ଗତ କିଛିମାସ ସାମାଜିକ ଓ ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ପୋଷ୍ଟ/ପ୍ରକାଶିତ ହୋଇଥିବା ଖବର, ଭିଡିଓ, ଏଭି, ଫଟୋ, ବିତର୍କ, ବିତଣ୍ଡା ଯୁକ୍ତି ମଧ୍ୟରୁ ଗୋଟିଏ ହେଉଛି ପରିବେଶ। ମୋଦୀଙ୍କ ଆମେରିକା ଯାତ୍ରା ବେଳର ବିଭିନ୍ନ ଉପାଖ୍ୟାନ ଓ ଓଡ଼ିଶାରେ ପାଣ୍ଡିଆନଙ୍କୁ ନେଇ ହୋଇଥିବା ବିବାଦ କିଛିଦିନ ହେଲା ଗଣମାଧ୍ୟମକୁ ଆଚ୍ଛାଦିତ କରିଥାଇପାରେ, ପରିବେଶ ଉପରେ ପୋଷ୍ଟ/ପ୍ରକାଶିତ ତଥ୍ୟକୁ ହୁଏତ ଫିକା କରିଦେଉଥାଇପାରନ୍ତି। ହେଲେ ଏହା ଯେ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ, ତାହା ମର୍ମେ ମର୍ମେ ଅନୁଭବ କରିବାର ସମୟ ଆସିଲାଣି। ଏ ବର୍ଷର ଗ୍ରୀଷ୍ମରେ ଭୁବନେଶ୍ବରିଆ କୁହାକୁହି ହେଉଥିବା କିଛି ଆପ୍ତବାକ୍ୟ ହେଲା, ‘‘ମୁଁ ପିଲାଦିନରୁ ଆଜିଯାଏ କେବେ ଭୁବନେଶ୍ବରରେ ଏପରି ଗରମ ଅନୁଭବ କରିନିଥିଲି। ଭୁବନେଶ୍ବରର ଖାସ୍ ହେଲା, ଦିନବେଳା ଯେତେ ଗରମ ଓ ଗୁଳୁଗୁଳି ହେଲେ ମଧ୍ୟ ୪ଟା ବାଜିଗଲାମାନେ ପବନ ବହିବା ଆରମ୍ଭ ହୋଇଯାଏ। ମହାବାତ୍ୟା ପରେ ପବନ ବହିବା କମିଥିଲା। ଫନୀ ପରେ ଆହୁରି କମିଗଲା। ଏଥର ପୂରା ବନ୍ଦ ହୋଇଗଲା। ପଶ୍ଚିମ ଓଡ଼ିଶା ଭଳି ରାତି ୯ଟା ଯାଏ ଏକରକମ ଲୁ’ଭଳି ଲାଗୁଥିଲା। ଅପରାହ୍ଣରେ କାଳବୈଶାଖୀକୁ ଅପେକ୍ଷା ରହୁଥିଲା।’’ ସେହିପରି ଗତ କିଛି ବର୍ଷ ହେଲା ପ୍ରତ୍ୟହ ଏହିପରି କିଛି ଖବର ମଧ୍ୟ ଗଣମାଧ୍ୟମରେ ନିଶ୍ଚିତ ଆସୁଛି:- ‘ହାତୀ ଦଳିଦେଲା, ବୃଦ୍ଧା ମୃତ’, ‘ରାସ୍ତାରେ ହାତୀପଲ, ଗ୍ରାମବାସୀ ରାତିସାରା ଅନିଦ୍ରା’। ମହାବଳ ବାଘ ତ ଆଉ ନାହାନ୍ତି, କଲରାପତରିଆ ପରି ଅନ୍ୟ ବନ୍ୟପ୍ରାଣୀ ଶିକାର ହେଉଥିବା ଖବର ଯେପରି ନିୟମିତ ପ୍ରକାଶ ପାଉଛି, ଜୀବଜଗତ ପୂରା ସଂକଟରେ। ବନାଗ୍ନି ଆଜିକାଲି ଖରାଦିନେ ଏକ ଧାରା ହେଲାଣି।
