ମୋଦୀଙ୍କ ସମୟର ଭାରତକୁ ନେଇ ଇତିହାସ ଏକ ପୃଥକ୍ ଅଧ୍ୟାୟ କରିବାକୁ ବାଧ୍ୟ ହେବ। ସ୍ପର୍ଶକାତର ପ୍ରସଙ୍ଗଗୁଡ଼ିକର ଧ୍ରୁବୀକରଣ ଅନ୍ୟ ଆଉ କାହା ଅମଳରେ ଏତେ ସଂଖ୍ୟାରେ ହୋଇନଥିଲା। ଘଟଣାଚକ୍ର ଏପରି ହେଉଛି ଯେ ନିର୍ବିବାଦୀୟ ଲୋକେ ବିବାଦ ଭିତରକୁ ଟଣାହେବାକୁ ବାଧ୍ୟ। ମତମନ୍ତବ୍ୟ ଦେଇ ଟ୍ରୋଲ୍ ହେଉଛନ୍ତି। ‘ଇଣ୍ଡିଆ ବନାମ ଭାରତ’ ପ୍ରସଙ୍ଗରେ ସେହବାଗ, ବିଗ୍-ବି, ଅକ୍ଷୟକୁମାର ବି ବିବାଦ ଘେରରେ। ସେହବାଗ ଏହି ରାଜନୈତିକ ଆଲୋଚନାଟିରେ କ୍ଲିନ୍ବୋଲ୍ଡ ହୋଇଥିବା ସ୍ପଷ୍ଟ ହୋଇଛି। ମୂଳରୁ ହିଁ ନିଜ ସ୍ବଭାବସୁଲଭ ଶୈଳୀରେ ସେହବାଗ କହିଥିଲେ, ‘ଅଂଗ୍ରେଜୋଁ କା ଗେମ୍ ଖେଲୋ, ଉନ୍କା ଦିୟା ହୁଆ ନାମ୍ ମତ୍ ପେଲୋ’। ଚାଲିଲା ବିତଣ୍ଡା।
ରୋକ୍ଠୋକ୍ ସେହବାଗ ପୁଣି ଟ୍ବିଟ୍ କଲେ। ଏଥର ଲେଖିଲେ:- ‘‘ମୋର୍ ନା କେବେ ରାଜନୀତି ଇଚ୍ଛା ଥିଲା, ନା କେବେ ଆଗକୁ କରିବାର ଅଛି। ଚାହିଥିଲେ ଗତ ୨ଟି ଲୋକସଭା ନିର୍ବାଚନରେ ବି ମୋତେ ଦୁଇଦଳରୁ ଟିକଟ ମିଳିଥାନ୍ତା। ମୋର ଏକମାତ୍ର ଲକ୍ଷ୍ୟ ହେଲା ‘ଭାରତ’। ଏହି ନାଁ’ଟି ଶୁଣିକି କିଛି ଲୋକ ନିଜକୁ ଅସୁରକ୍ଷିତ କାହିଁକି ମନେ କରୁଛନ୍ତି ମୁଁ ବୁଝିପାରୁନି। ମିଳିତ ବିରୋଧୀ ମଞ୍ଚ ନିଜକୁ ଯେମିତି I.N.D.I.A କହୁଛି, ସେମିତି B.H.A.R.A.T ବୋଲି ମଧ୍ୟ କହିପାରିବ। ଆସନ୍ତା ନିର୍ବାଚନ ମୋଦୀ ବନାମ ମିଳିତ ମଞ୍ଚ ମଧ୍ୟରେ ହିଁ ହେବ। ଯିଏ ଭଲ ସିଏ ଜିତିବ।’’ ନୂଆ ସମ୍ବିଧାନରେ Indiaର ନାମକୁ Bharat ବୋଲି କୁହାଯିବା ସପକ୍ଷରେ କଂଗ୍ରେସ ପକ୍ଷରୁ ଗୃହୀତ ପ୍ରସ୍ତାବର ପ୍ରକାଶିତ ପୁରୁଣା ଖବର କ୍ଲିପିଂକୁ ମଧ୍ୟ ସେହବାଗ ପୋଷ୍ଟ କରିଛିନ୍ତି। ଏଥର ବଢ଼ିଚାଲିଲା ଯୁକ୍ତିତର୍କ। @Cryptic_Miindଙ୍କ ପୋଷ୍ଟ୍ରେ କୁହାଯାଇଛି, ‘ଇଣ୍ଡିଆ’ ନାମଟି ବ୍ରିଟିସ୍ ସରକାର ହିଁ ଦେଇଥିଲା ବୋଲି ଡାହା ମିଛଟିକୁ ପ୍ରସାର କରୁଛ। ‘ଭାରତ’ ଶବ୍ଦକୁ ନେଇ କେହି ଅସୁରକ୍ଷିତ ମଣୁନାହାନ୍ତି। ଆମେ ନିଜକୁ ଗର୍ବିତ ‘ଇଣ୍ଡିଆନ୍’ ଓ ‘ଭାରତୀୟ’ କହିଆସୁଛୁ। ଆମେ ‘ଭାରତ ଭାଗ୍ୟ ବିଧାତା’, ‘ମେରା ଭାରତ ମହାନ’ ପରି କଥା କୋଉ କାଳରୁ କହିଆସୁଛୁ। ଯଦି ‘ଇଣ୍ଡିଆ’ ଶବ୍ଦ ତମକୁ ଏତେ ଖରାପ ଲାଗୁଥିଲା, ‘ଟିମ୍ ଇଣ୍ଡିଆ’ ଲେଖାଥିବା ଜର୍ସି ପିନ୍ଧି ଖେଳୁଥିଲ ପୁଣି କେମିତି? ‘କେବଳ ଖବରରେ ରହିବା ପାଇଁ ଟ୍ବିଟ୍ଟି କରିଛ।
ArvindKushwaha@Arvind40091148 ତାଙ୍କୁ ଜଣେ କପଟାଚାରୀ ବୋଲି ଗାଳି କରିଛନ୍ତି। କଟାକ୍ଷ କରି କହିଛନ୍ତି:- ଟ୍ବିଟ୍ କରିବେ ଇଂରାଜୀରେ, ଅଥଚ ‘ଭାରତ’ ନାମ କଥା କହିବେ! ତୁମେ ପରା ସେଇ ସେହବାଗ, ଯିଏ ଖେଳପଡ଼ିଆରେ ଅଖତର, ୱାକାର୍, ଲି’ ପରି ବୋଲର୍ଙ୍କୁ ଛକା ଉଡ଼ାଉଥିଲ! ତୁମେ ପୁଣି ଏଇ ଫେକୁଙ୍କ ସମର୍ଥନ ପାଇଁ ନିୟୋଜିତ ହୋଇଯାଇଛ! ସିଧା କହୁନ କି ତୁମର ନାସନାଲ୍ କୋଚ୍ ହେବାର ଅଛି ବୋଲି! ବହୁତ ବଡ଼ ଖେଳାଳି ଥିଲ, କେହି ତୁମକୁ ଅଟକାଇପାରିବେନି। ଡରୁଛ କାହିଁକି?’
ଏମିତିରେ ବି ଆମ ଦେଶରେ ସେଲିବ୍ରିଟିମାନେ ନିଜ କ୍ଷେତ୍ର ବାହାରକୁ ଯାଇ ଗପିଲେ ବି ଲୋକେ ଗୁରୁତ୍ବ ଦିଅନ୍ତି। ତେଣୁ ସେହବାଗ କ’ଣ କହିଲେ ସେଇଟା ବେଶ୍ ଆଲୋଚିତ ହେଉଛି। ତେବେ Prof. AbhishekAsthana@abi4777ଙ୍କ ଟ୍ବିଟ୍ଟି ଏ ଦୃଷ୍ଟିରୁ ବେଶ୍ ତାତ୍ପର୍ଯ୍ୟପୂର୍ଣ୍ଣ:- ‘‘ଆଧୁନିକ କ୍ରିକେଟ୍ର ସବୁଠୁ ବିଧ୍ବଂସକାରୀ ଓପନିଂ ବ୍ୟାଟ୍ସମ୍ୟାନର ଆପଣଙ୍କ ସେଇ ରୂପ ଭିନ୍ନ ଆଉ କୌଣସି ଅବତାର ମୋ ପାଇଁ ଗ୍ରହଣଯୋଗ୍ୟ ନୁହେଁ।’’ ଭୀରୁଙ୍କ ସପକ୍ଷ ଯୁକ୍ତିରେ AK Chaudhary @twtlikeakhiladi କରିଥିବା ଭିଡିଓ ପୋଷ୍ଟଟି ବେଶ୍ ମଜାଦାର ଅଥଚ ଅର୍ଥପୂର୍ଣ୍ଣ ହୋଇଛି। ଲାଲୁ ଯାଦବ ଯୁବକ ଥିବା ବେଳର କଥା। ସେ ଦାନ୍ତକାଠି ଘଷୁଥିବା ଏହି ଭିଡିଓରେ ଏକ ପ୍ରଶ୍ନର ଉତ୍ତରରେ କହୁଛନ୍ତି, ‘‘ଦିଲ୍ଲୀ ଗଲେ କିନ୍ତୁ ଦାନ୍ତକାଠି ମିଳେନି, ବ୍ରସ୍ କରିବାକୁ ହୁଏ। ଦିଲ୍ଲୀ ହେଉଛି ଇଣ୍ଡିଆ ଓ ଆମ ରାଜ୍ୟ ହେଉଛି ଭାରତ।’’ ସାମାଜିକ ଗଣମାଧ୍ୟମ ଆଉ ଯାହା କରୁ ନ କରୁ, କେହି ବିଶିଷ୍ଟ ବ୍ୟକ୍ତି ଆଭିମୁଖ୍ୟ ବଦଳାଇଲେ ଧରାପକେଇ ଦଉଛି।
ଅହଂକାର ଓ ଅପରିପକ୍ବତା ଫେଣ୍ଟାଫେଣ୍ଟି
ସାଂଘାତିକ ଟ୍ରୋଲ୍ ହେଉଥିବା ଜାଣି ମଧ୍ୟ ଦଳ ଜଣେ ପରେ ଜଣେ ନେତାଙ୍କୁ ସୌମ୍ୟରଂଜନ ପଟ୍ଟନାୟକଙ୍କ ବିରୋଧରେ ବିତଣ୍ଡା ଯୁକ୍ତିରେ ନିୟୋଜିତ କରିବା ଦ୍ବାରା ସମାଲୋଚନା ଆହୁରି ଶାଣିତ ହେଉଛି। ଶ୍ରୀ ପଟ୍ଟନାୟକ କ’ଣ କରିଛନ୍ତି ବୋଲି ପ୍ରଶ୍ନ ପାଇଁ ଲୋକେ ଟ୍ରୋଲ୍ କରିବା ସହ ଉତ୍ତରରେ ଲୋକେ ନିଜ ତରଫରୁ ଶ୍ରୀ ପଟ୍ଟନାୟକଙ୍କ ଅବଦାନଗୁଡ଼ିକର କଥା ଉଲ୍ଲେଖ କରିଛନ୍ତି। ବରଂ ପାଣ୍ଡିଆନଙ୍କର ବିମାନ ଭଡ଼ା କିଏ ଦେଉଛି ପ୍ରଶ୍ନର ଉତ୍ତର ନ ଥିବା କର୍ମୀ ମହଲରେ ସ୍ବାଭାବିକ ଭାବେ ଅସ୍ବସ୍ତି ଆଣିଛି। ମନ୍ତ୍ରୀ ଟୁକୁନି ସାହୁ, ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ ଓ ପରେପରେ ଦୁଇ ମନ୍ତ୍ରୀ ଅତନୁ ସବ୍ୟସାଚୀ ଓ ପ୍ରତାପ ଦେବ, ବରିଷ୍ଠତାର ଢେର୍ ତଳେ ଥିବା ଜଣେ ବ୍ୟୁରୋକ୍ରାଟ୍ଙ୍କ ସପକ୍ଷରେ ସଫେଇ ଦେବା ଫଳରେ ରାଜ୍ୟର ସାମ୍ବିଧାନିକ ବ୍ୟବସ୍ଥାର ମର୍ଯ୍ୟାଦାହାନୀ ହେବା କାରୁଣ୍ୟ ସୃଷ୍ଟି କରୁଛି। ସେହିପରି କେବେ ନିଜେ ଭୋଟ୍ ଲଢ଼ି ନ ଥିବା ଦୁଇ ବିଜେଡି ନେତା ଲେନିନ ମହାନ୍ତି ଓ ଶ୍ରୀମୟୀ ମିଶ୍ର ମଧ୍ୟ ଏହି ପ୍ରସଙ୍ଗରେ ଯଥାକ୍ରମେ ଅରୁଚିକର ଓ ଅପରିପକ୍ବ ଯୁକ୍ତିରେ ନିୟୋଜିତ ହୋଇ ଟ୍ରୋଲ୍ ହୋଇଛନ୍ତି। ରାଜ୍ୟର ଏକ ନମ୍ବର ମିଡିଆ ହାଉସକୁ ବିଜ୍ଞାପନ ବନ୍ଦ କରିବା ପରି ଅତ୍ୟନ୍ତ ହାସ୍ୟାସ୍ପଦ ନିଷ୍ପତ୍ତିରୁ ଓହରିବା ପାଇଁ ଶାସକଙ୍କୁ (ସେ ଆଉ ଛାୟା ଶାସକ ନୁହନ୍ତି) ପ୍ରବର୍ତ୍ତାଇବେ କ’ଣ, ଓଲଟି ତାଙ୍କଦ୍ବାରା ବ୍ୟବହୃତ ହେବା ଲୋକଙ୍କର ନାପସନ୍ଦ ହୋଇଛି। ସପ୍ତାହେ ହେଲା ସାମାଜିକ ଗଣମାଧ୍ୟମର ଟ୍ରେଣ୍ଡ୍ ଯାହା, ତାକୁ ପଢ଼ି ନ ପାରିବା ବୁଦ୍ଧିମାନର କାର୍ଯ୍ୟ ବୋଲି ପ୍ରଶ୍ନ ଉଠୁଛି। ନବୀନ ଏ ସବୁ ଜାଣୁଛନ୍ତି ତ ବୋଲି ପ୍ରଶ୍ନ ହେଉଛି।
ନ କହିଥିଲେ ଭଲ ହୋଇଥାନ୍ତା
ଉଚ୍ଚ ପଦପଦବିରେ ଅଧିଷ୍ଠିତ ଓଡ଼ିଆମାନଙ୍କ ପ୍ରଦର୍ଶନ ଭଲ ରହିବା ରାଜ୍ୟବାସୀ ଚାହାନ୍ତି। ତେବେ ହିମାଚଳ ପ୍ରଦେଶର ମାଣ୍ଡିସ୍ଥିତ ଆଇଆଇଟିର ନିର୍ଦ୍ଦେଶକ ପ୍ରଫେସର ଲକ୍ଷ୍ମୀଧର ବେହେରାଙ୍କ କ୍ଷେତ୍ରରେ ଓଲଟା ହୋଇଛି। ପଶୁପକ୍ଷୀଙ୍କୁ ମାରି ତାଙ୍କ ମାଂସ ଖାଇଲେ ବାଦଲଫଟା ବର୍ଷା ଓ ଭୂସ୍ଖଳନ ପରି ପ୍ରାକୃତିକ ବିପର୍ଯ୍ୟୟ ଘଟୁଛି ବୋଲି ତାଙ୍କ ମତମନ୍ତବ୍ୟରୁ ବିବାଦ ସୃଷ୍ଟି ହୋଇଛି। ଆମ ଦେଶରେ ଧର୍ମକୁ ନେଇ ଲୋକେ ଯେତେ ସ୍ପର୍ଶକାତର ହୁଅନ୍ତୁ ନା କାହିଁକି, ବିଜ୍ଞାନ ସହ ସଂପୃକ୍ତ ଲୋକେ କେବଳ ବିଜ୍ଞାନକୁ ବିଶ୍ବାସ କରନ୍ତୁ ବୋଲି ସମସ୍ତେ ଚାହାନ୍ତି। ଅଯଥାରେ ଅପ୍ରସଙ୍ଗକୁ ଟାଣିଆଣିଲେ ନିଜ ବୃତ୍ତିଗତ ଜୀବନର ଉପଲବ୍ଧି ମଳିନ ହେବାର ଆଶଙ୍କା ଥାଏ, ସମ୍ଭବତଃ ପ୍ରଫେସର ବେହେରା ଏହା ଭାବି ନ ଥିବେ।