ନୂଆଦିଲ୍ଲୀ : ନଏଡ଼ା ସେକ୍ଟର ୯୩-ଏରେ ସୁପରଟେକ୍ କମ୍ପାନି ପକ୍ଷରୁ ବେଆଇନ ଭାବେ ନିର୍ମାଣ ହୋଇଥିବା ଦୁଇଟି ଟାୱାରକୁ ୯ ସେକେଣ୍ଡ ମଧ୍ୟରେ ଉଡ଼ାଇ ଦେବାଲାଗି ୩୭୦୦ କିଲୋଗ୍ରାମରୁ ଅଧିକ ବିସ୍ଫୋରକ ବ୍ୟବହାର ହୋଇଛି। ଏହି ପରିମାଣର ବିସ୍ଫୋରକ ଯଦି ପ୍ରତିରକ୍ଷା ବିଭାଗ ପକ୍ଷରୁ କ୍ଷେପଣାସ୍ତ୍ର ନିକ୍ଷେପ କାର୍ଯ୍ୟରେ ବ୍ୟବହାର କରାଯାଇଥାନ୍ତା ତାହେଲେ ୩ଟି ଅଗ୍ନି-୫ ମିସାଇଲ୍‌ କିମ୍ବା ୪ଟି ପୃଥ୍ବୀ ମିସାଇଲ୍ କିମ୍ବା ୧୨ଟି ବ୍ରହ୍ମୋସ ମିସାଇଲ୍‌ରେ ସେସବୁ ବିସ୍ଫୋରକ ରଖାଯାଇଥାନ୍ତା। ଆଜି ମାଟିରେ ମିଶିଥିବା ନଏଡା ଟ୍ବିନ ଟାୱାରର ଉଚ୍ଚତା କୁତୁବ ମୀନାରଠାରୁ ଅଧିକ ଉଚ୍ଚ। ଭାରତ ଇତିହାସରେ ଏହା ସବୁଠୁ ଉଚ୍ଚ ଅଟ୍ଟାଳିକା ଯାହାକୁ ନିମିଷକ ମଧ୍ୟରେ ଧ୍ବଂସ କରାଯାଇଛି।

Advertisment

ଅଗ୍ନି-୫
ଅନ୍ତର୍ମହାଦେଶୀୟ ବାଲିଷ୍ଟିକ ମିସାଇଲ୍ ଅଗ୍ନି-୫ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ) ଏବଂ ଭାରତ ଡାଇନାମିକ୍ସ ଲିମିଟେଡ ପକ୍ଷରୁ ମିଳିତ ଭାବେ ବିକାଶ କରାଯାଇଛି। ଉକ୍ତ ମିସାଇଲ୍‌ର ଲମ୍ବ ୧.୭୫ ମିଟର ହୋଇଥିବାବେଳେ ବ୍ୟାସ ଦୁଇ ମିଟର। ଏଥିରେ ୧୫୦୦ କିଲୋଗ୍ରାମର ବିସ୍ଫୋରକ ରଖାଯାଇ ପାରିବ। ବୈଜ୍ଞାନିକଙ୍କ କହିବାନୁଯାୟୀ, ଅଗ୍ନି-୫ ଶବ୍ଦର ବେଗଠାରୁ ୨୪ ଗୁଣ ଅଧିକ ବେଗରେ ଗତି କରିଥାଏ। ସେକେଣ୍ଡ ପିଛା ୮.୧୬ କିଲୋମିଟର ଯାଇଥାଏ। ଗୋଟିଏ ଘଣ୍ଟାରେ ସର୍ବାଧିକ ୨୯୪୦୧ କିମି ଯିବାର କ୍ଷମତା ଏହି ‌ମିସାଇଲ୍ ବା କ୍ଷେପଣାସ୍ତ୍ର ରଖିଛି। ମୋବାଇଲ୍ ଲଞ୍ଚର ପ୍ୟାଡ୍‌ରୁ ଉକ୍ତ କ୍ଷେପଣାସ୍ତ୍ରକୁ ନିକ୍ଷେପ କରାଯିବା ସହିତ ନିର୍ଦ୍ଦିଷ୍ଟ ଲକ୍ଷ୍ୟରେ ଆକ୍ରମଣ ପାଇଁ ଏଥିରେ ରିଙ୍ଗ ଲେଜର ଗାଇରୋସ୍କୋପ ଇନର୍ସିଆଲ ନେଭିଗେସନ ସିଷ୍ଟମ (ନାଭଆଇସି) ରହିଛି।

