ନୂଆଦିଲ୍ଲୀ: ଉତ୍ତରକାଶୀର ସିଲ୍କିୟାରା ସୁଡ଼ଙ୍ଗ (ଟନେଲ)ର ଭୁଶୁଡ଼ି ପଡ଼ିଥିବା ଏକ ଅଂଶରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଆରମ୍ଭ ହୋଇଥିବା ଅପରେସନ୍ରେ ବାରମ୍ବାର ବାଧା ଉପୁଜିବାରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ଘଟୁଛି। ଏପରିସ୍ଥିତିରେ ସୁଡ଼ଙ୍ଗ ଭିତରେ ଫସି ରହିଥିବା ଶ୍ରମିକମାନଙ୍କୁ ଉତ୍ସାହିତ କରି ରଖିବା ପାଇଁ ଡାକ୍ତର ଓ ମାନସିକ ରୋଗ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।
ଡାକ୍ତରୀ ଟମ୍ର ଜଣେ ବରିଷ୍ଠ ଡାକ୍ତର ଡାକ୍ତର ପ୍ରେମ ପୋଖରିଆଲ କହିଛନ୍ତି, ଫସି ରହିଥିବା ଶ୍ରମିକମାନଙ୍କର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି। ‘ପ୍ରଥମେ ଆମେ ସେମାନଙ୍କୁ ଜୁସ୍ ଏବଂ ଏନର୍ଜି ଡ୍ରିଙ୍କ୍ ଦେଉଥିଲୁ। କିନ୍ତୁ ଏବେ ସେମାନଙ୍କୁ ଉପଯୁକ୍ତ ଖାଦ୍ୟ ମିଳୁଛି। ସକାଳେ ଆମେ ସେମାନଙ୍କ ପାଇଁ ସିଝା ଅଣ୍ଡା, କ୍ଷୀର, ଚା’ ଓ ଦଲିଆ ପଠାଉଛୁ ଏବଂ ମଧ୍ୟାହ୍ନ ଭୋଜନ ଓ ରାତ୍ରି ଭୋଜନ ପାଇଁ ସେମାନଙ୍କୁ ଡାଲି, ଭାତ, ରୁଟିି ଓ ପରିବା ତରକାରୀ ଦିଆଯାଉଛି। ବାଢ଼ିକି ଖାଇବା ପାଇଁ ସେମାନଙ୍କୁ ଡିସ୍ପୋଜେବଲ୍ ପ୍ଲେଟ୍ ମଧ୍ୟ ଦିଆଯାଇଛି।’
‘ସେମାନଙ୍କୁ ହାଇଡ୍ରେଟେଡ୍ କରି ରଖିବା ପାଇଁ, ମୁଁ ସେମାନଙ୍କୁ ଓଆରଏସ୍ ପାଉଡର୍ ପିଇବାକୁ କହିଛି, ଯାହା ସେମାନଙ୍କ ନିକଟକୁ ପୂର୍ବରୁ ପଠାଯାଇଛି। ସେମାନଙ୍କୁ ଆଇ ଡ୍ରପ୍, ଭିଟାମିନ୍ ବଟିକା ଏବଂ ଅନ୍ୟାନ୍ୟ ପାନୀୟ ମଧ୍ୟ ଦିଆଯାଉଛି’ ବୋଲି ଡାକ୍ତର ପୋଖରିଆଲ କହିଛନ୍ତି ଏବଂ ପ୍ରଚୁର ଶୁଖିଲା ଫଳ (ଡ୍ରାଇ ଫ୍ରୁଟ୍) ଏବଂ ବିସ୍କୁଟ୍ ମଧ୍ୟ ସେମାନଙ୍କ ପାଖରେ ମହଜୁଦ୍ କରି ରଖାଯାଇଛି।
ସେମାନଙ୍କୁ ଟୁଥ୍ ପେଷ୍ଟ, ବ୍ରସ୍, ଗାମୁଛା, ପୋଷାକ ଓ ଚଡ଼ି, ଗେଞ୍ଜି ଇତ୍ୟାଦି ଯୋଗାଇ ଦିଆଯାଉଛି ବୋଲି ଜଣେ ଅଧିକାରୀ କହିଛନ୍ତି। ସେମାନଙ୍କୁ ସିନେମା ଓ ଭିଡିଓ ଗେମ୍ଥିବା ମୋବାଇଲ୍ ଫୋନ୍ ମଧ୍ୟ ଦିଆଯାଇଛି, ଯାହା ଫଳରେ ସେମାନେ ଚାପଗ୍ରସ୍ତ ନହୋଇ ଉତ୍ସାହିତ ହୋଇ ରହିବେ।
ଡକ୍ଟର ପୋଖରିଆଲ କହିଛନ୍ତି, ‘ମୁଁ ପ୍ରତିଦିନ ସେମାନଙ୍କ ସହ କଥାବାର୍ତ୍ତା କରୁଛି। ସୌଭାଗ୍ୟବଶତଃ ଶୋଇବା ପାଇଁ ସେଠାରେ ଜିଓଟେକ୍ସଟାଇଲ ଚାଦର ଗଦା ହୋଇଥିଲା, ଯାହା ସୁଡ଼ଙ୍ଗ ଭିତରେ ପୂର୍ବରୁ ରହିଥିଲା। ସେମାନେ ଏବେ ଏହାକୁ ଶୋଇବା ପାଇଁ ବ୍ୟବହାର କରୁଛନ୍ତି। ଫସିଥିବା ଶ୍ରମିକମାନେ ସକାଳେ ଓ ସନ୍ଧ୍ୟାରେ ଯୋଗ ଓ ବ୍ୟାୟାମ କରିବା ସହ ଟନେଲ ଭିତରେ ଚାଲୁଛନ୍ତି।’
ସୁଡଙ୍ଗ (ଟନେଲ)ର ଯେଉଁ ଅଂଶରେ ଶ୍ରମିକମାନେ ଫସି ରହିଛନ୍ତି ସେଠାରେ ସୁଡ଼ଙ୍ଗର ଲମ୍ବ ପ୍ରାୟ ଦୁଇ କିଲୋମିଟର ଏବଂ ତାପମାତ୍ରା ୨୨ ଡିଗ୍ରି ସେଲସିୟସରୁ ୨୪ ଡିଗ୍ରି ସେଲସିୟସ ମଧ୍ୟରେ ରହିଛି। ବର୍ତ୍ତମାନ ସୁଦ୍ଧା ସେମାନଙ୍କୁ ଗରମ ପୋଷାକର ଆବଶ୍ୟକତା ପଡ଼ିନାହିଁ ବୋଲି ସେ କହିଛନ୍ତି। ସେମାନଙ୍କ ପାଖରେ ୨୪ ଘଣ୍ଟିଆ ବିଜୁଳି ଯୋଗାଣ ଜାରି ରହିଛି। କାରଣ ସୁଡ଼ଙ୍ଗ ଭୁଶୁଡ଼ି ପଡ଼ିବା ପରେ କାନ୍ଥ ଦେଇ ନିର୍ମାଣ ସମୟରେ ଯେଉଁ ବିଜୁଳି ଯୋଗାଣ କରାଯାଇଥିଲା ତାହା ନଷ୍ଟ ହୋଇ ନଥିଲା ବୋଲି ଜଣେ ଅଧିକାରୀ କହିଛନ୍ତି।