ନୋଟାଠାରୁ କମ୍‌ ଭୋଟ୍ ବ୍ୟବଧାନରେ ହାରିଛନ୍ତି ୟୁପିର ୨୨ ପ୍ରାର୍ଥୀ

ଉତ୍ତରପ୍ରଦେଶରେ ଚାରି-ପଞ୍ଚମାଂଶ ପ୍ରାର୍ଥୀଙ୍କ ଅମାନତ ବୁଡ଼ିଲା

ଲକ୍ଷ୍ନୌ, ୧୨/୩: ଉତ୍ତର ପ୍ରଦେଶ ନିର୍ବାଚନରେ ନୋଟା ବା ନନ୍ ଅଫ୍‌ ଦି ‌ଏବୋଭ୍‌ରେ ୦.୬୯ ପ୍ରତିଶତ ଭୋଟ୍ ପଡ଼ିଛି। ସଂଖ୍ୟା ହିସାବରେ ଦେଖି‌ଲେ ୬,୩୭,୩୦୪ ଖଣ୍ଡ ଭୋଟ ନୋଟାକୁ ମିଳିଛି। ୨୦୧୭ ବିଧାନସଭା ନିର୍ବାଚନରେ ନୋଟାକୁ ୦.୮୭ ପ୍ରତିଶତ ବା ୭,୫୭,୬୪୩ ଖଣ୍ଡ ଭୋଟ ମିଳିଥିଲା। ତେବେ ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା ୨୨ ଜଣ ପ୍ରାର୍ଥୀ ସେମାନଙ୍କ ନିର୍ବାଚନ ମଣ୍ଡଳୀରେ ଯେତିକି ଭୋଟ୍ ବ୍ୟବଧାନରେ ହାରିଛନ୍ତି ତାହା ନୋଟାକୁ ମିଳିଥିବା ଭୋଟ୍‌ସଂଖ୍ୟା ଠାରୁ କମ୍‌। ଏମାନଙ୍କ ମଧ୍ୟରେ ସମାଜବାଦୀ ପାର୍ଟି (ସପା)ର ୧୩ ଜଣ ପ୍ରାର୍ଥୀ ରହିଛନ୍ତି।
ଧରମ ସିଂହ ସୈନି ଯେ କି ନିକଟରେ ବିଜେପି ଛାଡ଼ି ସପାରେ ଯୋଗ‌ ଦେଇଥିଲେ ସେ ନକୁର ଆସନରୁ ୩୧୫ ଖଣ୍ଡ ଭୋଟରେ ହାରି ଯାଇଛନ୍ତି। ସେଠାରେ ନୋଟାକୁ ୭୧୦ ଖଣ୍ଡ ଭୋଟ ମିଳିଛି। ବିଳାସପୁରରେ ବିଜେପିର ବଲଦେବ ସିଂହ ଔଲାଖ ସପାର ଅମରଜିତ ସିଂହଙ୍କୁ ୩୦୭ ଖଣ୍ଡ ଭୋଟରେ ପରାଜିତ କରିଛନ୍ତି। ସେଠାରେ ନୋଟାକୁ ୧୧୯୭ ଖଣ୍ଡ ଭୋଟ ମିଳିଛି। ବରାଉତ୍‌ରେ ଆର‌ଏଲ୍‌ଡିର ଜୟବୀର ବିଜେପିର କ୍ରିଷ୍ଣନ ପାଲ ମଲିକଙ୍କ ଠାରୁ ୩୧୫ ଖଣ୍ଡ ଭୋଟରେ ହାରିଛନ୍ତି। ସେଠାରେ ନୋଟାକୁ ୫୭୯ ଖଣ୍ଡ ଭୋଟ ମିଳିଛି। ବିଜେପିର ପ୍ରଦର୍ଶନକୁ ମଧ୍ୟ ନୋଟା ପ୍ରଭାବିତ କରିଛି। ଏହି ଦଳର ୭ ଜଣ ପ୍ରାର୍ଥୀ ନୋଟାକୁ ମିଳିଥିବା ଭୋଟ୍‌ଠାରୁ କମ୍‌ ଭୋଟ ବ୍ୟବଧାନରେ ପରାଜିତ ହୋଇଛନ୍ତି। ବିଜେପିର କମଳେଶ ସୈନି ଚାନ୍ଦପୁରରେ ସପାର ସ୍ବାମୀ ଓ‌ମ‌ବେଶ୍‌ଙ୍କ ଠାରୁ ୨୩୪ ଖଣ୍ଡ ଭୋଟ ବ୍ୟବଧାନରେ ହାରିଥିବାବେଳେ ଏଠାରେ ନୋଟାକୁ ୮୫୪ ଖଣ୍ଡ ଭୋଟ ମିଳିଛି। ଦୋମାରିୟାଗଞ୍ଜରେ ବିଜେପିର ରାଘବେନ୍ଦ୍ର ପ୍ରତାପ ସିଂହ ସପାର ସାଇଦା ଖାତୁନଙ୍କ ଠାରୁ ୭୭୧ ଖଣ୍ଡ ଭୋଟରେ ପରାଜିତ ହୋଇଥିବାବେଳେ ଏଠାରେ ନୋଟାକୁ ୧୧୨୪ ଖଣ୍ଡ ଭୋଟ ମିଳିଛି। ଫରେନ୍ଦ୍ରାରେ କଂଗ୍ରେସର ବିରେନ୍ଦ୍ର ଚୌଧୁରୀ ବିଜେପି ପ୍ରାର୍ଥୀଙ୍କ ଠାରୁ ୧୨୪୬ ଖଣ୍ଡ ଅଧିକ ଭୋଟ ପାଇ ଜିତିଛନ୍ତି। କିନ୍ତୁ ଏଠାରେ ନୋଟାକୁ ମିଳିଛି ୧୪୮୪ ଖଣ୍ଡ ଭୋଟ ମିଳିଛି। ସେହିଭଳି ଜସରାଣାରେ ବିଜେପିର ମାନବେନ୍ଦ୍ର ପ୍ରତାପ ସିଂହ ସପାର ସଚିନ ଯାଦବଙ୍କ ଠାରୁ ୮୩୬ ଖଣ୍ଡ ଭୋଟ ବ୍ୟବଧାନରେ ପରାଜିତ ହୋଇଥିବାବେଳେ ଏଠାରେ ନୋଟାକୁ ୧୫୮୦ ଖଣ୍ଡ ଭୋଟ ମିଳିଛି।

ଉତ୍ତରପ୍ରଦେଶରେ ଚାରି-ପଞ୍ଚମାଂଶ ପ୍ରାର୍ଥୀଙ୍କ ଅମାନତ ବୁଡ଼ିଲା


ଚଳିତ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ମୋଟ ୪୪୪୨ ଜଣ ପ୍ରାର୍ଥୀ ଠିଆ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୭୯ ପ୍ରତିଶତରୁ ଅଧିକ ବା ୩୫୨୨ ଜଣ ଅମାନତ ରାଶି ହରାଇଛନ୍ତି। ମୋଟ ୨୮୮ଟି ଦଳ ନିର୍ବାଚନରେ ଭାଗ ନେଇଥିବା ବେଳେ ୨୭୫ଟି ଦଳର ସମସ୍ତ ପ୍ରାର୍ଥୀ ଅମାନତ ହରାଇଛନ୍ତି।

 

ସମ୍ବନ୍ଧିତ ଖବର