ଇସ୍ତାନବୁଲ: ତୁର୍କୀ ପାଇଁ ଆଜି ଥିଲା କଳାଦିନ। ଗୋଟିଏ ଦିନରେ ୩ଥର ଥରିଛି ତୁର୍କୀ । ପ୍ରଥମ ୭.୮, ପରେ ୭.୬ ଏବଂ ସନ୍ଧ୍ୟାରେ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬ ଥିଲା ବୋଲି କୁହାଯାଉଛି। ମୃତ୍ୟୁସଂଖ୍ୟା ୧୫୦୦ ପାର ହୋଇଥିବା ବେଳେ ବାରମ୍ବାର ହେଉଥିବା ଭୂମିକମ୍ପ ପାଇଁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବ ବୋଲି ଆଶଙ୍କା କରାଯାଉଛି। ଏ ମଧ୍ୟରେ ତୁର୍କୀ ଭୂମିକମ୍ପର ଅନେକ ଫଟୋ ଜାତୀୟ ଗଣମାଧ୍ୟମ ‘ଆଜ୍ ତକ୍’ ସେୟାର କରିଛି, ଯେଉଁଥିରେ ଲୋକେ କିଭଳି ଜୀବନ ବଞ୍ଚାଇବାକୁ ସଂଘର୍ଷ କରୁଛନ୍ତି, ତାହା ଦେଖିବାକୁ ମିଳିଛି।

ପ୍ରଥମ ଭୂମିକମ୍ପ ହେବା ସମୟରେ ଲୋକେ ଶୋଇଥିବାରୁ ମୃତ୍ୟୁସଂଖ୍ୟା ଅଧିକ ହୋଇଥିବା କୁହାଯାଉଛି।


ସୋମବାର ଭୋର ୪ଟା ବେଳେ ହୋଇଥିବା ପ୍ରଥମ ଭୂମିକମ୍ପରେ ସବୁଠାରୁ ଅଧିକ ଲୋକ ମୃତ୍ୟୁବରଣ କରିବା ସହ ଅଧିକ କ୍ଷୟକ୍ଷତି ହୋଇଥିଲା ।

ତୁର୍କୀ ଓ ସିରିଆରେ ଏବେ ପ୍ରବଳ ଥଣ୍ଡା ଓ ବରଫପାତ ଚାଲିଥିବାବେଳେ ଏହି ଭୂମିକମ୍ପ ଲୋକଙ୍କ ଦୂର୍ଦ୍ଦଶାକୁ ବଢାଇଦେଇଛି । ରାସ୍ତାଘାଟରେ ବରଫ ପଡ଼ିଥିବାରୁ ଉଦ୍ଧାର କାର୍ଯ୍ୟ ପ୍ରଭାବିତ ହେଉଛି ।

ତୁର୍କୀ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ଏଜେନ୍ସି ଏଏଫଏଡି ଅନୁଯାୟୀ ଲେବାନନ୍, ସିରିଆ ଏବଂ ସାଇପ୍ରସରେ ମଧ୍ୟ ଏହି ଭୂକମ୍ପ ଅନୁଭୂତ ହୋଇଥିଲା ।

ଯଦିଓ ତୁର୍କୀ କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ କୌଣସି ମୃତ୍ୟୁ କିମ୍ବା ଆଘାତ ବିଷୟରେ ଜଣାଇ ନାହାନ୍ତି, ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା ଭିଡିଓରେ ଦେଶର ଦକ୍ଷିଣ ପୂର୍ବରେ ଥିବା ଅନେକ ସହରରେ ନଷ୍ଟ ହୋଇଥିବା କୋଠାଦେଖାଯାଇଛି।
