ନୂଆଦିଲ୍ଳୀ: ପହଲଗାମ ଆତଙ୍କୀ ଆକ୍ରମଣ ପରେ ସାରା ଦୁନିଆ ପାକିସ୍ତାନକୁ ନିନ୍ଦା କଲା । କିନ୍ତୁ ତୁର୍କୀ ଏକମାତ୍ର ଦେଶ ଯିଏ ଆତଙ୍କୀସ୍ତାନକୁ ସମର୍ଥନ କଲା । ଯାହାର ପରିଣାମ ତୁର୍କୀକୁ ଭୋଗିବାକୁ ପଡ଼ିବ। କାରଣ ତୁର୍କୀ ଉପରେ ଯେତେବେଳେ ପ୍ରାକୃତିକ ବିପଦ ଆସିଥିଲା ଭାରତ ବନ୍ଧୁ ଭଳି କାମରେ ଆସିଥିଲା । ତୁର୍କୀ ଏବଂ ପାକ୍ ଭିତରେ ବଢୁଥିବା ରଣନୀତିକ ଏବଂ ରାଜନୀତିକ ବନ୍ଧୁତା ଏବେ ମନୋରଞ୍ଜନ ଜଗତ ଉପରେ ପ୍ରଭାବ ପକାଇପାରେ। ଭାରତରେ କିଛି ବର୍ଷ ହେଲା ଟର୍କିସ୍ ଡ୍ରାମାର ଚାହିଦା ଅଧିକ ବଢ଼ିଥିଲା । ତୁର୍କୀର ଅଧିକାଂଶ ରୋମାଣ୍ଟିକ୍ ଡ୍ରାମାକୁ ଭାରତୀୟ ଭାରି ପସନ୍ଦ କରୁଥିଲେ । କିନ୍ତୁ ବର୍ତ୍ତମାନ ପାକିସ୍ତାନ ସହ ତୁର୍କୀର ବଢୁଥିବା ନିବିଡ଼ତା ଏହାକୁ ପ୍ରଭାବିତ କରିପାରେ । ବର୍ତ୍ତମାନ ସୋସିଆଲ୍ ମିଡିଆରେ ବଏକଟ୍ ତୁର୍କୀ ଟ୍ରେଣ୍ଡ୍ କରୁଛି ।

Advertisment

‘ଅପରେସନ ସିନ୍ଦୂର’କୁ ସବୁ ଦେଶ ପ୍ରଶଂସା କଲେ। କିନ୍ତୁ ତୁର୍କୀ ପାକ୍ ସହ ବନ୍ଧୁତା ଦେଖାଇ ଭାରତକୁ ଏବଂ ‘ଅପରେସନ ସିନ୍ଦୂର’କୁ ନିନ୍ଦା କଲା । ତୁର୍କୀ ପାକିସ୍ତାନକୁ ସମର୍ଥନ କରିବା ସଙ୍ଗେ ସଙ୍ଗେ ୩୦୦ରୁ ୪୦୦ ଡ୍ରୋନ୍‌ ଭେଟି ସ୍ବରୂପ ଦେଲା । ଆତଙ୍କୀସ୍ତାନ ପ୍ରତି ଅନ୍ୟାୟ ହେଉଛି କହି ତୁର୍କୀ ପ୍ରତିଟି ପାଦରେ ତା’ର ସାଥ୍‌ ଦେଲା । କିନ୍ତୁ ପଥର ଗୋଟାଉ ଗୋଟାଉ ବୋଧହୁଏ ହୀରାକୁ ଭୁଲିଗଲା ତୁର୍କୀ। ଯେତେବେଳେ ତୁର୍କୀ ଉପରେ ପ୍ରାକୃତିକ ବିପଦ ମାଡ଼ି ଆସିଥିଲା ଭାରତ ବିପଦର ବନ୍ଧୁ ହୋଇ ଆଗକୁ ଆସିଥିଲା କିନ୍ତୁ ତୁର୍କୀ ସବୁକିଛି ଭୁଲି ବନ୍ଧୁ ପିଠିରେ ହିଁ ଛୁରୀ ଭୁସିଲା । ଭାରତରେ ତୁର୍କୀ ଡ୍ରାମାକୁ ଲୋକେ ପସନ୍ଦ କରୁଥିଲେ ହେଁ ଦେଶ ଆଗ ଆଉ ମନୋରଞ୍ଜନ ପଛ। ତେଣୁ ଆଗକୁ ପାକିସ୍ତାନ ଡ୍ରାମା ଭଳି ଭାରତରେ ତୁର୍କୀ ଡ୍ରାମା ମଧ୍ୟ ବନ୍ଦ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ବର୍ତ୍ତମାନ ଭାରତରେ ତୁର୍କୀ ଡ୍ରାମା ଓ କଣ୍ଟେଣ୍ଟକୁ ବହିଷ୍କାର ପାଇଁ ଦାବି ଉଠିଛି । ଲୋକ ବିଭିନ୍ନ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ବଏକଟ୍ ତୁର୍କୀର ନାରା ଦେଉଛନ୍ତି । ଏହା ପୂର୍ବରୁ ମଧ୍ୟ ଭାରତରେ ଏଭଳି ଉଦାହରଣ ସାମ୍ନାକୁ ଆସିଛି ।