ଅମ୍ଳଜାନ ଅଭାବରୁ ତିରୁପତି ହସ୍ପିଟାଲରେ ୨୩ ଜଣଙ୍କ ମୃତ୍ୟୁ ହୋଇଥିଲା

ମୃତକ ପରିବାର ପିଛା ମିଳିଛି ୧୦ ଲକ୍ଷ ଟଙ୍କା

ବିଜୟୱାଡ଼ା: ତିରୁପତିସ୍ଥିତ ଏସ୍‌ଭିଆର୍‌ ରୁଇଆ ସରକାରୀ ଜେନେରାଲ ହସ୍ପିଟାଲରେ ମେ ୧୦ ତାରିଖରେ ହୋଇଥିବା ମୃତ୍ୟୁ ଘଟଣାର କାରଣ ବିଷୟରେ ରାଜ୍ୟ ସରକାର ଆନ୍ଧ୍ରପ୍ରଦେଶ ହାଇକୋର୍ଟରେ ଶନିବାର ଏକ ସତ୍ୟପାଠ ଦାଖଲ କରିଛନ୍ତି। ଚିତୋର ଜିଲ୍ଲାପାଳ ଏବଂ ରୁଇଆ ହସ୍ପିଟାଲର କର୍ତ୍ତୃପକ୍ଷଙ୍କ ତରଫରୁ ପ୍ରଦତ୍ତ ରିପୋର୍ଟ ମଧ୍ୟ ସତ୍ୟପାଠ ସହ କୋର୍ଟରେ ଉପସ୍ଥାପନ କରାଯାଇଥିଲା। ପ୍ରମୁଖ ସଚିବ (ସ୍ବାସ୍ଥ୍ୟ) ଅନିଲ କୁମାର ସିଂଘାଲ ଦାଖଲ କରିଥିବା ସତ୍ୟପାଠରେ କହିଛନ୍ତି ଯେ, ହସ୍ପିଟାଲକୁ ଅମ୍ଳଜାନ ଯୋଗାଉଥିବା ଶ୍ରୀଭାରତ ଫାର୍ମା ଏବଂ ମେଡିକାଲ ଅକ୍ସିଜେନ୍ ଡିଷ୍ଟ୍ରିବ୍ୟୁଟରଙ୍କ ଅବହେଳା ଯୋଗୁ ରୁଇଆ ହସ୍ପିଟାଲରେ କୋଭିଡ୍‌ ରୋଗୀମାନଙ୍କର ମୃତ୍ୟୁ ଘଟିଲା। ଏଥିରେ ପୁଣି କୁହାଯାଇଛି ଯେ, କଣ୍ଟ୍ରାକ୍ଟରଙ୍କ ଅବହେଳାରୁ ହସ୍ପିଟାଲକୁ ଅମ୍ଳଜାନ ଯୋଗାଣ ହୋଇପାରିଲା ନାହିଁ। ଫଳରେ ୨୩ ଜଣ ଗୁରୁତର ରୋଗୀଙ୍କର ମୃତ୍ୟୁ ଘଟିଲା। ଏଥିପାଇଁ ସମ୍ପୃକ୍ତ କଣ୍ଟ୍ରାକ୍ଟରଙ୍କ ବିରୋଧରେ ପୁଲିସ ଦ୍ବାରା ଏତଲା ଦାଏର କରାଯାଇଥିଲା ବୋଲି ରାଜ୍ୟ ସରକାର ତାଙ୍କ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ସରକାର ପୁଣି ଜଣାଇଥିଲେ ଯେ ମୃତକଙ୍କ ପରିବାରଗୁଡ଼ିକୁ ୧୦ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ପ୍ରଦାନ କରାଯାଇଛି।

ମେ ୧୦ ତାରିଖରେ ଉକ୍ତ ହସ୍ପିଟାଲରେ କିଛି ସମୟ ପାଇଁ ଅମ୍ଳଜାନ ଯୋଗାଣ ବ୍ୟାହତ ହେବା ଯୋଗୁ ୧୧ ଜଣ ରୋଗୀଙ୍କର ଜୀବନ ଯାଇଥିଲା। ଜିଲ୍ଲାପାଳ ଏମ୍ ହରିନାରାୟଣ ଯେ କି ସେ ସମୟରେ ହସ୍ପିଟାଲକୁ ଯାଇଥିଲେ, ସେ ସ୍ପଷ୍ଟ କରିଥିଲେ ଯେ ଅମ୍ଳଜାନ ଯୋଗାଣରେ କିଛି ସମୟ ବିଳମ୍ବ ହେବା ଯୋଗୁ ରୁଇଆ ହସ୍ପିଟାଲରେ ଉକ୍ତ ଦିନ ୧୧ ଜଣ ରୋଗୀଙ୍କର ମୃତ୍ୟୁ ହୋଇଥିଲା। ଏହାର ଆଉ କିଛି ସମୟ ପରେ ଆଉ ୧୨ ଜଣଙ୍କର ସମାନ କାରଣରୁ ମୃତ୍ୟୁ ହୋଇଥିବା ହସ୍ପିଟାଲ କର୍ତ୍ତୃପକ୍ଷ ଅବଗତ କରାଇଥିଲେ। ଅର୍ଥାତ୍ ମୋଟ ୨୩ ଜଣଙ୍କର ମାନବୀୟ ଅବହେଳାରୁ ମୃତ୍ୟୁ ଘଟିଥିଲା। ଏହାପରେ ଟିଡିପି ନେତା ତଥା ପୂର୍ବତନ ଏସ୍‌ଏଏପି ଅଧ୍ୟକ୍ଷ ପି.ଆର୍. ମୋହନ ରୁଇଆ ସରକାରୀ ହସ୍ପିଟାଲରେ ୪୦ରୁ ଊର୍ଦ୍ଧ୍ବ ମୃତ୍ୟୁ ପାଇଁ ଦାୟୀ ବ୍ୟକ୍ତିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର କରିଥିଲେ। ହାଇକୋର୍ଟ ଏ ସମ୍ପର୍କରେ ପୂର୍ଣ୍ଣାଙ୍ଗ ବିବରଣୀ ସହ ସତ୍ୟପାଠ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ଆଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର