ନୂଆଦିଲ୍ଲୀ: ଉତ୍ତରକାଶୀର ସିଲ୍କିୟାରା ସୁଡ଼ଙ୍ଗ (ଟନେଲ)ର ଭୁଶୁଡ଼ି ପଡ଼ିଥିବା ଏକ ଅଂଶରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଏକ ସପ୍ତାହରୁ ଅଧିକ ସମୟ ଧରି ପ୍ରୟାସ କରିବା ପରେ ସଡ଼କ ଓ ପରିବହନ ବିଭାଗର ଅତିରିକ୍ତ ଶାସନ ସଚିବ ମହମ୍ମଦ ଅହମ୍ମଦ ଶୁକ୍ରବାର କହିଛନ୍ତି ଯେ ଗୁରୁବାର କିଛି ଫାଟ ସୃଷ୍ଟି କରିଥିବା ଅଗର ଡ୍ରିଲିଂ ମେସିନ୍‌ ପୁନର୍ବାର ସକ୍ରିୟ ହୋଇଛି ଏବଂ ସେମାନେ ଏଥର କୌଣସି ପ୍ରତିବନ୍ଧକ ନଥାଇ ପାଇପ୍‌କୁ ଭିତରକୁ ନେଇଯିବେ ବୋଲି ଆଶା ରଖିଛନ୍ତି।

Advertisment

ଅଗର ଡ୍ରିଲିଂ ମେସିନ୍‌କୁ ପୁନଃ ସକ୍ରିୟ କରାଯାଇଛି। ୱେଲ୍‌ଡିଂ ପରେ ଏକ ନୂଆ ପାଇପ୍‌ ଲଗାଯିବ, ଯେଉଁଥି ପାଇଁ ଦୁଇ ଘଣ୍ଟା ସମୟ ଲାଗିବ। ଦୁଇ ଘଣ୍ଟା ପରେ ଆମେ ପାଇପ୍‌କୁ ଟନେଲ ଭିତରକୁ ପୂରାଇ ଦେବୁ। ଆମେ ଆଶା କରୁଛୁ ଯେ ଆମେ ଏଥର ପାଇପ୍‌କୁ ଆଗକୁ ବଢ଼ାଇବୁ ଏବଂ ଏଥରକ କୌଣସି ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ।

ଗତ ନଭେମ୍ବର ୧୨ ତାରିଖରେ ସିଲ୍କିୟାରାରୁ ବାରକୋଟ ପର୍ଯ୍ୟନ୍ତ ନିର୍ମାଣାଧୀନ ସୁଡ଼ଙ୍ଗର କିଛି ଅଂଶ ଭୁଶୁଡ଼ି ପଡ଼ିବାରୁ ତା’ମଧ୍ୟରେ ୪୧ ଜଣ ଶ୍ରମିକ ଫସି ଯାଇଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ କାର୍ଯ୍ୟ ଜାରି ରହିଛି।

ସୁଡ଼ଙ୍ଗର ସିଲ୍କିୟାରା ପାର୍ଶ୍ୱରେ ଥିବା ୬୦ ମିଟର ରାସ୍ତାରେ ପଡ଼ିଥିବା ଭଗ୍ନାବଶେଷ ଭିତରେ ୪୧ ଜଣ ଶ୍ରମିକ ଫସି ରହଛନ୍ତି। ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ଲଗାଯାଇଥିବା ପାଇପର ସମୁଦାୟ ଲମ୍ବ ବିଷୟରେ ପଚରାଯିବାରୁ ଅହମ୍ମଦ କହିଛନ୍ତି ଯେ ସଫଳତା ପାଇବା ପାଇଁ ୬ ମିଟର ଲେଖାଏଁର ଆଉ ଦୁଇଟି ପାଇପ୍‌ ପ୍ରବେଶ କରାଇବାକୁ ପଡ଼ିବ। ୬ ମିଟର ଲମ୍ବର ଆଉ ଦୁଇଟି ପାଇପ୍‌ ଲଗାଇବାକୁ ପଡ଼ିବ। ପ୍ରଥମ ଦଫାରେ ପାଇପ୍ ୫୧-୫୨ ମିଟର ଭିତରେ ପହଞ୍ଚିବ, ପରବର୍ତ୍ତୀ ୬ ମିଟର ଲମ୍ବା ପାଇପ୍‌ ସହିତ ଆମେ ସଫଳତା ପାଇବୁ ବୋଲି ଆଶା କରୁଛୁ। ଏହା ଆମର ନିଜସ୍ୱ ଆକଳନ ଓ ବୁଝାମଣା। ଏହି ଆକଳନ କେତେକ ବାସ୍ତବତା ଉପରେ ଆଧାରିତ କିନ୍ତୁ ଏସବୁ ଅନୁମାନ ଏବଂ ଏହାକୁ ସଠିକ୍‌ ଭାବରେ ଗ୍ରହଣ କରାଯିବା ଉଚିତ ନୁହେଁ। କିନ୍ତୁ ଆମେ ଆଶା କରୁଛୁ ଏଥରକ ଯେ କୌଣସି ଉପାୟରେ ସେଠାରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିବୁ।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ)ର ପୂର୍ବତନ ଉପଦେଷ୍ଟା ଭାସ୍କର ଖୁଲବେ କହିଥିଲେ ଯେ ଖନନ ସମୟରେ ଘର୍ଷଣ ହେତୁ ଏହା ସଂକୁଚିତ ହୋଇଯିବାରୁ ୨ଟି ପାଇପ୍‌ର ୨ ମିଟର ଅଂଶ କାଟିବାକୁ ପଡ଼ିଥିଲା। ଗୁରୁବାର ଅଗର ହେଭି ଡ୍ୟୁଟି ଡ୍ରିଲର ବାଧା ସୃଷ୍ଟି କରିବା ସହ ଅଧିକ ଚାପ ପକାଇବା ପରେ ଏଭଳି ଘଟଣା ଘଟିଥିବା ସେ ସୂଚନା ଦେଇଛନ୍ତି।