ନୂଆଦିଲ୍ଲୀ: ମୌସୁମୀ ଅଧିବେଶନର ଦଶମ ଦିନରେ ମଧ୍ୟ ବିରୋଧୀ ଦଳ ନେତାମାନେ ବିହାରରେ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରସଙ୍ଗରେ ଉଭୟ ଗୃହରେ ପ୍ରବଳ ହୋହଲ୍ଲା କରିଛନ୍ତି। ଏହି କାରଣ ପାଇଁ ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବାର ମାତ୍ର କିଛି ମିନିଟ୍‌ ମଧ୍ୟରେ ଉଭୟ ଲୋକସଭା ଏବଂ ରାଜ୍ୟସଭାକୁ ସୋମବାର ସକାଳ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି।  ବିହାରରେ ଏସ୍‌ଆଇଆର ପ୍ରସଙ୍ଗରେ ସ୍ବତନ୍ତ୍ର ଆଲୋଚନା ପାଇଁ ଦାବି କରି ବିରୋଧୀ ଦଳ ସଦସ୍ୟମାନେ ଆଜି ଲୋକସଭା ବାଚସ୍ପତିଙ୍କ ନିକଟକୁ ଏକ ଚିଠି ଲେଖିଛନ୍ତି।  ଅନ୍ୟପକ୍ଷରେ ଆଜି କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ସ୍ପଷ୍ଟ କରି କହିଛନ୍ତି ଯେ ବିହାରରେ ଏସ୍‌ଆଇଆର୍‌ ପ୍ରସଙ୍ଗରେ ସଂସଦରେ କୌଣସି ଆଲୋଚନା ହେବନାହିଁ।  ରିଜିଜୁ କହିଛନ୍ତି, ମୁଁ ଏହା ସ୍ପଷ୍ଟ କରିବାକୁ ଚାହେ ଯେ ସରକାର ନିୟମ ମୁତାବକ ଯେ କୌଣସି ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି। କିନ୍ତୁ  ଏସ୍‌ଆଇଆର୍‌ ଉପରେ ଆଲୋଚନା ହୋଇପାରିବନି।  ସମ୍ପୂର୍ଣ୍ଣ ଭାବେ  ଏକ ସାମ୍ବିଧାନିକ ଅନୁଷ୍ଠାନ ନିର୍ବାଚନ କମିସନ୍‌ଙ୍କ  ଦ୍ବାରା ଏହି ପ୍ରକ୍ରିୟା ପରିଚାଳନା କରାଯାଇଛି ଏବଂ ପୂର୍ବରୁ ମଧ୍ୟ ଏହି ପ୍ରକ୍ରିୟା ଅନେକ ଥର ହୋଇଛି ବୋଲି ରିଜିଜିୁ କହିଛନ୍ତି। ସୂଚନାଯୋଗ୍ୟ, ବିରୋଧୀଙ୍କ ହୋହଲ୍ଲା ମଧ୍ୟରେ ଆଜି ଉଭୟ ଗୃହରେ କୌଣସି କାର୍ଯ୍ୟ ହୋଇପାରିନି। ଲୋକସଭାରେ ଆଜି ୩ଟି ବିଲ୍‌ ଉପରେ ବିତର୍କ ହୋଇଥାନ୍ତା। କିନ୍ତୁ ହଟ୍ଟଗୋଳ ପାଇଁ କୌଣସି କାମ ଆଗକୁ ବଢ଼ିପାରିନି।  

Advertisment

ଅନ୍ୟପକ୍ଷେ ବିହାରରେ ଏସ୍‌ଆଇଆର୍‌ ପ୍ରସଙ୍ଗରେ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ ଭେଟିଛନ୍ତି।  ଭୋଟର ତାଲିକା ସ‌ଂଶୋଧନ ଉପରେ ଏକ ସ୍ବତନ୍ତ୍ର ଆଲୋଚନା ଦାବି କରି ବିରୋଧୀମାନେ ବାଚସ୍ପତିଙ୍କୁ ଚିଠି ଲେଖିବାପରେ ରାହୁଲ ଆଜି ବାଚସ୍ପତିଙ୍କୁ ଭେଟିଛନ୍ତି। ଇତି ମଧ୍ୟରେ ଟିଏମ୍‌ସି ସାଂସଦ ଡେରେକ୍‌ ଓବ୍ରାଏନ ଶୁକ୍ରବାର ରାଜ୍ୟସଭା କାର୍ଯ୍ୟକ୍ରମକୁ ଅପ୍ରତ୍ୟା‌ଶିତ କହିଛନ୍ତି।  ବିରୋଧୀ ସାଂସଦଙ୍କୁ ଗୃହର ମଧ୍ୟଭାଗକୁ ଯାଇ ବିରୋଧ ପ୍ରଦର୍ଶନ କରିବାରୁ ଅଟକାଯାଇଛି ବୋଲି ଅଭିଯୋଗ ହୋଇଛି। ଏକ୍ସରେ ଏକ ପୋଷ୍ଟ୍‌ କରି ଡେରେକ୍‌ କହିଛନ୍ତି,  ରାଜ୍ୟସଭା ଆଜି ଅପ୍ରତ୍ୟାଶିତ ଥିଲା।  ମାର୍ଶାଲମାନେ ଗୃହର ମଧ୍ୟଭାଗକୁ ବ୍ୟାାରିକେଡ୍‌ କରିଥିଲେ।  ଏଆଇଟିସି, ଡିଏମ୍‌କେ ଏବଂ ଆପ୍‌ ସାଂସଦମାନଙ୍କୁ ଗୃହର ମଧ୍ୟଭାଗକୁ ଯିବାପାଇଁ ଦିଆଯାଇ ନଥିଲା।  ଏଭଳି ସ୍ଥିତି ପୂର୍ବରୁ କେବେ ଦେଖିନାହୁଁ । ଏସଆଇଆର-ଭୋଟ୍‌ ଚୋରି ଉପରେ ଆଲୋଚନା ପାଇଁ ଏତେ ଭୟ କାହିଁକି ବୋଲି ସେ ପଚାରିଛନ୍ତି।