ଏ ସବୁର ଅର୍ଥ ହେଲା, ସାଟେଲାଇଟ୍ ଛବି ଯାହା କହୁଥାଉ ନା କାହିଁକି, ପରିବେଶ ସାଂଘାତିକ ଭାବେ ନଷ୍ଟ ହେଲାଣି। ତାପମାତ୍ରା ଆଉ ନିୟନ୍ତ୍ରଣରେ ନାହିଁ। ଅନ୍ୟଠି କ’ଣ ହେଉଛି ଅଲଗା କଥା, ଓଡ଼ିଶାର ଜୈବ ବିବଧତାର ସଂରକ୍ଷଣକୁ ନେଇ କାହାରି ହେତୁ ନାହିଁ। ବଡ଼ କଥା ହେଉଛି, ଏ ନେଇ ନା କେନ୍ଦ୍ର ନା ରାଜ୍ୟ, କେହି ଚିନ୍ତିତ ଥିଲା ପରି ଲାଗୁନାହାନ୍ତି। ବର୍ଷାଦିନ କିଛି ଗୋଟେ ଆଖିଦୃଶିଆ ହେବ:- ଏଇ ଆଶାରେ ପରିବେଶବିତମାନେ ମୋସୁମୀକୁ ଚାତକ ପରି ଅନାଇରହିଥାନ୍ତି। କିନ୍ତୁ ପ୍ରତିଥର ସେମାନଙ୍କୁ ନିରାଶ ହେବାକୁ ପଡ଼େ। ବର୍ଷା ଆସେ, ଚାଲିଯାଏ ହେଲେ ସବୁଜିମାକୁ ନେଇ କେହି କେବେ କିଛି ଆଖିଦୃଶିଆ କରନ୍ତିନି। କାଳ୍ପିନକ ହେଲେ ମଧ୍ୟ ମନେମନେ ଭାବନ୍ତି, ସ୍ବଚ୍ଛ ଭାରତ ଅଭିଯାନ ପାଇଁ ମୋଦୀଙ୍କ ଆଗ୍ରହ କ୍ରମେ ଦେଶବାସୀ ଯେମିତି ଝାଡ଼ୁ ଧରିଲେ ସେମିତି କିଛି ଗୋଟେ ବନୀକରଣ କ୍ଷେତ୍ରରେ ହୁଅନ୍ତାନି! ନିଜେ ବିଭିନ୍ନ ମୁଦ୍ରାରେ ଯୋଗ କରି ସାରା ଦୁନିଆକୁ ଯୋଗ କରିବାକୁ ପ୍ରେରିତ କରିପାରିଥିବା ମୋଦୀଜୀ ବର୍ଷାଦିନେ ବୃକ୍ଷରୋପଣ ପାଇଁ ଟିକେ ପାଗଳାମୀ ଦେଖାନ୍ତେନି! ହେଉ ପଛେ ହାସ୍ୟାସ୍ପଦ ନିଷ୍ପତ୍ତି, କୋଭିଡ୍ ବେଳେ ଦେଶବାସୀଙ୍କୁ ପ୍ରେରିତ କରିବା ପାଇଁ ସେ ଯେପରି ନିଜ ଲୋକପ୍ରିୟତାକୁ ଘଣ୍ଟ ବାଡ଼େଇବା କାମରେ ବ୍ୟବହାର କରିଥିଲେ, ଚାରାରୋପଣରେ ସେମିତି କରନ୍ତେନି! ଓଡ଼ିଶା କ୍ଷେତ୍ରରେ ବି ସେଇ ସମାନ ଆଶା।
ହକିକୁ ନେଇ ନବୀନବାବୁ ଯେପରି ନିଜ ଲୋକପ୍ରିୟତା ସହ ଆବେଗକୁ ମିଶେଇଲେ, ଶିମିଳିପାଳ ସୁରକ୍ଷା ପାଇଁ ସେପରି କିଛି ଗୋଟେ କରନ୍ତେନି! ବିଜୁବାବୁଙ୍କ ସ୍ମୃତିରକ୍ଷା ପାଇଁ ସେ ଓ ତାଙ୍କ ଦଳ ଯେପରି ଆବେଗ ଦେଖାନ୍ତି, ତାହା ଏବେ ଏହି କାମରେ ଦେଖାଇବାର ସମୟ ଆସିନାହିଁ କି? ଜଣେ ପରିବେଶପ୍ରେମୀ ଭାବେ ସେ ଏବେ ଯଦି ରାଜ୍ୟର ଏହି ସମ୍ପଦଟିର ସୁରକ୍ଷା ପାଇଁ ନିଜ ଲୋକପ୍ରିୟତା ଓ କ୍ଷମତାକୁ ବ୍ୟବହାର ନ କରିବେ, ଆଉ କେବେ କରିବେ ବୋଲି ପ୍ରଶ୍ନ ହେଉଛି। ସ୍ବଚ୍ଛ ଭାରତ ଅଭିଯାନ, ଯୋଗ ଓ ହକି ପରି ପାଗଳାମୀ(?) ଦେଖାଇଲେ ମୋଦୀ ଓ ନବୀନ କୋଟିକୋଟି ଗଛ ଲଗାଇବା