ନୂଆଦିଲ୍ଲୀ: ବୁଧବାର ଦିନ କେନ୍ଦ୍ର ସରକାରରୁ ଡଜନେ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ଏମାନଙ୍କ ମଧ୍ୟରେ ଅନେକ ହେଭିୱେଟ୍ ମନ୍ତ୍ରୀ ବି ରହିଛନ୍ତି। ମୁଖ୍ୟତଃ ଖରାପ ପ୍ରଦର୍ଶନ ଥିବା ଏବଂ ମୋଦୀ ବ୍ରାଣ୍ଡ୍ ପ୍ରତି ଆଞ୍ଚ ପହଞ୍ଚାଇବା ମନ୍ତ୍ରୀମାନଙ୍କୁ ବାଦ୍ ଦିଆଯାଇଛି। ବାଦ୍ ପଡ଼ିଥିବା ମନ୍ତ୍ରୀମାନଙ୍କ ମଧ୍ୟରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ, ଆଇନ ଓ ଆଇଟି ମନ୍ତ୍ରୀ ରବି ଶଙ୍କର ପ୍ରସାଦ, ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ପ୍ରମୁଖ ରହିଛନ୍ତି। ଦେଶରେ ପ୍ରଥମ ଲହର ପରେ ବିଜେପି କର୍ମୀ ଏବଂ ନେତୃବୃନ୍ଦ କରୋନା ନିୟନ୍ତ୍ରଣ ପାଇଁ ମୋଦୀଙ୍କ ନେତୃତ୍ବକୁ ଢେର୍ ପ୍ରଶଂସା କରିଥିଲେ। କିନ୍ତୁ ଏହାପରେ ଦେଶରେ ଦ୍ବିତୀୟ ଲହର ଆସି ବ୍ୟାପକ ଜୀବନହାନି କରିଲା। ସରକାର ଏଥିପାଇଁ ବଦନାମ ହେଲେ। ସେହିଭଳି ଟିକା ଅଭାବ ନେଇ ସରକାରଙ୍କୁ ଅନେକ ଅପବାଦ ମୁଣ୍ଡାଇବାକୁ ପଡ଼ିଲା। ଏଥିପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କୁ ମନ୍ତ୍ରୀ ପଦ ହରାଇବାକୁ ପଡ଼ିଲା ବୋଲି କୁହାଯାଉଛି।
ରବି ଶଙ୍କର ପ୍ରସାଦ ମଧ୍ୟ ସମାନ କାରଣ ପାଇଁ ମନ୍ତ୍ରୀପଦ ହରାଇଛନ୍ତି। ଅଦାଲତରେ ଗତ କିଛି ମାସ ମଧ୍ୟରେ ସରକାରଙ୍କୁ ଅପଦସ୍ତ ହେବାକୁ ପଡ଼ିଛି। ଟିକା ସଂଗ୍ରହ ଠାରୁ ଆରମ୍ଭ କରି ଅକ୍ସିଜେନ୍ ଯୋଗାଣ ପର୍ଯ୍ୟନ୍ତ ବିଭିନ୍ନ ମାମଲାରେ ସରକାର ସୁପ୍ରିମ କୋର୍ଟରେ ଝାଳନାଳ ହୋଇଥିଲେ। ସେହିଭଳି ପ୍ରକାଶ ଜାଭଡେକର ସରକାରଙ୍କର ପ୍ରଥମ ପ୍ରବକ୍ତା। ସୂଚନା ଓ ପ୍ରସାରଣ ମନ୍ତ୍ରୀଭାବେ ସରକାରଙ୍କୁ ଅସୁବିଧା ସମୟରେ ଯେଉଁଭଳି ଭାବେ ସୁରକ୍ଷା ଦେବା ଏବଂ ବିରୋଧୀଙ୍କ ସାମ୍ନା କରିବା କଥା ସେଥିରେ ବିଫଳ ହୋଇଛନ୍ତି। ଏଥିପାଇଁ ଜାଭଡେକରଙ୍କୁ ମନ୍ତ୍ରୀପଦରୁ ହଟାଇ ଦିଆଯାଇଛି। ସେହିଭଳି ମୋଦୀ କ୍ୟାବିନେଟରେ ଶିକ୍ଷାମନ୍ତ୍ରୀ ଥିବା ରମେଶ ପୋଖରିୟାଲଙ୍କୁ ମଧ୍ୟ ବିଦା କରାଯାଇଛି। କେନ୍ଦ୍ରମନ୍ତ୍ରୀ ସଦାନନ୍ଦ ଗୌଡ଼ା ମଧ୍ୟ ମନ୍ତ୍ରିଭାବେ ସକ୍ରିୟ ନଥିଲେ। ତେଣୁ ତାଙ୍କୁ ହଟାଇ ଦିଆଯାଇଛି। ଉପରୋକ୍ତ ମନ୍ତ୍ରୀମାନଙ୍କ ସହିତ ଅନ୍ୟ ଯେଉଁମାନଙ୍କୁ ମନ୍ତ୍ରିମଣ୍ଡଳରୁ ହଟାଇ ଦିଆଯାଇଛି ସେମାନେ ହେଲେ ସନ୍ତୋଷ ଗଙ୍ଗୱାର, ବବୁଲ ସୁପ୍ରିୟୋ, ସଂଜୟ ଧୋତ୍ରେ, ରତନ ଲାଲ କଟାରିଆ, ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏବଂ ଦେବଶ୍ରୀ ଚୌଧୁରୀ।
ନୂଆଦିଲ୍ଲୀ : ଗତକାଲି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସହ କିଛି ପ୍ରମୁଖ ମୁହଁ ବାଦ୍ ପଡ଼ିଯାଇଛନ୍ତି। ୪ ବରିଷ୍ଠ କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ, ପ୍ରକାଶ ଜାଭଡ଼େକର, ଡାକ୍ତର ହର୍ଷବର୍ଦ୍ଧନ, ରମେଶ ପୋଖରିୟାଲ ନିଶଙ୍କ ସମେତ ଗତକାଲି ମୋଟ୍ ୧୧ ଜଣ ଇସ୍ତଫା ଦେଇଛନ୍ତି। ଦିନକ ପୂର୍ବରୁ ଥାୱରଚାନ୍ଦ ଗେହଲଟ୍ଙ୍କୁ କର୍ଣ୍ଣାଟକ ରାଜ୍ୟପାଳ କରାଯିବା ପରେ ସେ ଇସ୍ତଫା ଦେଇଥିଲେ। ତେବେ ଗତକାଲିର ୧୧ ଇସ୍ତଫା କେବଳ ଗୋଟିଏ ଫୋନ୍ କଲ୍ରେ ହୋଇଥିଲା। ମିଳିଥିବା ସୂଚନାନୁଯାୟୀ ବିଜେପି ମୁଖ୍ୟ ଜେପି ନଡ୍ଡା ବ୍ୟକ୍ତିଗତ ଭାବେ ଫୋନ୍ କରି ମନ୍ତ୍ରୀମାନଙ୍କୁ ଇସ୍ତଫା ଦେବାପାଇଁ କହିଥିଲେ। ସମ୍ପ୍ରସାରଣ ସମୟ ପାଖେଇ ଆସିବାପରେ ନଡ୍ଡା ୧୧ କେନ୍ଦ୍ରମନ୍ତ୍ରୀଙ୍କୁ ଫୋନ୍ କରିଥିଲେ ଏବଂ ଇସ୍ତଫାପତ୍ର ପ୍ରସ୍ତୁତ କରିବାପାଇଁ କହିଥିଲେ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବି ଶଙ୍କର ପ୍ରସାଦ, ପ୍ରକାଶ ଜାଭଡ଼େକର, ହର୍ଷବର୍ଦ୍ଧନ, ରମେଶ ପୋଖରିୟାଲ ,ଡିଭି ସଦାନନ୍ଦ ଗୌଡ଼ା, ସନ୍ତୋଷ ଗଙ୍ଗୱର, ସଂଜୟ ଧୋତ୍ରେ, ଦେବଶ୍ରୀ ଚୌଧରୀ, ରତ୍ତନ ଲାଲ୍ କଟାରିଆ, ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବାବୁଲ୍ ସୁପ୍ରିୟୋଙ୍କ ଇସ୍ତଫାପତ୍ର ଗ୍ରହଣ କରିଥିଲେ। ମୋଟ୍ ୬ କ୍ୟାବିନେଟ୍ ମନ୍ତ୍ରୀ , ଜଣେ ରାଷ୍ଟ୍ର ମନ୍ତ୍ରୀ (ସ୍ବାଧୀନ ଦାୟିତ୍ବ) ଏବଂ ୫ ଜଣ ରାଷ୍ଟ୍ର ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବାପରେ କିଛି ନେତା ସେମାନଙ୍କ ସୋସିଆଲ୍ ମିଡିଆ ପ୍ରୋଫାଇଲ୍ ବଦଳାଇ ଦେଇଛନ୍ତି।