ନୂଆଦିଲ୍ଲୀ: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି ଯେ, ଢାକାରେ ଏକ ଇସଲାମିକ ସଙ୍ଗଠନ ‘ସଲତାନତ୍-ଏ-ବାଂଲା’ ଭାରତର କିଛି ଅଂଶକୁ ଅନ୍ତର୍ଭୁକ୍ତ କରି ତଥାକଥିତ ‘ଗ୍ରେଟର ବାଂଲାଦେଶ’ର ଏକ ମାନଚିତ୍ର ପ୍ରସ୍ତୁତ କରିଛି। ଏଭଳି କାର୍ଯ୍ୟକୁ ‘ତୁର୍କୀ ୟୁଥ୍ ଫେଡେରେସନ୍’ ନାମକ ଏକ ତୁର୍କୀ ଏନ୍ଜିଓ ସମର୍ଥନ କରୁଛି। ରାଜ୍ୟସଭାରେ କଂଗ୍ରେସ ସାଂସଦ ରଣଦୀପ ସିଂହ ସୂର୍ଯେୱାଲାଙ୍କ ତାରକା ପ୍ରଶ୍ନର ଉତ୍ତରରେ ଏସ୍ ଜୟଶଙ୍କର ଏକ ଲିଖିତ ବିବୃତିରେ କହିଛନ୍ତି ଯେ, ଏହି ମାନଚିତ୍ର ଢାକା ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶିତ ହୋଇଥିଲା। ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଭାରତର ଜାତୀୟ ନିରାପତ୍ତା ଉପରେ ପ୍ରଭାବ ପକାଉଥିବା ଘଟଣା ଉପରେ ସରକାର ତୀକ୍ଷ୍ଣ ନଜର ରଖିଛନ୍ତି ଏବଂ ଏହାର ସୁରକ୍ଷା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ନେଉଛନ୍ତି।
ତେବେ ବାଂଲାଦେଶ ସରକାରଙ୍କ ଫ୍ୟାକ୍ଟ ଚେକର୍ ପ୍ଲାଟଫର୍ମ ‘ବାଂଲା ଫ୍ୟାକ୍ଟ’ ଦାବି କରିଛି ଯେ ବାଂଲାଦେଶରେ ‘ସଲତାନତ୍-ଏ-ବାଂଲା’ କାର୍ଯ୍ୟ କରୁଥିବାର କୌଣସି ପ୍ରମାଣ ନାହିଁ। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଏପ୍ରିଲ ୧୪, ୨୦୨୫ରେ ପହିଲା ବୈଶାଖ ଅବସରରେ ଢାକା ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ ପ୍ରଦର୍ଶନୀରେ ଏହି ମାନଚିତ୍ର ପ୍ରଦର୍ଶିତ ହୋଇଥିଲା। ପ୍ରଦର୍ଶନୀର ଆୟୋଜକମାନେ କୌଣସି ବିଦେଶୀ ରାଜନୈତିକ ସଂସ୍ଥା ସହ ସମ୍ପର୍କକୁ ଅସ୍ୱୀକାର କରିଛନ୍ତି। କଂଗ୍ରେସ ନେତା ପ୍ରଶ୍ନ କରିଛନ୍ତି, ସରକାର ଏହି ପ୍ରସଙ୍ଗକୁ କୂଟନୈତିକ ସ୍ତରରେ ବାଂଲାଦେଶ ସରକାରଙ୍କ ନିକଟରେ ଉଠାଇଛନ୍ତି କି ଏବଂ ବାଂଲାଦେଶରେ ତୁର୍କୀ ଓ ପାକିସ୍ତାନର ସମ୍ପର୍କ ବୃଦ୍ଧିର ସୁରକ୍ଷା ପ୍ରଭାବକୁ ସରକାର ଆକଳନ କରିଛନ୍ତି କି?