ପାଇଁ ଲୋକଙ୍କୁ ମତେଇପାରିବେ। ତାଙ୍କ ସରକାରୀ କଳ କେତେ କ’ଣ ଲଗେଇବ, ସେ ଅଲଗା କଥା। କିଛି ବର୍ଷ ପ୍ରତି ମୌସୁମୀ ଋତୁରେ ଲୋକଙ୍କୁ ପ୍ରେରିତ କରି ବନୀକରଣ-ମନସ୍କ କଲେ ତାଙ୍କ ବ୍ୟକ୍ତିତ୍ବ ଆହୁରି ଉଜ୍ଜ୍ବଳ ହେବନାହିଁ କି ବୋଲି ପ୍ରଶ୍ନ ହୋଇଛି। ପର୍ଯ୍ୟାପ୍ତ ଚାରା ଉପଲବ୍ଧ ହେବ ନା ନାହିଁ; ସ୍ଥାନ ନିରୂପଣ, ବାଡ଼ଘେରା ଭଳି ରକ୍ଷଣାବେକ୍ଷଣ ସମ୍ପର୍କିତ ଭିତ୍ତିଭୂମି ସମସ୍ୟା କଥା ମଧ୍ୟ ଉଠିବ। ହେଲେ ଏପରି ମହତ୍ କାର୍ଯ୍ୟଟିଏ ଥରେ ଆରମ୍ଭ ହୋଇଗଲେ ଦ୍ବିତୀୟ ସଂସ୍କରଣ ବେଳକୁ ସବୁକିଛି ବ୍ୟବସ୍ଥିତ ହୋଇଯିବ। ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବେଳେ ତାଙ୍କ ସରକାର ଯେପରି ତତ୍ପରତା ପ୍ରକାଶ କରେ ସେପରି ତତ୍ପରତା ତାଙ୍କ ଶାସନ କଳ ବନୀକରଣ କାର୍ଯ୍ୟରେ କରିବା ସମୟ ଆହୁରି ଆସିବାକୁ ବାକି ଅଛି କି? ହେଲେ ଯୋଉ କଥାଟି ଆହୁରି ନୈରାଶ୍ୟଜନକ ତାହା ହେଲା, ବନୀକରଣ, ପରିବେଶ ପରି ପ୍ରସଙ୍ଗଗୁଡ଼ିକରେ କେହି କିଛି ପୋଷ୍ଟ କଲେ ଅଧିକାଂଶ ନେଟିଜେନ୍ ନିର୍ଲିପ୍ତ ରହିବା ପସନ୍ଦ କରନ୍ତି। କେହି ଉଁ କି ଚୁଁ କରନ୍ତି ନାହିଁ। ନାଗରିକ ସମାଜକୁ ଏ ଦିଗରେ ତେଜାଇବାକୁ ହେଲେ ମୋଦୀ ଓ ନବୀନଙ୍କଠାରୁ ଅଧିକ ବଡ଼ ଓ ପ୍ରାସଙ୍ଗିକ ବ୍ରାଣ୍ଡ ଆମ୍ବାସଡର୍ ଥିବା ମନେହୁଏ ନାହିଁ।
ବୌଦ୍ଧିକ ଦାରିଦ୍ର୍ୟରୁ ମୁକ୍ତି ଲୋଡ଼ା
ଅର୍ଥନୀତିର ଅବସରପ୍ରାପ୍ତ ଧୂରୀଣ ପ୍ରାଧ୍ୟାପକ ଦିଲୀପ ପଣ୍ଡା ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିବା ନିମ୍ନୋକ୍ତ ମତ ପ୍ରଣିଧାନଯୋଗ୍ୟ:-
ଦେଶର କାହିଁକି, ବୋଧହୁଏ ସାରା ବିଶ୍ୱର କୌଣସି ନିର୍ବାଚନଭିତ୍ତିକ ଗଣତନ୍ତ୍ର ବ୍ୟବସ୍ଥାରେ ଜଣେ ଦରମାପ୍ରାପ୍ତ ସରକାରୀ କର୍ମଚାରୀ, ଯେଉଁ ସ୍ତରର ଆଇଏଏସ୍ ହୋଇଥାନ୍ତୁ ନା କାହିଁକି ରାଜ୍ୟର ବିଭିନ୍ନ ଅଞ୍ଚଳ ଗସ୍ତ କରି, ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିବା ସହିତ ନୂତନ ପ୍ରକଳ୍ପ ଘୋଷଣା କରିବା ଓ ବିଭିନ୍ନ ଅନୁଷ୍ଠାନକୁ ଆର୍ଥିକ ଅନୁଦାନ ଘୋଷଣା କରିବା ତଥା ଜନସଭା ଆୟୋଜନ କରି ସେଥିରେ ଭାଷଣ ଦେବା ଦେଖାଯାଏ ନାହିଁ। ସେ ଦୃଷ୍ଟିରୁ ଓଡ଼ିଶା ହେଉଛି, ଏକମାତ୍ର ରାଜ୍ୟ ଯେଉଁଠି ନେତା, ମନ୍ତ୍ରୀ, ବିଧାୟକ, ସାଂସଦ ଉପରୋକ୍ତ ବ୍ୟବସ୍ଥାର ମୂକ-ବଧିର ଅଂଶୀଦାର। ଏବେ ରାଜନୀତି ବିଜ୍ଞାନର ବିଦ୍ୱାନମାନେ ଚିନ୍ତା କରନ୍ତୁ ଯେ ଏପରି ଏକ ବ୍ୟବସ୍ଥାକୁ କି ପ୍ରକାର ଗଣତନ୍ତ୍ର କୁହାଯିବା ଉଚିତ। ପାଣ୍ଡିଆନ ସାହେବଙ୍କୁ ନେଇ ଓଡ଼ିଶା ରାଜନୀତରେ ଯେଉଁ ପ୍ରାକ୍-ଝଡ଼ ଭଳି ସ୍ଥିତି ସୃଷ୍ଟି ହେଉଛି, ଏହା କ’ଣ ଆସନ୍ତା ନିର୍ବାଚନ ପୂର୍ବରୁ ଏକ ରାଜନୈତିକ ଘଣ୍ଟାଚକଟାର ଆଭାସ ଦେଉଛି? ଯେତେଦିନ ପର୍ଯ୍ୟନ୍ତ ନବୀନ ବାବୁ ଦିଲ୍ଲୀରେ ମୋଦୀଙ୍କ ଆସନର ସ୍ଥିରତାକୁ ନିଶ୍ଚିତ କରୁଥିବେ, ବୋଧହୁଏ ସେମିତି କିଛି ଆଶଙ୍କା କରାଯାଇ ପାରେନାହିଁ। କିନ୍ତୁ ଯଦି ଓଡ଼ିଶାରେ ‘ଉଠ କଙ୍କାଳ’ ସମ ସ୍ୱାଭିମାନ ଜାଗିବାର (ବିଜେଡି ନେତାମାନଙ୍କ) ସମ୍ଭାବନା ଥାଏ (ଯଦିଓ ଆଶା କମ୍) ତେବେ ବୋଧେ ଏକ ରାଜନୈତିକ ମନ୍ଥନ ହୋଇପାରେ। ବିକଳ୍ପର ଶୂନ୍ୟତା କେବେ କେବେ ନୂତନତାକୁ ଜନ୍ମ ଦିଏ।
ଯେତେବେଳେ କୌଣସି ରାଜ୍ୟ/ଦେଶରେ ଏକ ବ୍ୟକ୍ତିକୈନ୍ଦ୍ରିକ ଶାସନ ବ୍ୟବସ୍ଥା ଚାଲେ ସେତେବେଳେ ଅମଲାତନ୍ତ୍ର ଓ ବାବୁରାଜର ପ୍ରାଦୁର୍ଭାବ ଦେଖିବାକୁ ମିଳେ... ଯାହା ଏବେ ଓଡ଼ିଶାରେ ଚାଲିଛି। ଏହା ଗଣତନ୍ତ୍ରର ଅନୁକୂଳ ନୁହେଁ। ଗଣତନ୍ତ୍ରର ଏହି ଶୂନ୍ୟତାକୁ ପୂରଣ କରିବା ପାଇଁ ଏକ ବିଶ୍ବସନୀୟ ସାମାଜିକ ନେତୃତ୍ୱ (ନାଗରିକ ସମାଜ) ଆବଶ୍ୟକ। ଏହାକୁ ପ୍ରୋତ୍ସାହିତ କରିବାର ଦାୟିତ୍ବ ହେଉଛି ମିଡିଆର। କିନ୍ତୁ ଦୁଃଖର ବିଷୟ ଯେ, ଆଞ୍ଚଳିକ ବା ରାଜ୍ୟସ୍ତରରେ ମିଡିଆର ଭୂମିକା ନୈରାଶ୍ୟଜନକ। ଓଡ଼ିଶାର ଦାରିଦ୍ର୍ୟର କାରଣ ହେଉଛି ଏହାର ପ୍ରତି କ୍ଷେତ୍ରରେ ‘ବୌଦ୍ଧିକ ଦାରିଦ୍ର୍ୟ’। ରାଧାନାଥ ଲେଖିଥିଲେ, ‘‘ଦେବୀ ବୀଣାପାଣି କେଉଁ ଶାପ ଫଳେ/ କରୁଣା ତୋହର ଊଣା ଏ ଉତ୍କଳେ।’’