ଥାନେରେ ବୀଭତ୍ସ କାଣ୍ଡ: ୯ ମାସ ଧରି ନାବାଳିକାକୁ ଗଣଦୁଷ୍କର୍ମ କରିଛନ୍ତି ୨୯ ଜଣ

୨୬ ଗିରଫ, ୨ ଅଟକ

ଥାନେ : ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ଅତି ବିଭତ୍ସ କାଣ୍ଡ ଘଟିଛି। ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ଦୀର୍ଘ ୯ ମାସ ଧରି ଗଣଦୁଷ୍କର୍ମ କରିଛନ୍ତି ୨୯ ଜଣ । ଏହି ଅପରାଧରେ ୨ ଜଣ ନାବାଳକ ବି ସାମିଲ ଅଛନ୍ତି। ଏହି ଘଟଣା ଆଜି ଲୋକଲୋଚନାକୁ ଆସିବା ପରେ ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି । ଗତ ଜାନୁଆରିରୁ ଚଳିତ ସେପ୍ଟେମ୍ବର ମଧ୍ୟରେ ଏହି ଘଟଣା ଘଟିଛି। ଅଭିଯୁକ୍ତମାନେ ପୀଡ଼ିତାର ଭିଡିଓ ବ୍ୟବହାର କରି ତାକୁ ବାରମ୍ବାର ନିର୍ଯାତନା ଦେଉଥିଲେ ଏବଂ ବ୍ଲାକମେଲ୍‌ କରୁଥିଲେ। ଶେଷରେ ପୀଡ଼ିତା ତାଙ୍କ ପ୍ରତି ହେଉଥିବା ବର୍ବରତା ସହ୍ୟ କରିନପାରି ଗତ ରାତିରେ ମନପଡ଼ା ଥାନାରେ ଅଭିଯୋଗ କରିବାପରେ ଏହି ଘଟଣାର ପର୍ଦ୍ଦାଫାସ ହୋଇଛି।

ଉକ୍ତ ମାମଲାରେ ପୁଲିସ ୨୬ ଜଣଙ୍କୁ ଗିରଫ କରିଛି ଏବଂ ୨ ଜଣ ନାବାଳକଙ୍କୁ ଅଟକ ରଖିଛି। ଏସିପି ଦତ୍ତତ୍ରେୟ କରାଲେ କହିଛନ୍ତି, ପୀଡ଼ିତା ମନପଡ଼ା ଥାନାରେ ପହଞ୍ଚି ତାଙ୍କ ସହ ଗତ ୯ ମାସ ଧରି ଯାହା ହୋଇଥିଲା ସବୁ କହିଛନ୍ତି। ଜାନୁଆରିରୁ ଚଳିତ ସେପ୍ଟେମ୍ବର ୨୨ ମଧ୍ୟରେ ତାଙ୍କ ପ୍ରତି ଯେଉଁ ‌ଯୌନ ଅତ୍ୟାଚାର ହୋଇଥିଲା ସେଥିରେ ସେ ୨୯ ଜଣଙ୍କ ନାମ ନେଇଛନ୍ତି। ପୁଲିସ ତୁରନ୍ତ ଉକ୍ତ ଘଟଣାରେ ତଦନ୍ତ କରି ୨୩ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି। ସ ସେମାନେ ପୀଡ଼ିତାଙ୍କୁ ଡୋମ୍ବିଭଲି, ରବାଲେ, ମୁରବାଦ, ବାଦଲପୁର ଏବଂ ଅନ୍ୟ ସ୍ଥାନମାନଙ୍କରେ ଯୌନ ନିର୍ଯାତନା ଦେଇଛନ୍ତି। ସମସ୍ତ ଅଭିଯୁକ୍ତମାନଙ୍କ ବିରୋଧରେ ପୋକ୍ସ ଆଇନ ଅଧୀନରେ ମାମଲା ରୁଜୁ ହୋଇଛି। ଏନ୍‌ସିପି (ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି) ଏବଂ ଆର୍‌ପିଆଇ( ରିପବ୍ଲିକାନ ପାର୍ଟି ଅଫ୍‌ ଇଣ୍ଡିଆ) କର୍ମୀମାନେ ଆଜି ମନପଡ଼ା ଥାନା ଘେରାଉ କରିଛନ୍ତି ଏବଂ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର