ସୈନିକ ହେବାକୁ ଇଞ୍ଜିନିୟରିଂ ଚାକିରି ଛାଡିଲେ ଦୁଇ ଯାଆଁଳା ଭାଇ, ପଢନ୍ତୁ ଏମାନଙ୍କ କାହାଣୀ

ନୂଆଦିଲ୍ଲୀ: ଭାରତୀୟ ସେନାରେ ଯୋଗ ଦେଇଛନ୍ତି ଦୁଇ ଯାଆଁଳା ଭାଇ ପରିନଵ ପାଠକ ଓ ଅଭିନବ ପାଠକ | ୨୨ ବର୍ଷ କାନ୍ଧରେ କାନ୍ଧ ମିଳାଇ ଦୁଇ ଭାଇ ଚାଲିଛନ୍ତି ଆଉ ଯେତେବେଳେ ଦେଶ ସେବା କଥା ଆସିବ ସେତେବେଳେ କେମିତି ବା ଅଲଗା ହେବେ | ପଞ୍ଜାବର ଲୁଧିଆନାର ଏହି ଦୁଇ ଭାଇଙ୍କର ଜନ୍ମ କିଛି ସମୟ ବ୍ୟବଧାନରେ ହୋଇଥିଲା | ଦୁଇ ଭାଇ ଏକ ସାଙ୍ଗରେ ଇଞ୍ଜିନିୟରିଂ ପଢିଥିଲେ | ତେବେ ମୋଟା ଦରମାର ମୋହ ଛାଡି ଦୁଇ ଭାଇ ଡେରାଡୁନ ସ୍ଥିତ ଭାରତୀୟ ସେନା ଏକାଡେମୀରେ ଯୋଗ ଦେଇଥିଲେ |

ଉଭୟ ଏଥର ଉତ୍ତୀର୍ଣ୍ଣ ହୋଇଥିଲେ | ଜୀବନରେ କେବେ ବି ପରସ୍ପରକୁ ଛାଡ଼ିନଥିବା ଦୁଇ ଭାଇଙ୍କୁ ଏବେ କିନ୍ତୁ ଅଲଗା ହେବାକୁ ପଡିବ | କାରଣ ୪୫୭ ଜଣ କ୍ୟାଡେଟଙ୍କ ସହ ତାଙ୍କର ପୋଷ୍ଟିଙ୍ଗ ହୋଇଛି | ତେବେ ଅଭିନବ କହିଛନ୍ତି ଯେ ଏକାଡେମୀରେ ଦୁହିଁଙ୍କୁ ନେଇ ଅନେକ ରୋଚକ କାହାଣୀ ସୃଷ୍ଟି ହୋଇଛି |

ଡ୍ରିଲ ଇନ୍ସପେକ୍ଟର ଅଭିନବ-ପରିନବଙ୍କୁ ଜାଣି ନପାରି କେବଳ ଅଭିନବଙ୍କୁ ଡାକି ଡ୍ରିଲ କରୁଥିଲେ | ଏଥିରୁ ପରିନବ ବଞ୍ଚିଯାଉଥିଲେ | ବେଳେବେଳେ ପୁଣି ଅଭିନବ ବାହାରୁ ଖାଦ୍ୟ ଖାଇ ଆସୁଥିବାବେଳେ ପରିନବଙ୍କୁ ଗାଳି ଶୁଣିବାକୁ ପଡୁଥିଲା | କେବଳ ୟୁନିଫର୍ମ ପିନ୍ଧିଲେ ହିଁ ବ୍ୟାଚରେ ନାଁ ଦେଖି ଦୁଇ ଭାଇଙ୍କୁ ଜାଣି ହେଉଥିଲା | ଦୁଇ ଭାଇ କହିଛନ୍ତି ପରସ୍ପରକୁ ନେଇ ଆମେ ବହୁତ ଗର୍ବିତ |

ସମ୍ବନ୍ଧିତ ଖବର