ତୁର୍କୀ ଭୂକମ୍ପ: ପ୍ରତି ମିନିଟ୍‌ରେ ମୃତ୍ୟୁ ବଢ଼ୁଛି; ମୃତ୍ୟୁସଂଖ୍ୟା ୧୧,୮୦୦

ଇସ୍ତାନବୁଲ : ତୁର୍କୀ ଓ ସିରିୟାରେ ଭୂକମ୍ପ ବିଭୀଷିକା ପ୍ରଳୟଙ୍କରୀ ସ୍ଥିତି ଆଣିଛି। ଭୂକମ୍ପଜନିତ ମୃତ୍ୟୁ ସଂଖ୍ୟା ଆଜି ଭାରତୀୟ ସମୟ ରାତି ୨ଟା ସୁଦ୍ଧା ୧୧,୮୦୦ ଅତିକ୍ରମ କରିଛି। ପ୍ରତି ମିନିଟ୍‌ରେ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଉଦ୍ଧାର ପାଇଁ ଅପେକ୍ଷା କରି ଅନେକ ଲୋକ ଆଖି ବୁଜିଦେଉଛନ୍ତି। ଭୂକମ୍ପ ଯୋଗୁଁ ତୁର୍କୀରେ ଧନଜୀବନର ଅକଳ୍ପନୀୟ କ୍ଷୟକ୍ଷତି ଘଟିଛି ଏବଂ ସିରିୟାରେ ମାନବୀୟ ସଙ୍କଟ ଅତି ଚରମରେ ପହଞ୍ଚିଛି। ଆଜି ତୁର୍କୀର ଗାଜିଆନଟେପ ପ୍ରଦେଶରେ ପୁଣିଥରେ ୪.୩ ତୀବ୍ରତାର ଭୂକମ୍ପ ଆତଙ୍କ ବଢ଼ାଇଦେଇଛି। ଭୂକମ୍ପରୁ ଯେଉଁମାନେ ବଞ୍ଚି ଯାଇଛନ୍ତି ସେମାନେ ଏବେ ପ୍ରବଳ ଥଣ୍ଡାରେ ଥରୁଛନ୍ତି। ବିଶେଷ କରି ଶିଶୁ ଏବଂ ବୃଦ୍ଧମାନଙ୍କ ପାଇଁ ପରିସ୍ଥିତି ଅତି ଜଟିଳ ହେଲାଣି। ଭୂକମ୍ପରୁ ବର୍ତ୍ତି ଯାଇଥିବା ହତୟ ପ୍ରଦେଶର ଜଣେ ୬୪ ବର୍ଷୀୟା ବୃଦ୍ଧା କହିଛନ୍ତି,
ଆମେ ଭୂକମ୍ପରୁ ବଞ୍ଚିଗଲୁ। କିନ୍ତୁ ଏବେ ଆମେ ଭୋକ ଏବଂ ଥଣ୍ଡାରେ ମରିଯିବୁ। ସବୁଠି ଲୁହ, କୋହ ଓ ହାହାକାର ଭିତରେ ଲୋକେ ଛଟପଟ ହେଉଛନ୍ତି। ତୁର୍କୀରେ ବିଶାଳ ଉଦ୍ଧାର ଅଭିଯାନ ଜାରି ରଖିଥିଲେ ମଧ୍ୟ ଏହା ପର୍ଯ୍ୟାପ୍ତ ହେଉନାହିଁ। ଉଦ୍ଧାରକାରୀ ଦଳ ସାରା ରାତି ପ୍ରବଳ ଶୀତରେ ବି କାମ କରୁଛନ୍ତି। ତଥାପି ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଛି। ପ୍ରବଳ ଥଣ୍ଡା ଏବଂ ବରଫ ବର୍ଷା ଉଦ୍ଧାର କାର୍ଯ୍ୟକୁ କଠିନ କରିଦେଇଛି।

ଭୂକମ୍ପ ପ୍ରଭାବିତ କିଛି ଅଞ୍ଚଳରେ ବାସିନ୍ଦାମାନେ ଉଦ୍ଧାର କାର୍ଯ୍ୟରେ ମନ୍ଥରତା ପାଇଁ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନଙ୍କ ପରିବାର ସଦସ୍ୟ ଏବଂ ସମ୍ପର୍କୀୟ ଭଗ୍ନାବଶେଷ ତଳେ ଦୀର୍ଘ ସମୟ ଧରି ଫସି ରହିଥିଲେ ବି ସେମାନଙ୍କୁ ଉଦ୍ଧାର କରାଯାଇନଥିବା ସେମାନେ କହିଛନ୍ତି। ଉଦ୍ଧାର ହୋଇପାରିନଥିବାରୁ ଶହ ଶହ ଲୋକ ଧ୍ବଂସସ୍ତୂପ ତଳେ ଆଖି ବୁଜି ଦେଉଛନ୍ତି। ସରକାରୀ ତତ୍ପରତାକୁ ନେଇ ପ୍ରଶ୍ନ ଉଠିବା ଏବଂ କଡ଼ା ସମାଲୋଚନା ହେବାରୁ ତୁର୍କୀ ରାଷ୍ଟ୍ରପତି ରିସିପ ତାୟିପ ଏର୍ଡୋଗାନ ଆଜି ଭୂକମ୍ପ ପ୍ରଭାବିତ ଅଞ୍ଚଳରେ ପହଞ୍ଚିଛନ୍ତି । ଭୂକମ୍ପ କେନ୍ଦ୍ରସ୍ଥଳ ନିକଟସ୍ଥ ଜରୁରୀ ରିଲିଫ୍‌ କେନ୍ଦ୍ର ନିକଟରେ ଏର୍ଡୋଗାନ ପୀଡ଼ିତମାନଙ୍କୁ ଭେଟିଛନ୍ତି। ତୁର୍କୀର ଭୂକମ୍ପ ପ୍ରଭାବିତ ଅଞ୍ଚଳରେ ଏବେ ୬୦ ହଜାରରୁ ଅଧିକ ଉଦ୍ଧାରକାରୀ ସଦସ୍ୟ କାମ କରୁଛନ୍ତି।

ସିରିୟାରେ ସ୍ଥିତି ସାଂଘାତିକ ରହିଥିବାରୁ ସିରିୟା ସରକାର ୟୁରୋପୀୟ ସଂଘଠାରୁ ସହଯୋଗ ଲୋଡ଼ିଛନ୍ତି। ସିରିୟାରେ ମୃତ୍ୟୁସଂଖ୍ୟା ବଢ଼ି ଚାଲିଛି ବୋଲି ସିରିୟା ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି। ଭୂକମ୍ପ ପୂର୍ବରୁ ବି ସିରିୟା ସ୍ଥିତି ଅତି ସାଂଘାତିକ ଥିଲା। ଉତ୍ତର ସିରିୟାରେ ଭୂକମ୍ପ ଯୋଗୁଁ ରାସ୍ତା ନଷ୍ଟ ହୋଇଯାଇଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଛି। ମୁଖ୍ୟ ସୀମାନ୍ତ ରାସ୍ତା ସମ୍ପୂର୍ଣ୍ଣ ଭାବେ ଧ୍ବଂସ ହୋଇଯାଇଥିବାରୁ ସିରିୟାକୁ ସାହାଯ୍ୟ ପଠାଇବା ବି ଅତି କଷ୍ଟକର ହୋଇଯାଇଛି। ସିରିୟାରେ ଶିଶୁମାନଙ୍କ ପାଇଁ ବେଶୀ ସମସ୍ୟା ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର