ଭୂମିକମ୍ପ ଯୋଗୁଁ ତୁର୍କୀ ପଶ୍ଚିମକୁ ୫-୬ ମିଟର ଘୁଞ୍ଚିଯାଇଛି !

ଇସ୍ତାନବୁଲ : ତୁର୍କୀରେ ହୋଇଥିବା ଭୂମିକମ୍ପରେ ମୃତ୍ୟୁସଂଖ୍ୟା ଦ୍ରୁତ ଗତିରେ ବଢିଚାଲିଛି । ମୃତ୍ୟୁସଂଖ୍ୟା ଏପର୍ଯ୍ୟନ୍ତ ୧୧ ହଜାର ଟପିସାରିଲାଣି । ମୃତ୍ୟୁସଂଖ୍ୟା ୨୦ ହଜାର ଟପିପାରେ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଆଶଙ୍କା ପ୍ରକାଶ କରିଛି ।

ଗତ ସୋମବାର ଭୋର ସମୟରେ ହୋଇଥିବା ଏହି ବିନାଶକାରୀ ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ତାହା ତୁର୍କୀ ପଶ୍ଚିମକୁ ପ୍ରାୟ ୫ରୁ ୬ ମିଟର ଘୁଞ୍ଚିଯାଇଛି । ଇଟାଲୀର ଭୂମିକମ୍ପବିତ୍ ପ୍ରଫେସର କାର୍ଲୋ ଡୋଗଲିଅନି କହିଛନ୍ତି ଯେ, ସିରିଆ ତୁଳନାରେ ତୁର୍କୀ ନିଜର ପଶ୍ଚିମ ଦିଗକୁ ପ୍ରାୟ ୫ରୁ ୬ ମିଟର ଘୁଞ୍ଚିଯାଇଛି । ତେବେ ସେ କହିଛନ୍ତି ପ୍ରାରମ୍ଭିକ ପର୍ଯ୍ୟାୟରେ ମିଳିଥିବା ତଥ୍ୟକୁ ଭିତ୍ତିକରି ଏସବୁ ଆକଳନ କରାଯାଇଛି । ପରେ ସାଟେଲାଇଟ୍ ଫଟୋ ଦେଖିବା ପରେ ଏ ସଂପର୍କରେ ସ୍ଥିତି ଅଧିକ ସ୍ପଷ୍ଟ ହେବ।

ସେ ଆହୁରି ମଧ୍ୟ କହିଛନ୍ତି ଭୂମିକମ୍ପ ଯୋଗୁଁ ୨୫ କିଲୋମିଟର ଚଉଡା ଓ ୧୯୦ କିଲୋମିଟର ଲମ୍ବ ଅଞ୍ଚଳରେ ଭୂମି ଭୟଙ୍କରଭାବେ ଥରି ଉଠିଥିଲା । ପ୍ରକୃତ କଥା ହେଉଛି ଭୂମି ପ୍ରାୟ ୯ ଘଣ୍ଟା ଧରି ଥରି ଚାଲିଥିଲା । ତେବେ ପ୍ରକୃତ ବିନାଶ ମାତ୍ର କିଛି ସେକେଣ୍ଡ ମଧ୍ୟରେ ଘଟିଗଲା ।

ସମଗ୍ର ମଧ୍ୟପୂର୍ବରେ ତୁର୍କୀ ଏକ ସବୁଠାରୁ ସମ୍ବେଦନଶୀଳ ଭୂକମ୍ପ ପ୍ରପୀଡିତ ଅଂଚଳ ଭାବେ ପରିଚିତ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର