପାକିସ୍ଥାନର ମୁଖା ଖୋଲି ଯାଇଥିବା ବେଳେ ଏହି ରାଷ୍ଟ୍ର ଯେ, ଆତଙ୍କବାଦକୁ ପ୍ରଶ୍ରୟ ଦେଉଛି ତାହା ଏବେ ପ୍ରମାଣିତ ହୋଇଛି ବୋଲି ଜଣେ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି । ସୂଚନା ଯୋଗ୍ୟ ପୂର୍ବରୁ ୨୦୧୨ରେ ଜମ୍ମୁ କାଶ୍ମୀର ସାମ୍ବା ସେକ୍ଟରରୁ ସୁରକ୍ଷାବଳ ୪୦୦ ମିଟର ସୁଡଙ୍ଗ ଓ ୨୦୦୯ରେ ପୁଣି ଏକ ସୁଡଙ୍ଗ ଠାବ ହୋଇଥିଲା ।