ସୁପରଟେକର ଟ୍ୱିନ ଟାୱାର ଧ୍ୱସ୍ତ, ୫୦୦ କୋଟି କ୍ଷତି

ନଏଡ଼ା : ନଏଡ଼ାର ସେକ୍ଟର ୯୩-ଏରେ ରବିବାର ଦିନ ସୁପରଟେକର ଟ୍ବିନ ଟାୱାରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଭଙ୍ଗାଯାଇଛି। ଏବାବଦରେ କମ୍ପାନିକୁ ୫୦୦ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି ବୋଲି କମ୍ପାନିର ଅଧ୍ୟକ୍ଷ ଆର୍‌କେ ଆରୋରା କହିଛନ୍ତି। ଅଟ୍ଟାଳିକାକୁ ସୁରକ୍ଷିତ ଭାବେ ଭାଙ୍ଗିବା ପାଇଁ ୨୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। କିନ୍ତୁ ପ୍ରକଳ୍ପ ବାବଦରେ କମ୍ପାନିକୁ ୫୦୦ କୋଟି ଟଙ୍କାର କ୍ଷତି ହୋଇଛି। ଜମି କ୍ରୟ ଏବଂ ଗୃହ ନିର୍ମାଣ, ବିଭିନ୍ନ ମଞ୍ଜୁରି ହାସଲ ନିମନ୍ତେ ଖର୍ଚ୍ଚ ହୋଇଥିବା ଅର୍ଥ, ବିଗତ ବର୍ଷଗୁଡ଼ିକରେ ବ୍ୟାଙ୍କକୁ ପ୍ରଦାନ କରାଯାଇଥିବା ସୁଧ ଏବଂ ୧୨ ପ୍ରତିଶତ ସୁଧ ସହିତ ଉକ୍ତ ଟାୱାରର ଗ୍ରାହକଙ୍କୁ ଫେରସ୍ତ କରାଯାଇଥିବା ଅର୍ଥ ଏଥିରେ ରହିଛି ବୋଲି ଶ୍ରୀ ଆରୋରା କହିଛନ୍ତି।

୯୦୦ରୁ ଅଧିକ ଫ୍ଲାଟ୍ ଏହି ଟାୱାର ଦୁଇଟିରେ ରହିଛି। ଏହାର ବର୍ତ୍ତମାନ ବଜାର ମୂଲ୍ୟ ୭୦୦ କୋଟି ଟଙ୍କାରୁ ଅଧିକ ହେବ। ଟାୱାର ଭାଙ୍ଗିବା ପାଇଁ ସୁପରଟେକ ମୁମ୍ବାଇର ଏଡିଫାଇସ ଇଞ୍ଜିନିୟରିଂକୁ ୧୭.୫ କୋଟି ଟଙ୍କା ପ୍ରଦାନ କରିଛି। ଏଥିସହିତ ୧୦୦ କୋଟି ଟଙ୍କାର ବୀମା ବାବଦ ପ୍ରିମିୟମ ରାଶି ମଧ୍ୟ ଭରିଛି। ଏହା ବାଦ୍ ଅନ୍ୟାନ୍ୟ ଖର୍ଚ୍ଚ ମଧ୍ୟ ରହିଛି। ଅଦାଲତ କହିଥିଲେ ସୁପରଟେକ ୪୦ ମହଲା ବିଶିଷ୍ଟ ଉକ୍ତ ଟାୱାରକୁ ନଏଡା କର୍ତ୍ତୃପକ୍ଷଙ୍କ ସହ ଅସାଧୁ ମେଣ୍ଟ କରି ନିର୍ମାଣ କରିଛି।

ସମ୍ବନ୍ଧିତ ଖବର