ଅଙ୍କାରା: ତୁର୍କୀର ଅଙ୍କାରାରେ ଗତକାଲି ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବରେ ଆଜି ତୁର୍କୀ ସେନା ଇରାକ ଓ ସିରିୟା ଉପରେ ଆକ୍ରମଣ କରିଛି। ରାଜଧାନୀ ଅଙ୍କାରା ସ୍ଥିତ ପ୍ରମୁଖ ପ୍ରତିରକ୍ଷା କମ୍ପାନି ତୁସାସ୍ ଉପରେ ଗତକାଲି ଆତଙ୍କବାଦୀ ଆକ୍ରମଣ ଯୋଗୁଁ ୫ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୨୦ ଜଣ ଆହତ ହୋଇଥିଲେ। ଏହି ଆକ୍ରମଣ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରିନଥିଲେ ସୁଦ୍ଧା ତୁର୍କୀ ଆଜି ଏହାର ପ୍ରତିଶୋଧ ନେଇ ବିମାନ ଆକ୍ରମଣ କରିଛି। ତୁର୍କୀ କହିଛି ସେ ଇରାକ ଓ ସିରିୟାରେ କୁର୍ଦିସ୍ତାନ ୱାର୍କର୍ସ ପାର୍ଟି (ପିକେକେ) ସହ ଜଡ଼ିତ ବିଭିନ୍ନ ଆଡ଼ା ସ୍ଥଳକୁ ଟାର୍ଗେଟ୍ କରି ବୋମା ମାଡ଼ କରାଯାଇଛି।
ତୁର୍କୀ ଜାତୀୟ ପ୍ରତିରକ୍ଷା ମନ୍ତ୍ରାଳୟ ଅନୁଯାୟୀ ୪୭ ଟାର୍ଗେଟ୍କୁ ଧ୍ବଂସ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ୟାସାର ଗୁଲେର କହିଛନ୍ତି, ତୁର୍କୀ ବାହିନୀ ଉତ୍ତର ଇରାକ୍ର ୨୯ଟି ଟାର୍ଗେଟ୍ ଏବଂ ଉତ୍ତର ସିରିୟାର ୧୮ଟି ଟାର୍ଗେଟ୍କୁ ଆକ୍ରମଣ କରିଛି। ତୁର୍କୀ କହିଛି ଆତଙ୍କବାଦୀ ଗୋଷ୍ଠୀ ୱାଇପିଜି କୁର୍ଦିସ୍ତାନ ୱାର୍କର୍ସ ପାର୍ଟି ଗତକାଲିର ଆକ୍ରମଣ ସହ ଜଡ଼ିତ। ଅଙ୍କାରା ନିକଟରେ ହୋଇଥିବା ଆକ୍ରମଣ ପଛରେ ୱାଇପିଜି ଓ ପିକେକେର ଷଡ଼୍ଯନ୍ତ୍ର ରହିଥିବା ନେଇ କେତେକ ପ୍ରମାଣ ହାସଲ ହୋଇଛି ବୋଲି ତୁର୍କୀ କହିଛି। ଆଭ୍ୟନ୍ତରୀଣ ମନ୍ତ୍ରୀ ଅଲି ୟେର୍ଲିକାୟା କହିଛନ୍ତି, ଆକ୍ରମଣ ପଛରେ ପିକେକେର ହାତ ଥିବା ନେଇ ପ୍ରମାଣ ମିଳିବା ପରେ ହିଁ ଆମେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛୁ। ତୁର୍କୀର ତଦନ୍ତକାରୀ ସଂସ୍ଥା ଜଣେ ଆତଙ୍କବାଦୀକୁ ପିକେକେ ସଦସ୍ୟ ବୋଲି ଚିହ୍ନଟ କରିଥିବା ସେ କହିଛନ୍ତି। ତୁସାସ୍ ମୁଖ୍ୟାଳୟ ନିକଟରେ ଆଜି ସୁରକ୍ଷା କଡ଼ାକଡ଼ି କରାଯାଇଛି। ଇସ୍ତାନବୁଲ୍ର ୨ଟି ମୁଖ୍ୟ ବିମାନବନ୍ଦରରେ ମଧ୍ୟ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ତୁର୍କୀ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/10/25/IUKb0CV4c51kgzubI0pm.jpg)