ବିଜ୍ନୋର୍: ‘ୟୁକାଲିପଟସ୍’ ବା ‘ନୀଳଗିରି’ ଗଛ କାଟା ଯୋଗୁଁ ବିବାଦ କରି ଜଣକୁ ହତ୍ୟା ଓ ଆଉ ୩ଜଣଙ୍କୁ ଆହତ କରିଥିବା ସୁପରିଚିତ ଟେଲିଭିଜନ୍ ଓ ଚଳଚ୍ଚିତ୍ର ଅଭିନେତା ଭୂପିନ୍ଦର୍ ସିଂହଙ୍କୁ ଗିରଫ କରାଯାଇ ତାଙ୍କ ନାମରେ ମାମଲା ରୁଜୁ କରାଯାଇଥିବା କଥା ‘ଟାଇମସ୍ ଅଫ୍ ଇଣ୍ଡିଆ’ ରିପୋର୍ଟ କରିଛି।
ଉତ୍ତର ପ୍ରଦେଶର ବିଜ୍ନୋର୍ରେ ଥିବା ‘ଫାର୍ମ’ରେ ବାଡ଼ ପୋତିବା ପାଇଁ ଡିସେମ୍ବର ୩ ତାରିଖ ଦିନ କିଛି ‘ନୀଳଗିରି’ଗଛ କାଟାଉଥିବାରୁ ପଡ଼ୋଶୀମାନେ ପ୍ରତିବାଦ କରିବାରୁ ସଂଘର୍ଷର ସୂତ୍ରପାତ ହୋଇଥିଲା।
ଉତ୍କ୍ଷିପ୍ତ ହୋଇ ଭୂପିନ୍ଦର୍ ନିଜ ଲାଇସେନ୍ସ୍ପ୍ରାପ୍ତ ବନ୍ଧୁକରୁ ନିର୍ବିଚାର ଭାବେ ଗୁଳି ଚଳାଇବାରୁ ଘଟଣାସ୍ଥଳରେ ଗୋବିନ୍ଦ ସିଂହ ନାମରେ ଜଣେ ୨୩ ବର୍ଷିୟ ଯୁବକଙ୍କର ମୃତ୍ୟୁ ଘଟିଥିଲା। ଏହି ଗୁଳିକାଣ୍ଡରେ ଗୋବିନ୍ଦଙ୍କ ବାପା ଗୁରୁଦୀପ, ମାଆ ମୀରା ବାଈ ଓ ବଡ଼ଭାଇ ଅମ୍ରିକ୍ ଗୁରୁତର ଆହତ ହୋଇଥିଲେ। କିନ୍ତୁ, ଗୋବିନ୍ଦଙ୍କ ଭଉଣୀ ଘଟଣାସ୍ଥଳରୁ ଦୌଡ଼ି ଯାଇ ପାଖ କ୍ଷେତରେ ଲୁଚିଯିବାରୁ ଆକ୍ରମଣରୁ ବର୍ତ୍ତି ଯାଇଛନ୍ତି।
ଗୁଳିକାଣ୍ଡର ୩ ଦିନ ପରେ ଅର୍ଥାତ୍ ବୁଧବାର ଦିନ ଗୁଳି ଚଳାଇଥିବା ଅଭିନେତା ଭୂପିନ୍ଦର ସିଂହ, ଘଟଣାସ୍ଥଳକୁ ଲାଠି ଧରି ଯାଇଥିବା ତାଙ୍କ ସହଯୋଗୀ ଜ୍ଞାନ ସିଂହ, ଜୀବନ ସିଂହ ଓ ଗୁରୁଜନ୍ତ ସିଂହଙ୍କୁ ଗିରଫ କରାଯାଇ ସେମାନଙ୍କ ନାମରେ ମାମଲା ରୁଜୁ କରାଯାଇଛି।
ଏହି ଘଟଣାରେ କର୍ତ୍ତବ୍ୟରେ ଅବହେଳା କରିଥିବା ୩ଜଣ ପୁଲିସ କର୍ମଚାରୀଙ୍କୁ ମଧ୍ୟ ବୁଧବାର ଦିନ ନିଲମ୍ବନ କରାଯାଇଛି।
୫୪ ବର୍ଷିୟ ଅଭିନେତା ଭୂପିନ୍ଦର ‘ୟେ ପ୍ୟାର୍ ନା ହୋଗା କମ୍’, ‘ଏକ୍ ହସିନା ଥି’, ‘ମଧୁବାଲା-ଏକ୍ ଇକ୍ସ୍ ଏକ୍ ଜୁନୂନ୍’, ‘ରିସ୍ତୋଁ କା ଚକ୍ରବ୍ୟୁହ୍’ ଏବଂ ‘ତେରେ ଶେହେର୍ ମୈଁ’ ଆଦି ଜନପ୍ରିୟ ଟେଲିଭିଜନ୍ ସିରିଏଲ୍ରେ ଅଭିନୟ କରିଛନ୍ତି।