ରାହୁଲ ଗାନ୍ଧିଙ୍କ ଜେଲ୍ ଦଣ୍ଡାଦେଶ ଓ ଲୋକସଭା ସଦସ୍ୟତା ରଦ୍ଦକୁ ନେଇ କିଛି ପ୍ରମୁଖ ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଡିଜିଟାଲ୍ ଶିରୋନାମାଗୁଡ଼ିକୁ ଅସନ୍ତୁଷ୍ଟ କଂଗ୍ରେସ ନେତା ଶଶୀ ଥରୁର ପୋଷ୍ଟ କରିଛନ୍ତି। ସେଥିରେ ସେ ଲେଖିଥିଲେ, ‘‘ସେମାନେ ଗୋଟିଏ ସ୍ବରକୁ ନିରବ କରିବାକୁ ଚାହିଲେ। ଏବେ ସାରା ବିଶ୍ବ ଭାରତର ସ୍ବର ଶୁଣୁଛି।’’ ‘ଦି ନ୍ୟୁୟର୍କ ଟାଇମ୍ସ’ ଲେଖିଛି, ‘‘ଭାରତର ଶେଷ ବଡ଼ ବିରୋଧୀ ନେତା ରାହୁଳ ଗାନ୍ଧିଙ୍କୁ ଲୋକସଭାରୁ ନିଲମ୍ବିତ କରି ମୋଦୀ ଏବେ ନିଷ୍କଣ୍ଟକ ହୋଇଗଲେ।’’ ଦି ୱାସିଂଟନ୍ ପୋଷ୍ଟ ଲେଖିଛି, ‘‘ବିରୋଧୀ ଦଳ ନେତା ଗାନ୍ଧିଙ୍କୁ ଭାରତୀୟ କୋର୍ଟ ୨ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଛି।’’ ବିବିସ ନ୍ୟୁଜ୍ (ୱର୍ଲ୍ଡ) ଲେଖିଛି, ‘‘ଭାରତର ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ସାଂସଦ ଭାବେ ଅଯୋଗ୍ୟ ଘୋଷିତ; ମାନହାନି ମାମଲାରେ ତାଙ୍କୁ ୨ ବର୍ଷର ଜେଲ୍ ଦଣ୍ଡାଦେଶ।’’
ଏହି ପୋଷ୍ଟର ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି। Shams Ur Rehman Alavi@indscribe ବିଜେପି ପ୍ରତି କଟାକ୍ଷ କରି ଲେଖିଛନ୍ତି, ବାହାରେ ଛବି ମଳିନ ହେବାକୁ ନେଇ ସେମାନେ ଚିନ୍ତିତ ନୁହନ୍ତି। ତାଙ୍କ କାମ ହେଲା ଦଳର ନୀତିଆଦର୍ଶକୁ ସବୁଠୁ ଆଗରେ ରଖିବା ଓ ଅନୁଷ୍ଠାନଗୁଡ଼ିକୁ ନିଜ ନିୟନ୍ତ୍ରଣକୁ ନେବା। ପ୍ରତି କଥାକୁ, ଏପରିକି ନିଜ ଅପାରଗତାକୁ ମଧ୍ୟ, ସେମାନେ ଜାତୀୟତା ସହିତ ଯୋଡ଼ିବା କାମରେ ଲାଗିଥା’ନ୍ତି। ଜାତୀୟତା ଛଡ଼ା ଏମାନଙ୍କ ପାଖରେ ଆଉ କିଛି ପ୍ରସଙ୍ଗ ହିଁ ନାହିଁ।
