ସିରିଆରେ ତୁର୍କୀର ଆକ୍ରମଣ : ଆମେରିକା ସହଯୋଗୀଙ୍କ ଉପରେ ବୋମାବର୍ଷା

ଅଙ୍କାରା : ସିରିଆ ସୀମାରୁ ଆମେରିକା ସମର୍ଥିତ କୁର୍ଦ୍ଦ ସେନା ଏବଂ ସିରିଆ ଡେମୋକ୍ରାଟିକ୍‌ ବାହିନୀ (ଏସ୍‌ଡିଏଫ୍‌)କୁ ହଟାଇବା ପାଇଁ ପ୍ରବଳ ବୋମା ମାଡ଼ ଆରମ୍ଭ କରିଛି ତୁର୍କୀ। ସୀମାରେ ବ୍ୟାପକ ଅଂଚଳକୁ ନିଜ ଦଖଲକୁ ନେଇ ସେଠାରେ ଶରଣାର୍ଥୀମାନଙ୍କୁ ଥଇଥାନ କରିବାକୁ ତୁର୍କୀ ଯୋଜନା କରିଛି। ଆମେରିକା ସିରିଆରୁ ନିଜ ସେନା ପ୍ରତ୍ୟାହାର କରିନେବାର ୨୪ ଘଣ୍ଟା ନପୂରୁଣୁ ଏଭଳି ଆକ୍ରମଣ ପୁଣି ସିରିଆକୁ ଅଶାନ୍ତ କରିଦେଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ଭୁଲ୍‌ ନିଷ୍ପତ୍ତି ଯୋଗୁଁ ତୁର୍କୀ ଆକ୍ରମଣ କରିବାକୁ ସୁଯୋଗ ପାଇଲା ଏବଂ ଏହା କୁର୍ଦ୍ଦ ସେନା ଏବଂ ସିରିଆ ଡେମୋକ୍ରାଟିକ୍‌ ବାହିନୀ ପ୍ରତି ବଡ଼ ବିଶ୍ବାସଘାତକତା ବୋଲି କୁହାଯାଉଛି। ରାଷ୍ଟ୍ରପତି ଟ୍ରମ୍ପ୍‌ କହିଛନ୍ତି ଯେ ସିରିଆ ସୀମା ଅଂଚଳରେ ତୁର୍କୀର ଆକ୍ରମଣ ତୁରନ୍ତ ବନ୍ଦ ନହେଲେ କଠୋର ପଦକ୍ଷେପ ଗ୍ରହଣ କରାଯିବ ଏବଂ ତୁରନ୍ତ ଆର୍ଥିକ କଟକଣା ଲାଗୁ ହେବ। ତୁର୍କୀ ପ୍ରାୟ ୩ ଲକ୍ଷ ସିରିଆ ଶରଣାର୍ଥୀଙ୍କୁ ଉତ୍ତରାଞ୍ଚଳ ସୀମାରେ ଥଇଥାନ କରିବା ପାଇଁ ଏହି ଆକ୍ରମଣ କରିଥିବା ଦର୍ଶାଇଛି। ଅପରପକ୍ଷେ, ତୁର୍କୀର ଦକ୍ଷିଣ ସୀମା ଓ ଉତ୍ତର-ପୂର୍ବ ସିରିଆରେ ଗଢ଼ି ଉଠୁଥିବା ଆତଙ୍କବାଦୀ କରିଡରକୁ ଧ୍ବଂସ କରିବା ତୁର୍କୀର ଲକ୍ଷ୍ୟ ବୋଲି ତୁର୍କୀ ରାଷ୍ଟ୍ରପତି ରେସେପ୍‌ ଟୟିପ୍‌ ଏର୍ଡୋଗାନ୍‌ କହିଛନ୍ତି। ରାଷ୍ଟ୍ରପତି ଏର୍ଡୋଗାନ୍‌ କହିଛନ୍ତି ଯେ, ସିରିଆବାସୀଙ୍କ ସ୍ବାଧୀନତା‌ ଉପରେ ହସ୍ତକ୍ଷେପ କରିବା ତୁର୍କୀର ଲକ୍ଷ୍ୟ ନୁହେଁ, ବରଂ ଆତଙ୍କବାଦୀଙ୍କ କବଳରୁ ସ୍ଥାନୀୟ ଲୋକଙ୍କୁ ମୁକ୍ତ କରିବା ତୁର୍କୀର ଏକମାତ୍ର ଲକ୍ଷ୍ୟ। ମାତ୍ର, ତୁର୍କୀର ଏ ସଫେଇ ସିରିଆ ଗଣତାନ୍ତ୍ରିକ ସେନାକୁ ସନ୍ତୁଷ୍ଟ କରିପାରି ନାହିଁ। ତୁର୍କୀର ବୋମା ବର୍ଷଣ ଫଳରେ ଚାରିଆଡ଼େ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି ବୋଲି ଏସ୍‌ଡିଏଫ୍‌ ମୁଖପତ୍ର ମୁସ୍ତାଫା ବାଲି କହିଛନ୍ତି।

ସୂଚନାଯୋଗ୍ୟ, ଆମେରିକା ସିରିଆରୁ ନିଜର ସେନା ପ୍ରତ୍ୟାହାର କରିବା ପରେ ସୀମା‌ର ୨୦୦ କିମି ପରିବ୍ୟପ୍ତ ଅଂଚଳରେ ତୁର୍କୀ ଆକ୍ରମଣ ଆରମ୍ଭ କରିଦେଇଛି। ଯେଉଁ କୁର୍ଦ୍ଦ ବିଦ୍ରୋହୀଙ୍କୁ ଆମେରିକା ଆଇଏସ୍‌ ବିରୋଧରେ ଲଢ଼େଇରେ ଅବତୀର୍ଣ୍ଣ କରାଇଥିଲା, ସେମାନଙ୍କ ମୂଳପୋଛ ପାଇଁ ଏବେ ତୁର୍କୀର ଆକ୍ରମଣ ଆମେରିକା ପାଇଁ ଘୋର ଅଡ଼ୁଆ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର