ଆର୍‌ୟନ୍‌ ଖାନ୍‌ ମାମଲାରେ ଭିନ୍ନ ମୋଡ଼: ଲାଞ୍ଚ କାରବାର ହୋଇଥିବା ଦାବି କଲେ ସାକ୍ଷୀ; ଅସ୍ୱୀକାର କଲା ‘ଏନ୍‌ସିବି’

ନୂଆଦିଲ୍ଲୀ: ଆର୍‌ୟନ୍‌ ଖାନ୍‌ଙ୍କ ବିରୋଧରେ ‘ନାକ୍ରୋଟିକ୍‌ସ୍‌ କଣ୍ଟ୍ରୋଲ୍‌ ବ୍ୟୁରୋ’ ଚଳାଇଥିବା ମାମଲାର ଜଣେ ସାକ୍ଷୀ ତଦନ୍ତକାରୀ ଏଜେନ୍‌ସି (ଏନ୍‌ସିବି) ଏବଂ କେପି ଗୋସାବୀଙ୍କ ବିରୋଧରେ ଷଡ଼ଯନ୍ତ୍ର ଏବଂ ଲାଞ୍ଚ ଦିଆଯାଇଥିବା ଦାବି କରିଛନ୍ତି। ଉଲ୍ଲେଖଯୋଗ୍ୟ, ଘରୋଇ ତଦନ୍ତକାରୀ କେପି ଗୋସାବୀଙ୍କ ସହ ଆର୍‌ୟନ୍‌ ଉତ୍ତୋଳନ କରିଥିବା ‘ସେଲ୍‌ଫି’ ଭାଇରାଲ୍‌ ହୋଇଛି।

ମାମଲାରେ କୌଣସି ଅନୈତିକ କାର୍ଯ୍ୟ ହୋଇ ନାହିଁ ବୋଲି ଦର୍ଶାଇ ଶୀର୍ଷସ୍ତରୀୟ ‘ଏନ୍‌ସିବି’ ଅଧିକାରୀ ସମୀର ଓ୍ଵାଙ୍ଖେଡ଼େ କହିଛନ୍ତି ଯେ, ସେ ଏହାର ଠିକଣା ଜବାବ ଦେବେ।

କେପି ଗୋସାବୀଙ୍କ ବ୍ୟକ୍ତିଗତ ଅଙ୍ଗରକ୍ଷୀ ବୋଲି ଦାବି କରୁଥିବା ପ୍ରଭାକର ସେଲ୍‌ ଏକ ସତ୍ୟପାଠରେ ଅଭିଯୋଗ କରିଛନ୍ତି ଯେ, ୧୮ କୋଟି ଟଙ୍କାର ରାଜିନାମା ହୋଇଥିବା କଥା ତାଙ୍କ କାନରେ ପଡ଼ିଛି। ମୁମ୍ବାଇ ଡ୍ରଗ୍‌ କ୍ରୁଜ୍‌ ମାମଲାରେ ତାଙ୍କ ଠାରୁ ଏକ ସାଦା ପଞ୍ଚନାମା ମଧ୍ୟ ସ୍ୱାକ୍ଷର କରାଇ ନିଆଯାଇଥିବା କଥା ସେ ଅଭିଯୋଗ କରିଛନ୍ତି।

Image Courtesy of India Today

କିନ୍ତୁ, ‘ଏନ୍‌ସିବି’ ଏହି ଦାବିକୁ ଭିତ୍ତିହୀନ କହି ଓଲଟି ପଚାରିଛି ଯେ, ଯଦି ଟଙ୍କା ସବୁ ଓଲଟପାଲଟ କରିଦେଇଛି, ତେବେ ଜଣେ ଜେଲ୍‌ରେ ରହିବେ କାହିଁକି?
‘ଏନ୍‌ସିବି’କୁ ବଦନାମ କରିବା ଲାଗି ଏଭଳି ଦାବି କରାଯାଇଥିବା କଥା କହି ଏକ ବିଶ୍ୱସ୍ତସୂତ୍ର କହିଛି ଯେ, ଅଫିସ୍‌ରେ ‘ସିସିଟିଭି କ୍ୟାମେରା’ ଲାଗିଛି। ତେଣୁ, ସେଭଳି କିଛି ଘଟିନାହିଁ।

‘ଏନ୍‌ସିବି’ କର୍ମଚାରୀମାନେ ମଧ୍ୟ କହିଛନ୍ତି ଯେ, ସେମାନେ ଅକ୍ଟୋବର ୨ ପୂର୍ବରୁ ପ୍ରଭାକର ସେଲ୍‌ଙ୍କୁ ଦେଖି ନ ଥିଲେ। ତାଙ୍କ ବିଷୟରେ ସେମାନଙ୍କର କୌଣସି ଧାରଣା ମଧ୍ୟ ନାହିଁ।

ଉକ୍ତ ସତ୍ୟପାଠକୁ ‘ଏନ୍‌ଡିପିଏସ୍‌’ ଅଦାଲତରେ ଦାଖଲ କରାଯାଇପାରେ। ଅଦାଲତରେ ଆମେ ଠିକଣା ଜବାବ ଦେବୁ।

ସମ୍ବନ୍ଧିତ ଖବର