ହାଇଦ୍ରାବାଦ: ଜଣେ ଅଜଣା ବ୍ୟକ୍ତି ଜଣେ ଟିଭି ଆଙ୍କରଙ୍କ ପରିଚୟ ଦେଇ ହାଇଦ୍ରାବାଦର ଜଣେ ମହିଳା ବ୍ୟବସାୟୀଙ୍କଠାରୁ ୪୦ ଲକ୍ଷ ଟଙ୍କ‌ା ଠକିନେଇ ଫେରାର ହୋଇଯିବା ପରେ ମହିଳା ବ୍ୟବସାୟୀ ଜଣକ ଉକ୍ତ ଟିଭି ଆଙ୍କରଙ୍କୁ ଅପହରଣ କରିଛନ୍ତି। ୫ଟି ଷ୍ଟାର୍ଟଅପ୍ କମ୍ପାନିର ପରିଚାଳନା ନିର୍ଦ୍ଦେଶକ ଭୋଗିରେଡ୍ଡୀ ତ୍ରିଶା ଠକେଇର ଶିକାର ହେବା ପରେ ଟିଭି ଆଙ୍କର ପ୍ରଣବ ସିଷ୍ଟଲାଙ୍କୁ ଅପହରଣ କରିଥିଲେ। ୩୧ ବର୍ଷୀୟା ତ୍ରିଶା ଏବଂ ତାଙ୍କର ୫ ଜଣ ସହଯୋଗୀଙ୍କୁ ଫେବ୍ରୁଆରି ୨୨ରେ ପୁଲିସ ଗିରଫ କରିଛି। ପୁଲିସର କହିବା ଅନୁଯାୟୀ, ମହିଳା ଜଣକ ଜଣେ ‘ଅନ୍ତରଙ୍ଗତା ଖୋଜୁଥିବା ପିଛାକାରୀ’ ଥିଲେ ଏବଂ ତାଙ୍କ ଗତିବିଧି ଜାଣିବା ପାଇଁ ଆଙ୍କରଙ୍କ କାରରେ ଏକ ଏୟାରଟ୍ୟାଗ୍ ମଧ୍ୟ ଯୋଡ଼ିଥିଲେ। ମହିଳା ଜଣକ ଦୁଇବର୍ଷ ତଳେ ଭାରତ ମାଟ୍ରିମୋନି ୱେବ୍‌ସାଇଟ୍ ଜରିଆରେ ଚୈତନ୍ୟ ରେଡ୍ଡୀ ନାମକ ଜଣେ ଅଜଣା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ। କଥାବାର୍ତ୍ତା ଆଗକୁ ବଢ଼ିବା ପରେ ସେମାନେ ହ୍ୱାଟ୍ସଆପ୍ ଓ ଇନଷ୍ଟାଗ୍ରାମରେ ଚାଟିଂ ଆରମ୍ଭ କରିଥିଲେ ଏବଂ ଭଲ ରିଟର୍ଣ୍ଣ ପ୍ରତିଶ୍ରୁତି ଦେଇ ତାଙ୍କୁ ନିବେଶ କରିବାକୁ କହିଥିଲେ।

Advertisment

ତ୍ରିଶା ଉକ୍ତ ବ୍ୟକ୍ତିଙ୍କୁ ୟୁପିଆଇ ଜରିଆରେ ୪୦ ଲକ୍ଷ ଟଙ୍କା ଦେଇଥିଲେ, କିନ୍ତୁ ଟଙ୍କା ପାଇବା ପରେ ଅଜଣା ବ୍ୟକ୍ତି ଜଣକ ତାଙ୍କୁ ଏଡ଼ାଇବା ଆରମ୍ଭ କରିଥିଲେ। ଠକେଇର ଶିକାର ହୋଇଥିବା ଜାଣିବା ପରେ ମହିଳା ଜଣକ ସେହି ପ୍ରୋଫାଇଲରେ ଦିଆଯାଇଥିବା ଫୋନ୍ ନମ୍ବରରେ ଯୋଗାଯୋଗ କରିଥିଲେ, ଯାହା ପ୍ରଣବଙ୍କର ବୋଲି ଜଣାପଡ଼ିଥିଲା। ଚୈତନ୍ୟ ରେଡ୍ଡୀ ନାମରେ କିଛି ଅଜଣା ବ୍ୟକ୍ତି ତାଙ୍କ ଫଟୋ ବ୍ୟବହାର କରି ଭାରତ ମାଟ୍ରିମୋନିରେ ନକଲି ଆକାଉଣ୍ଟ୍ ତିଆରି କରିଥିବା କଥା ସେ ତାଙ୍କୁ ଜଣାଇଥିଲେ ଏବଂ ସେ ସାଇବର ସେଲ୍‌ରେ ଅଭିଯୋଗ ମଧ୍ୟ କରିଥିଲେ। ଏହାପରେ ପ୍ରଣବ ତାଙ୍କ ଫୋନ୍ ନମ୍ବରକୁ ବ୍ଲକ୍ କରିଦେଇଥିଲେ। ତେବେ ମହିଳା ଜଣକ ପ୍ରଣବଙ୍କୁ ଅପହରଣ କରି ସତ୍ୟାସତ୍ୟ ଜାଣିବାକୁ ଯୋଜନା କରିଥିବା ପୁଲିସ କହିଛି। ଏହି ଅପରାଧ ପାଇଁ ତ୍ରିଶା ନିଜ କାର୍ଯ୍ୟାଳୟରେ କାମ କରୁଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ଦେଇଥିଲେ। ଫେବ୍ରୁଆରି ୧୧ରେ ମହିଳା ବ୍ୟବସାୟୀଙ୍କ ଏକ ଦଳ ପ୍ରଣବଙ୍କୁ ଅପହରଣ କରି ତାଙ୍କ କାର୍ଯ୍ୟାଳୟକୁ ନେଇ ଯାଇଥିଲେ। ଏହାପରେ ସେ କୌଣସି ପ୍ରକାରେ ଖସି ଯିବାରେ ସଫଳ ହୋଇଥିଲେ। ତେବେ ଅସଲ ମୂଳ ଅପରାଧୀ ଓ ଠକ ଚୈତନ୍ୟ ନାମକ ନକଲି ବ୍ୟକ୍ତି କିଏ ସେ ନେଇ ଖୋଳତାଡ଼ ଚାଲିଛି।