କଂଗ୍ରେସକୁ ବି ବହୁତ କଡ଼ା ଗାଳି ପଡ଼ିଛି। ତମେ ଜାଣିବୁଝିକି ଉଚ୍ଚତର ନ୍ୟାୟାଳୟକୁ ଗଲନାହିଁ। ତମ ରଣକୋୖଶଳ ହେଲା, ରାହୁଲ ଗାନ୍ଧି ଅଯୋଗ୍ୟ ଘୋଷିତ ହୁଅନ୍ତୁ, ଯାହାଫଳରେ କି ଭାରତ ଏବେ ଏକ ଅଗଣତାନ୍ତ୍ରିକ ଦେଶରେ ପରିଣତ ହୋଇଯାଇଛି ବୋଲି ବାହାରକୁ ଦେଖେଇପାରିବ। ଆମ ଦେଶ ଧୀରେଧୀରେ ମହାଶକ୍ତି ହେଉଥିବା ଯେଉଁ ଦେଶମାନଙ୍କୁ ଈର୍ଷାନ୍ବିତ କରୁଥିବ ସେମାନେ ଯେ ତୁମ କାନ୍ଧରେ ବନ୍ଧୁକ ରଖି ଆମ ଦେଶକୁ ହାଣିବାକୁ ଚେଷ୍ଟା କରୁଛନ୍ତି ସେଇଟା କେମିତି ବୁଝିପାରୁନ? ଆଉ ଏକ ନିଆରା ପୋଷ୍ଟକୁ ହଠାତ ଦେଖିଲେ ଇଂରାଜୀ Congress ଶବ୍ଦର ବନାନ୍ ପରି ଲାଗୁଛି Cunningness ଶବ୍ଦ। ଶବ୍ଦଟିର ବୁଦ୍ଧିମାନ ପ୍ରୟୋଗ ହୋଇଛି ଏଥିରେ। କଂଗ୍ରେସକୁ ବାଣ ମରାଯାଇଛି। ଆହୁରି ମଧ୍ୟ କୁହାଯାଇଛି, କଂଗ୍ରେସ ବେଶି ଚାଲାକି ନକରୁ। ଏହି ମାମଲାଟି ପ୍ରକୃତରେ ମୋଦି ସାଙ୍ଗିଆଧାରୀ ଓବିସି ବର୍ଗକୁ ରାହୁଲ ଅପମାନିତ କରିଥିବା ମାମଲା ଅଟେ। ହେଲେ କଂଗ୍ରେସ, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାଣି ଘଟଣାକୁ ଗୋଳିଆ କରିବାକୁ ଚେଷ୍ଟା କରୁଛି। ତୁମେ ସବୁ କଂଗ୍ରେସିଆ ସମାନ। ଘରୋଇ କଥାଟାକୁ ବିଶ୍ବ ସମୁଦାୟ ପାଖକୁ ନେଇକି ଦେଶଟାକୁ ଲୋକହସା କରୁଛ।
କିଛି ଥରୁର-ଅନୁଗାମୀ ଦଳକୁ ସେ ନିଜ ନିୟନ୍ତ୍ରଣକୁ ନିଅନ୍ତୁ ବୋଲି ତାଙ୍କୁ ଅନୁରୋଧ କରିଛନ୍ତି। ରାହୁଲ ଗାନ୍ଧି ଉପାଖ୍ୟାନରେ କାହାର ଲାଭ ହେବ, କିଏ କ୍ଷତି ସହିବ ତାହା ତ ସମୟ କହିବ। ଆମ ଦେଶରେ ଗଣତନ୍ତ୍ରର ସ୍ଥିତି ଓ କାର୍ଯ୍ୟକାରିତାକୁ ନେଇ ହେଉଥିବା ଧ୍ରୁବୀକରଣ ଆଗକୁ କେଉଁ ରୂପ ନେବ, ତାହା ଅଲଗା କଥା। ତା’ଦ୍ବାରା ଭାରତର ଭାବମୂର୍ତ୍ତି ଉପରେ ଏହି ଉପାଖ୍ୟାନ ଆଞ୍ଚ ଆଣିପାରିବ କି ନାହିଁ ତାହା ମଧ୍ୟ ଆଉ ଗୋଟେ ପ୍ରସଙ୍ଗ। ଆମ ଗଣତନ୍ତ୍ରର ସ୍ବଭାବ ଓ ସ୍ବରୂପକୁ ନେଇ ଜରୁରୀ ପରିସ୍ଥିତି ପରେ ପ୍ରଥମ ଥର ପାଇଁ ଭାରତ ବାହାରେ ଏହି ଉପାଖ୍ୟାନ ଯେ ଆଖିଦୃଶିଆ ଖୋରାକ ଯୋଗାଇଛି ତାହା ନିଃସନ୍ଦେହରେ କୁହାଯାଇପାରେ।