ଚେନ୍ନାଇ: ଅଭିନେତା ତଥା ରାଜନେତା ବିଜୟଙ୍କ ରାଲିରେ ଗତକାଲି ଦଳାଚକଟା ହୋଇଥିଲା। ଦଳାଚକଟା ପରେ ଆହତମାନଙ୍କୁ ଦୁର୍ଘଟଣାସ୍ଥଳରୁ ନେଉଥିବା ଆମ୍ବୁଲାନ୍ସ ଉପରେ ଗତକାଲି ଆକ୍ରମଣ ହୋଇଥିଲା। ଆମ୍ବୁଲାନ୍ସର ମାଲିକ ସୂର୍ଯ୍ୟ କହିଛନ୍ତି, ଆମେ ଲୋକଙ୍କୁ ଉଦ୍ଧାର କରିବାପାଇଁ ଚେଷ୍ଟା କରିବା ସମୟରେ ଟିଭିକେ କର୍ମୀମାନେ ଭାବିଥିଲେ ଯେ ଆମେ ଭିଡ଼ ହଟାଇବା ପାଇଁ ଚେଷ୍ଟା କରୁଛୁ। ‌ତେଣୁ ସେମାନେ ଆମ୍ବୁଲାନ୍ସ ଉପରେ ମଧ୍ୟ ଆକ୍ରମଣ କରିଥିଲେ। ୫ଟି ଆମ୍ବୁଲାନ୍ସକୁ ଟାର୍ଗେଟ୍‌ କରାଯାଇଥିବା ସେ ଅଭିଯୋଗ କରିଛନ୍ତି।

Advertisment

ଜଣେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଗାଡ଼ି ଚାବି ଛଡ଼ାଇ ନିଆଯାଇଥିଲା ଏବଂ ଫୋନ୍‌ ଜବତ ହୋଇଥିଲା।  ଏହାଫଳରେ ଉଦ୍ଧାର କାର୍ଯ୍ୟ ପାଖାପାଖି ୨ ଘଣ୍ଟା ବିଳମ୍ବ ହୋଇଥିବା ସେ କହିଛନ୍ତି।  ସୂର୍ଯ୍ୟଙ୍କ ଅଭିଯୋଗ ଅନୁଯାୟୀ ବିଜୟ ଯେଉଁଠାରେ ଭାଷଣ ଦେଉଥିଲେ ତା’ର ଡାହାଣ ପାର୍ଶ୍ବରେ ୩ଟି ମରଶରୀର ପଡ଼ିଥିଲା। କଂଗ୍ରେସ ନେତା ରମେଶ ଚେନ୍ନିଥଲା କରୁର ଦଳାଚକଟା ଘଟଣାରେ ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି। ଉକ୍ତ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବା ଉଚିତ ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ତାମିଲନାଡ଼ୁ ବିଜେପି ନେତା କେ ଆନ୍ନାମଲାଇ ଆଜି କରୁର୍‌ ହସ୍ପିଟାଲରେ ଆହତମାନଙ୍କୁ ଭେଟିଛନ୍ତି। ଆହତମାନଙ୍କୁ ସମସ୍ତ ସହଯୋଗ ପ୍ରଦାନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ବିଜେପି ମଧ୍ୟ ଉକ୍ତ ଘଟଣାରେ ଏକ ସିବିଆଇ ତଦନ୍ତ ଦାବି କରିଛି।