ନୂଆଦିଲ୍ଲୀ: ପାକିସ୍ତାନ ବିରୋଧରେ ଭାରତୀୟ ସେନାର ସାମରିକ କାର୍ଯ୍ୟାନୁଷ୍ଠାନକୁ ତୀବ୍ର ବିରୋଧ କରିଥିବା ତୁର୍କୀର ଅସଲ ରୂପ ସାମ୍ନାକୁ ଆସିଛି। ଭାରତ ସହ ସଂଘର୍ଷରେ ତୁର୍କୀ ପାକିସ୍ତାନକୁ କେବଳ ସମର୍ଥନ ଓ ଅସ୍ତ୍ର ସହାୟତା ଦେଇନଥିଲା ବରଂ ସିଧାସଳଖ ଭାରତ ବିରୋଧୀ ଲଢ଼େଇରେ ସାମିଲ ହୋଇଥିଲା। ଅପରେସନ ସିନ୍ଦୂରରେ ତୁର୍କୀର ଦୁଇ ଜଣ ସାମରିକ କାର୍ଯ୍ୟକର୍ତ୍ତା ମଧ୍ୟ ନିହତ ହୋଇଛନ୍ତି। ସେମାନେ ଭାରତର ବିଭିନ୍ନ ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ୍ କରି ହେଉଥିବା ଡ୍ରୋନ୍ ଆକ୍ରମଣର ସଂଚାଳନ କରୁଥିଲେ। ତୁର୍କୀ ୩୫୦ରୁ ଅଧିକ ଡ୍ରୋନ୍ ଦ୍ୱାରା ଭାରତ ବିରୋଧରେ ଯୁଦ୍ଧରେ ପାକିସ୍ତାନକୁ ସାହାଯ୍ୟ କରିବା ସହ ଅପରେଟର୍ମାନଙ୍କୁ ମଧ୍ୟ ପାକିସ୍ତାନ ପଠାଇଥିଲେ। ଭାରତ ବିରୋଧୀ ଲଢ଼େଇରେ ତୁର୍କୀର ଏଭଳି ପଦକ୍ଷେପକୁ ଭାରତ ସରକାର ଗମ୍ଭୀରତାର ସହ ନେଇଛନ୍ତି ଏବଂ ଆଗକୁ ତୁର୍କୀ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଅପରେସନ ସିନ୍ଦୂର ଅଧୀନରେ ପାକ୍ ବିରୋଧୀ କାର୍ଯ୍ୟାନୁଷ୍ଠାନ ତୀବ୍ର ହେବାପରେ ତୁର୍କୀର ସାମରିକ କାର୍ଯ୍ୟକର୍ତ୍ତାମାନେ ପାକିସ୍ତାନୀ ସେନା ଅଧିକାରୀମାନଙ୍କୁ ଭାରତ ଉପରେ ଡ୍ରୋନ୍ ଆକ୍ରମଣର ସମନ୍ୱୟ କରିବାରେ ସାହାଯ୍ୟ କରିଥିଲେ। ପାକିସ୍ତାନ ଭାରତ ବିରୋଧରେ ଅତି ମାରାତ୍ମକ ଡ୍ରୋନ୍ ବ୍ୟବହାର କରିଥିବା ସୂଚନା ମିଳିଛି।
୩୫୦ରୁ ଅଧିକ ଡ୍ରୋନ୍, ସାମରିକ ଅଧିକାରୀ ପଠାଇଥିଲା
ତୁର୍କୀର ଦୁଇ ସାମରିକ କାର୍ଯ୍ୟକର୍ତ୍ତା ନିହତ
ଗତ କିଛି ବର୍ଷ ମଧ୍ୟରେ ପାକିସ୍ତାନ ସହ ତୁର୍କୀର ରଣନୈତିକ ପ୍ରତିରକ୍ଷା ସମ୍ପର୍କ ଅତି ଉଦ୍ବେଗଜନକ ହାରରେ ବୃଦ୍ଧି ପାଇଛି। ତୁର୍କୀ ସରକାର ପାକିସ୍ତାନକୁ ସାମରିକ ଯୋଗାଣ କରିବା ସହ ପାକିସ୍ତାନ ସେନାକୁ ପ୍ରଶିକ୍ଷଣ ମଧ୍ୟ ଦେଉଛି। ଇସଲାମାବାଦ ସହ ଅଙ୍କାରାର ବଢୁଥିବା ଘନିଷ୍ଠତା କାରଣରୁ ଏବେ ଭାରତରେ ତୁର୍କୀ ସାମଗ୍ରୀ ବର୍ଜନ କରବା ପାଇଁ ଜନମତ ପ୍ରକାଶ ପାଇଛି। ବିଭିନ୍ନ ଭାରତୀୟ ଅଂଚଳରେ ଠାବ ହୋଇଥିବା ତୁର୍କୀ ଡ୍ରୋନ୍ର ଭଗ୍ନାବଶେଷର ଫରେନସିକ୍ ଯାଞ୍ଚ କରାଯାଉଛି। ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡୁଛି ଯେ ତୁର୍କୀ ଏହାର ନୂଆ ପିଢ଼ିର ଡ୍ରୋନ୍ ପାକିସ୍ତାନକୁ ଯୋଗାଇଥିଲା। ଭାରତୀୟ ସଶସ୍ତ୍ର ବାହିନୀ କାଇନେଟିକ୍ ଏବଂ ଅଣ-କାଇନେଟିକ୍ ଉପାୟ ବ୍ୟବହାର କରି ଅଧିକାଂଶ ଡ୍ରୋନ୍କୁ ଖସାଇ ଦେଇଥିଲା। ସୂଚନାଯୋଗ୍ୟ, ଆତଙ୍କବାଦୀ ବିରୋଧୀ ସାମରିକ କାର୍ଯ୍ୟାନୁଷ୍ଠାନ ‘ଅପରେସନ ସିନ୍ଦୂର’ର ଜବାବରେ ପାକିସ୍ତାନ ଭାରତ ବିରୋଧରେ ବହୁଳ ଭାବେ ଚୀନ୍ ଓ ତୁର୍କୀରୁ ହାସଲ କରିଥିବା ଅସ୍ତ୍ରଶସ୍ତ୍ର ବ୍ୟବହାର କରି ଲଢ଼ିଥିଲା।