ତୁର୍କୀ ଭୂକମ୍ପ: ମୃତ୍ୟୁସଂଖ୍ୟା ୩୮ ହଜାର ଟପିଲା

ଶେଷ ପର୍ଯ୍ୟାୟରେ ଉଦ୍ଧାର କାର୍ଯ୍ୟ, ୭୦ ଲକ୍ଷରୁ ଅଧିକ ଶିଶୁ ପ୍ରଭାବିତ, ୨୦୩ ଘଣ୍ଟା ପରେ ଭଗ୍ନସ୍ତୂପରୁ ମହିଳା ଜୀବିତ ଉଦ୍ଧାର

ଇସ୍ତାନବୁଲ : ପ୍ରଳୟଙ୍କରୀ ଭୂକମ୍ପଜନିତ ବିପର୍ଯ୍ୟୟକୁ ମୁକାବିଲା କରୁଥିବା ତୁର୍କୀରେ ଉଦ୍ଧାର କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ମୃତ୍ୟୁସଂଖ୍ୟା ୩୮ ହଜାର ଅତିକ୍ରମ କରିଛି। ଦକ୍ଷିଣ ତୁର୍କୀରେ ଉଦ୍ଧାରକାରୀ ଦଳ ଏବେ ବି ଭଗ୍ନାବଶେଷ ତଳେ ଫସିଥିବା ଲୋକଙ୍କ ସ୍ବର ଶୁଣୁଛନ୍ତି ଏବଂ ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରୁଛନ୍ତି । ଭୂକମ୍ପକୁ ୮ ଦିନ ବିତିଯାଇଥିଲେ ବି କିଛି ଲୋକଙ୍କୁ ଅତ୍ୟନ୍ତ ଚମତ୍କାର ଭାବେ ଉଦ୍ଧାର କରାଯାଉଛି। କହରାମନମାରସ ୨ଟି ଅଞ୍ଚଳରେ ଭଗ୍ନାବଶେଷ ତଳେ ଫସିଥିବା ୩ ଭଉଣୀଙ୍କୁ ଜୀବିତ ଉଦ୍ଧାର ପାଇଁ ଚେଷ୍ଟା ଜାରି ରହିଛି। ଏହି ନ ଅଞ୍ଚଳରେ ଉଦ୍ଧାରକାରୀ ଦଳ ଭଗ୍ନାବଶେଷ ତଳୁ ଜଣେ ୧୮ ବର୍ଷୀୟ ବାଳକଙ୍କୁ ମଙ୍ଗଳବାର ଦିନ ଜୀବିତ ଉଦ୍ଧାର କରିଛନ୍ତି। ତେବେ ସିରିୟାରେ ଉଦ୍ଧାର କାର୍ଯ୍ୟ ପ୍ରାୟ ଶେଷ ହୋଇଯାଇଛି। ଭୂକମ୍ପ ପରେ ତୁର୍କୀ ଓ ବିଶେଷ କରି ସିରିୟାରେ ମାନବୀୟ ସଙ୍କଟ ଦେଖାଦେଇଛି। ବାସସ୍ଥାନ, ଖାଦ୍ୟ, ମାନସିକ ଯତ୍ନ ଏବଂ ‌ସର୍ବୋପରି ଏହି ଲୋକମାନଙ୍କ ଭବିଷ୍ୟତକୁ ନେଇ ଏବେ ପ୍ରଶ୍ନ ଉଠିଛି।

ତେବେ ଭୂକମ୍ପ ପାଇଁ ଉଭୟ ତୁର୍କୀ ଏବଂ ସିରିୟାରେ ୭୦ ଲକ୍ଷରୁ ଅଧିକ ଶିଶୁ ପ୍ରଭାବିତ ହୋଇଛନ୍ତି। ତୁର୍କୀର ଭୂକମ୍ପ ପ୍ରଭାବିତ ୧୦ ପ୍ରଦେଶରେ ୪.୬ ନିୟୁତ ଶିଶୁ ପ୍ରଭାବିତ ହୋଇଥିବା ବେଳେ ସିରିୟାରେ ୨.୫ ନିୟୁତ ଶିଶୁ ପ୍ରଭାବିତ ହୋଇଛନ୍ତି ବୋଲି ଜାତିସଂଘ ଶିଶୁ ସଂସ୍ଥା ୟୁନିସେଫ୍‌ର ମୁଖପାତ୍ର ଜେମ୍ସ ଏଲ୍ଡର କହିଛନ୍ତି। ହଜାର ହଜାର ଶିଶୁଙ୍କ ମୃତ୍ୟୁ ହୋଇଥିବା ନେଇ ୟୁନିସେଫ୍‌ ଆଶଙ୍କା କରିଛି। ଇତିମଧ୍ୟରେ ବଞ୍ଚି ଯାଇଥିବା ଲୋକମାନେ ଏବେ ତୁର୍କୀର ଭୂକମ୍ପ ପ୍ରବଣ ଅଞ୍ଚଳରୁ ଗଣ ପଳାୟନ କରୁଛନ୍ତି। ପ୍ରତି ଦିନ ହଜାର ହଜାର ଲୋକ ପ୍ରଭାବିତ ଅଞ୍ଚଳ ଛାଡ଼ି ଅନ୍ୟତ୍ର ଚାଲି ଯାଉଛନ୍ତି। ସିରିୟାରେ ଅନ୍ତର୍ଜାତୀୟ ସହାୟତା ପହଞ୍ଚିବା ବିଳମ୍ବ ହେଉଥିବାରୁ ସିରିୟା ରାଷ୍ଟ୍ରପତି ବସର ଅଲ ଅସଦ ୨ଟି ନୂଆ ସୀମା ଖୋଲିବାପାଇଁ ହୋଇଥିବା ଯୋଜନାକୁ ସ୍ବୀକୃତି ଦେଇଛନ୍ତି। ଇତିମଧ୍ୟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡ୍ରସ ଆଦନମ କହିଛନ୍ତି, ମୋ ଜୀବନରେ ମୁଁ କେବେ ବି ବିପର୍ଯ୍ୟୟର ଏଭଳି ଭୟାନକ ସ୍ତର ଦେଖିନି। ଟେଡ୍ରସ କହିଛନ୍ତି, ତୁର୍କୀ ଭୂକମ୍ପ ୟୁରୋପର ସବୁଠାରୁ ବଡ଼ ପ୍ରାକୃତିକ ବିପର୍ଯ୍ୟୟ। ଉଦ୍ଧାରକାରୀ ଦଳ ଏଯାବତ ୮ ହଜାର ଲୋକଙ୍କୁ ଜୀବିତ ଉଦ୍ଧାର କରିଛନ୍ତି। ତୁର୍କୀ ରାଷ୍ଟ୍ରପତି ରେସିପ ତାୟିପ ଏର୍ଡେଗାନ କହିଛନ୍ତି, ଭୂକମ୍ପ ପୁଣିଥରେ ଅନ୍ତର୍ଜାତୀୟ ସହାୟତାର ଗୁରୁତ୍ବ ଦେଖାଇଛି।

ସମ୍ବନ୍ଧିତ ଖବର