ବ୍ରହ୍ମୋସ୍‌
ବ୍ରହ୍ମୋସ ମିସାଇଲରେ ୩୦୦ କିଲୋଗ୍ରାମର ବିସ୍ଫୋରକ (ଉଭୟ ପାରମ୍ପରିକ ଏବଂ ଆଣବିକ) ପରିବହନ କରିବାର କ୍ଷମତା ରହିଛି। ଉକ୍ତ ‌ମିସାଇଲଟି ଶବ୍ଦଠାରୁ ତିନିଗୁଣ ଅଧିକ ବେଗରେ ଗତି କରିଥାଏ। ଭାରତର ଡିଆରଡିଓ ଏବଂ ରୁଷ୍‌ର ଏନପିଓଏମ୍ ମିଳିତ ଭାବେ ଉକ୍ତ ମିସାଇଲ୍‌ର ବିକାଶ କରିଛନ୍ତି। ସେନାରେ ଏହାକୁ ସାମିଲ କରାଯାଇ ସାରିଛି। ସ୍ଥଳସେନା, ନୌସେନା ଏବଂ ବାୟୁସେନା ଉକ୍ତ ମିସାଇଲ୍‌କୁ ବ୍ୟବହାର କରୁଛନ୍ତି। ସ୍ଥଳ ଭାଗ ସମେତ ଜାହାଜ, ବୁଡ଼ାଜାହାଜ ଏବଂ ଯୁଦ୍ଧବିମାନରୁ ଉକ୍ତ ମିସାଇଲକୁ ନିକ୍ଷେପ କରାଯିବାର ବ୍ୟବସ୍ଥା ରହିଛି। ‌ତେଣୁ ନଏଡା ଟ୍ବିନ ଟାୱାର ବିସ୍ଫୋରଣରେ ଯେତିକି ବିସ୍ଫୋରକ ବ୍ୟବହାର କରାଯାଇଛି ସେଥିରେ ୧୨ଟି ବହ୍ମୋସ ମିସାଇଲ୍ ନିକ୍ଷେପ କରାଯାଇ ପାରିଥାନ୍ତା।

ପୃଥ୍ବୀ
ପୃଥ୍ବୀ ହେଉଛି ସ୍ଥଳଭାଗରୁ ସ୍ଥଳଭାଗକୁ ନିକ୍ଷେପ ହୋଇ ପାରୁଥିବା ସ୍ବଳ୍ପଦୂରଗାମୀ କ୍ଷେପଣାସ୍ତ୍ର। ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରତିଷ୍ଠାନ (ଡିଆରଡିଓ) ପକ୍ଷରୁ ଆଇଜିଏମଡିପି( ଇଣ୍ଟିଗ୍ରେଟେଡ ଗାଇଡେଡ ମିସାଇଲ୍ ଡେଭଲପମେଣ୍ଟ୍ ପ୍ରୋଗ୍ରାମ) ଅଧୀନରେ ଉକ୍ତ ‌କ୍ଷେପଣାସ୍ତ୍ରର ବିକାଶ ହୋଇଛି। ଟ୍ବିନ ଟାୱାରରେ ଯେତିକି ବିସ୍ଫୋରକ ବ୍ୟବହାର ହୋଇଛି ସେଥିରେ ଏଭଳି ୪ଟି ମିସାଇଲ୍‌ ନିର୍ମାଣ ହୋଇ ନିକ୍ଷେପ କରାଯାଇ ପାରିଥାନ୍ତା।